୨୩ନଂ ୱାର୍ଡର ଦୟନୀୟ ରାସ୍ତାକୁ ନେଇ ବଢ଼ୁଛି ଜନ ଅସନ୍ତୋଷ
ବାଲେଶ୍ୱର, (ସରୋଜ ପଣ୍ଡା):ନୂତନ ପୌର ପରିଷଦ ଗଠନକୁ ବର୍ଷେ ପୁରିବାକୁ ଯାଉଥିବା ବେଳେ ବାଲେଶ୍ୱର ସହରର କେତେକ ଅଞ୍ଚଳ ରାସ୍ତାଘାଟର ଶୋଚନୀୟ ଅବସ୍ଥାକୁ ନେଇ ଜନାସନ୍ତୋଷ କ୍ରମଶଃ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି । ତେବେ ନିକଟ ଅତୀତରେ କିଛି ରାସ୍ତା ନିର୍ମାଣ ପାଇଁ ପୌରପାଳିକା ପକ୍ଷରୁ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ଆବଶ୍ୟକ ଥିବା ରାସ୍ତାକୁ ତାଲିକାଭୁକ୍ତ କରା ନଯିବାକୁ ବିଭିନ୍ନ ୱାର୍ଡ଼ର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଶେଷ କରି ପୌରାଞ୍ଚଳର ୨୩ନଂ ୱାର୍ଡରେ ବ୍ରଜେଶ୍ୱର ମନ୍ଦିର ନିକଟରୁ ଚନ୍ଦନ ଗଡିଆ ଓ ଚନ୍ଦନ ଗଡିଆ ଠାରୁ ଟ୍ରାନ୍ସଫର୍ମର ଛକ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଥିବା ବେଳେ ଏହାର ନବୀକରଣ ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଆସୁଥିଲେ । ପ୍ରାୟ ୧୫ରୁ ୨୦ ବର୍ଷ ତଳେ ରାସ୍ତା ଦୁଇଟି ନିର୍ମାଣ ହୋଇଥିଲେ ଏଥିରେ ଅଦ୍ୟାବଧି ଥରେ ହେଲେ ମରାମତି ହୋଇ ନଥିବା ସେମାନେ କହିଛନ୍ତି । ଅନ୍ୟପକ୍ଷରେ ଅମୃତ ଯୋଜନା ପାନୀୟ ଜଳ ପାଇପ ବିଛା କାର୍ଯ୍ୟ ପରେ ରାସ୍ତା ଦୁଇଟିରେ ଯାତାୟତ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡିଛି । ବର୍ଷା ଦିନେ ସେଠାରେ ଆଣ୍ଠୁଏ ଯାଏ ପାଣି ଜମି ରହୁଛି । ରାସ୍ତା ପାଶ୍ୱର୍ ନାଳ ସଫା ନ ହେବା ଦ୍ୱାରା ଜଳ ନିଷ୍କାସନ ହୋଇପାରୁନାହିଁ ବୋଲି ୱାର୍ଡ଼ବାସୀ କହିଛନ୍ତି । ଖୋଲା ଡ୍ରେନ ଯୋଗୁଁ ବର୍ଷା ଦିନ ଲୋକେ ସେଥିରେ ପଡି ଖଣ୍ଡିଆ ଖାବରା ହେଉଛନ୍ତି । ଏ ସମ୍ପର୍କରେ ବାରମ୍ବାର ପୌର କର୍ତ୍ତୃପକ୍ଷଙ୍କୁ ଜଣାଉଥିଲେ ବି କୌଣସି ବ୍ୟବସ୍ଥା କରାଯାଉ ନଥିବା ସେମାନେ ଆରୋପ ଉଠାଇଛନ୍ତି । ୨୨ ଓ ୨୩ ନଂ ୱାର୍ଡ଼ର ଦୁଇ କାଉନସିଲରଙ୍କର ପୌରାଧ୍ୟକ୍ଷା ଓ ବିଧାୟକଙ୍କ ସହ ବିଶେଷ ସମନ୍ୱୟ ନରହିବା ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି ବୋଲି କେତେକ ସଚେତନଶୀଳ ବ୍ୟକ୍ତି କହିଛନ୍ତି । ଏହି ଦୁଇ ରାସ୍ତାର ନବୀକରଣ ପାଇଁ ପୌର ପରିଷଦ ବୈଠକରେ ସ୍ଥାନୀୟ କାଉନସିଲର ଶଶିରେଖା ମହାନ୍ତି ପ୍ରସ୍ତାବ ଦେଇଥିଲେ ମଧ୍ୟ ତାଙ୍କ କଥାକୁ ଗୁରୁତ୍ୱ ଦିଆନଯିବା ଦୁର୍ଭାଗ୍ୟର ବିଷୟ ବୋଲି ସେ କ୍ଷୋଭର ସହ ପ୍ରକାଶ କରିଛନ୍ତି । ବାଧ୍ୟ ହୋଇ ସେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବେ ବୋଲି ଶ୍ରୀମତୀ ମହାନ୍ତି ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁଙ୍କୁ ପଚାରିବାରୁ ସେ ପୌରପରିଷଦର ଅସହଯୋଗକୁ ଅସ୍ୱୀକାର କରିଛନ୍ତି । ପ୍ରତ୍ୟେକ ୱାର୍ଡର କାଉନସିଲରଙ୍କ ପ୍ରସ୍ତାବ ଅନୁସାରେ ରାସ୍ତା ନବୀକରଣ ଟେଣ୍ଡର ସହ କାର୍ଯ୍ୟାଦେଣ ପାଇଁ ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି । ମାତ୍ର ୨୩ନଂ ୱାର୍ଡର କାଉନସିଲରଙ୍କ ପ୍ରସ୍ତାବ ବିଳମ୍ବରେ ହସ୍ତଗତ ହେବା ଯୋଗୁଁ ଏଭଳି ସ୍ଥିତି ଉପୁଜିଛି । ଆସନ୍ତା ବୈଠକରେ ତାଙ୍କ ପ୍ରସ୍ତାବକୁ ଗୁରୁତ୍ୱ ଦେଇ ଉଚିତ ପଦକ୍ଷେପ ନିଆଯିବ ବୋଲି ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ପ୍ରତିଶ୍ରୁତି ଦେଇଛନ୍ତି ।


