୨୩୫ତମ “ମିଟ୍ ଦ ଆର୍ଟିଷ୍ଟ” କାର୍ଯ୍ୟକ୍ରମ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ଜେ.ଡି.ସି.ଏ. ଭୁବନେଶ୍ୱର ତରଫରୁ ପ୍ରତ୍ୟେକ ମାସ ଦ୍ୱିତୀୟ ଶନିବାର ଦିନ ଆୟୋଜନ କରାଯାଉଥିବା “କଳାକାରଙ୍କ ସାଙ୍ଗେ” (ମିଟ୍ ଦ ଆର୍ଟିଷ୍ଟ)ର ୨୩୫ତମ କାର୍ଯ୍ୟକ୍ରମ ଆଜି ଏହାର କାର୍ଯ୍ୟକ୍ରମ, ଏ ୨୦, ଭି.ଆଇ.ପି. କଲୋନୀ, ନୟାପଲ୍ଲୀ, ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଅଛି । ଏଥରର ବିଷୟବସ୍ତୁ ଥିଲା “ଫଟୋଗ୍ରାଫିର ସନ୍ଧାନରେ” । ଆନୁଷ୍ଠାନିକ ଭାବେ ମୁଖ୍ୟ ଅତିଥି ତଥା କଳାକାର ଶ୍ରୀ ଗୌତମ ବୁଦ୍ଧ ମୁଖାର୍ଜୀଙ୍କୁ ଡଃ ଅରବିନ୍ଦ ବେହେରା ଅନୁଷ୍ଠାନ ତରଫରୁ ପାରମ୍ପରିକ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । ଏହି କାର୍ୟ୍ୟକ୍ରମରେ ଶ୍ରୀ ଗୌତମ ବୁଦ୍ଧ ମୁଖାର୍ଜୀ ଫଟୋଗ୍ରାଫି ବିଷୟରେ ନିଜର ଅନୁଭୂ୍ତି ବର୍ଣ୍ଣନା କରିଥିଲେ । ୧୯୮୭ ମସିହାରେ କେନ୍ଦ୍ର ସରକାରଙ୍କ ତରଫରୁ ଆଣ୍ଟାର୍କ୍ଟିକା ଯାଇଥିବା ସମୟରେ ସରକାରୀ କର୍ତ୍ତବ୍ୟ ସମ୍ପାଦନ କରି ଅନେକ ଫଟୋ ଉତ୍ତୋଳନ କରିଥିଲେ । ଏହି ସୁଖଦ ଓ ଅକସ୍ମାତ ଅନୁଭୂତି ପରବର୍ତ୍ତୀ ସମୟରେ ଅଧିକରୁ ଅଧିକ ଫଟୋ ଉତ୍ତୋଳନ କରିବା ପାଇଁ ପ୍ରେରଣା ଯୋଗାଇଥିଲା । ସେ ରାଜସ୍ଥାନର ଭ୍ରାମ୍ୟମାଣ ରାଇକାସ ସମ୍ପ୍ରଦାୟ ଲୋକମାନଙ୍କର ଅତି ପ୍ରାଚୀନ ଜୀବନ ଶୈଳୀ ଦ୍ୱାରା ପ୍ରଭାବିତ ହୋଇ ଅନେକ ଫଟୋ ଉଠାଇବା ସହ ସେମାନଙ୍କ ସହିତ କିଛି ଦିନ ପାଇଁ ଜୀବନ ଯାପନ କରିଥିଲେ । ଏହି ଫଟୋଗୁଡ଼ିକ ସେମାନଙ୍କ ନିମନ୍ତେ ଯୋଜନା କରିବା ପାଇଁ ସହାୟକ ହୋଇଥିଲା । ପରବର୍ତ୍ତୀ ସମୟରେ ବିଭିନ୍ନ ରାଜ୍ୟର ବିଧବା ବୃଦ୍ଧାମାନଙ୍କର ଜୀବନଚର୍ୟ୍ୟା ବିଷୟରେ ଅନେକ ଫଟୋ ଉତ୍ତୋଳନ କରି ସେମାନଙ୍କ ଜୀବନ ଧାରା ସମ୍ପର୍କରେ ଗଭୀର ଅଧ୍ୟୟନ କରିଥିଲେ । ଶ୍ରୀ ମୁଖାର୍ଜୀ ନିୟମିତ ଭାବେ ଏହି କଳାତ୍ମକ ଦିଗକୁ ବଜାୟ ରଖିଛନ୍ତି । ନିଜ ମଧ୍ୟରେ ସେ ପ୍ରଶ୍ନ କରନ୍ତି ଯେ ପ୍ରକୃତରେ ତାଙ୍କୁ କେଉଁଠି ସବୁଠୁ ବେଶୀ ଖୁସି ଦିଏ କଳାତ୍ମକ ସୃଷ୍ଟି, ସାମାଜିକ ପ୍ରତିବଦ୍ଧତା ନା ଆଉ କିଛି? ନିଜ ନାତି ସହିତ କଟାଉଥିବା ପ୍ରତିଟି ଆତ୍ମୀୟ ମୁହୂର୍ତ୍ତମାନ ଜୀବନର ଶ୍ରେଷ୍ଠ ଅନୁଭବ ବୋଲି ସେ ହୃଦୟଙ୍ଗମ କରିବା ଆରମ୍ଭ କରିଛନ୍ତି । ଏହି ସଭାରେ ଶ୍ରୀ ରାମହରି ଜେନା ଧନ୍ୟବାଦ ଅର୍ପଣ କରିଥିଲେ ଓ ଅନ୍ୟମାନଙ୍କ ମଧ୍ୟରେ ଦିଗମ୍ବର ଶତପଥୀ, ରତ୍ନମାଳା ମିଶ୍ର, ମଙ୍ଗଳା ପ୍ରସାଦ ମହାନ୍ତି, କୃଷ୍ଣଚନ୍ଦ୍ର ନାୟକ, ରାଜୀବ ଷଡ଼ଙ୍ଗୀ, ବିରେନ୍ ଦାସ, ଅନୁଭବ ଚୌଧୁରୀ, ଶିବବ୍ରତ ଚୌଧୁରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଶ୍ୱଜିତ ରାଉତ ସହଯୋଗ କରିଥିଲେ