୨୫ ଭାରତ ବନ୍ଦରେ ଅଂଶଗ୍ରହଣ କରିବ ନବନିର୍ମାଣ କୃଷକ ସଂଗଠନ
ବୋଲଗଡ଼, ( (ଓ୍ବାଇଏନ୍ଏସ୍)) : କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ଦୁଇଟି କୃଷି ବିଲ୍ ଯାହା ରାଜ୍ୟସଭାରେ ପାରିତ ହୋଇଛି ଏହାକୁ ବିରୋଧ କରି ସାରା ଭାରତବର୍ଷର କୃଷକ ସଂଗଠନମାନେ ଯେଉଁ ଆନ୍ଦୋଳନ କରୁଛନ୍ତି ସେହି ବନ୍ଦରେ ରାଜ୍ୟର ପ୍ରମୁଖ ସଂଗଠନ ନବନିର୍ମାଣ କୃଷକ ସଂଗଠନ ଅଂଶଗ୍ରହଣ କରିବ । ସାମ୍ବାଦିକ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଲେ ଯେ, କୃଷି ବିଧେୟକ ସମୃଦ୍ଧିର ପଥ ବାହାର କରିଛି ବୋଲି ସରକାର ଯେଉଁ ପ୍ରଚାର କରୁଛନ୍ତି, ଏହା ମିଥ୍ୟା । ବିଗତ ଦିନରେ ସରକାର ସ୍ୱାମୀନାଥନ କମିଶନ ସୁପାରିଶ ଲାଗୁ କରିବା ଏବଂ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପ୍ରସଙ୍ଗରେ ଚାଷୀମାନଙ୍କ ସହ ପ୍ରତାରଣା କରିଛନ୍ତି । ସରକାର ସବୁବେଳେ ମାତ୍ରାଧିକ କର୍ପୋରେଟ ପ୍ରତି ରହିଆସିଥିବା କାରଣରୁ ଏବେ ଏହି ନୂଆ ବିଧେୟକରେ କର୍ପୋରେଟଙ୍କ କୃଷିକ୍ଷେତ୍ରକୁ କବ୍ଜା କରିବାର ବାଟ ଫିଟିଯାଇଛି । ଏହି ବିଗତ ବର୍ଷମାନଙ୍କରେ ଇନ୍ସୁରାନ୍ସ କମ୍ପାନୀମାନେ କେତେ ଚାଷୀଙ୍କୁ ଲୁଟ୍ କରିଛନ୍ତି ତାହା ସମସ୍ତଙ୍କୁ ଜଣା ।ଏହା ସହ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଉପରୁ ଯଦି ସରକାର ନିୟନ୍ତ୍ରଣ ଉଠାଇ ଦେବେ ତେବେ କମ୍ପାନୀମାନଙ୍କ ଚାଷୀ ଓ ଖାଉଟିଙ୍କୁ ଶୋଷଣ କରିବାର କୌଣସି ବାଧକ ରହିବ ନାହିଁ । କମ୍ପାନୀମାନେ ଡ଼ାଲି, ତେଲ ବଜାରରେ କେତେ ବିକିଲା ବେଳେ ସରକାର କେତେ ଟଙ୍କାରେ ଚାଷୀଙ୍କ ଠାରୁ କିଣିଛନ୍ତି । ନୂଆ କୃଷିନୀତି ଦଲାଲରାଜକୁ ସମାପ୍ତ କରିବ ବୋଲି କୁହାଗଲା ବେଳେ ପ୍ରକୃତପକ୍ଷେ ପୁରା ଦଲାଲରାଜ ଆରମ୍ଭ ହେବ । ଏଣୁ କୃଷକମାନଙ୍କ ମଣ୍ଡି ବ୍ୟବସ୍ଥା ରହିବ, ଏହି ନୂଆ ବିଧେୟକରେ ମଣ୍ଡି ବିରୋଧୀ ଷଡ଼ଯନ୍ତ୍ର ନାହିଁ କହିବା ହାସ୍ୟସ୍ପଦ । ୨୫ ତାରିଖ ବନ୍ଦରେ ସାରା ଓଡ଼ିଶାର ସମସ୍ତ ଜିଲ୍ଲାର ନେତୃମଣ୍ଡଳୀ ଓ କର୍ମକର୍ତ୍ତା ଏହି ବନ୍ଦ ଓ ହରତାଳରେ ଯୋଗ ଦେବେ । ଆଜିର ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଜିଲ୍ଲା ସଂଯୋଜକ ଦୁର୍ଗାପ୍ରସାଦ ଦାଶ, ରାଜ୍ୟ କମିଟି ସଭ୍ୟ ଶୁଭେନ୍ଦୁ ମଲ୍ଲିକ, ସଂଗ୍ରାମ କିଶୋର ଉପସ୍ଥିତ ଥିଲେ । ପ୍ରଭାବୀ ଢଙ୍ଗରେ ବନ୍ଦ ପାଳନ କରାଯିବ ଓ ବନ୍ଦ ମାଧ୍ୟମରେ ଚାଷୀମାନେ ସେମାନଙ୍କ ଷଡ଼ଯନ୍ତ୍ର ବିଷୟରେ ଅବଗତ ହେବେ ବୋଲି କୃଷକ ନେତାମାନେ କହିଛନ୍ତି ।