୨୬ ଦିନରେ ପହଞ୍ଚିଲା ଅଧ୍ୟାପକଙ୍କ ପ୍ରତିବାଦ ଆନ୍ଦୋଳନ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଷ୍ଟେଟ ସେଲେକ୍ସନ ବୋର୍ଡ଼ ଦ୍ୱାରା ନିଯୁକ୍ତି ପ୍ରାପ୍ତ ୬ ଜଣ ଅଧ୍ୟାପକ/ ଅଧ୍ୟାପିକାମାନଙ୍କ ପକ୍ଷରୁ ଗ୍ରେଡ୍ ପେ ବୃଦ୍ଧି ନିମନ୍ତେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ର ନିକଟରେ କଳା ବ୍ୟାଜ ପାନ୍ଧି ନୀରବ ପ୍ରତିବାଦ ଆନ୍ଦୋଳନ ଅନୁଷ୍ଠିତ ହୋଇଆସୁଅଛି। ସୂଚନା ଥାଉକି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ରାଜ୍ୟ ପ୍ରବରଣ ମଣ୍ଡଳୀ ଦ୍ୱାରା ମନୋନୀତ ହୋଇ ଅଧ୍ୟାପକ/ ଅଧ୍ୟାପିକା ମାନେ ୨୦୧୬ ମସିହାରୁ ୪୬୦୦ ଗ୍ରେଡ ପେ ରେ କାର୍ଯ୍ୟରତ ଅଛନ୍ତି। ଏହି ଅଧ୍ୟାପକ ମଣ୍ଡଳୀ ଯୁକ୍ତ ୨, ଯୁକ୍ତ ୩ ଓ ପି. ଜି. ଶ୍ରେଣୀରେ ଶିକ୍ଷାଦାନ କରି ଆସୁଥିଲେ ମଧ୍ୟ ସେମାନଙ୍କୁ ପି. ଜି.ଟି. ଶିକ୍ଷକ ଅନୁପାତରେ ଦରମା ଦିଆଯାଉଅଛି। ଯାହାକି ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ତେଣୁ ଏହି ବର୍ଗର ଅଧ୍ୟାପକ ବୃନ୍ଦ ନିଜର ପଦ ମର୍ଯ୍ୟାଦା ବଜାୟ ରଖିବା ସଙ୍ଗେ ସଙ୍ଗେ ସମାନ କାମକୁ ସମାନ ଦରମା ଦାବିରେ ଓ.ପି.ଏସ.ସି. ଦ୍ୱାରା ନିଯୁକ୍ତି ପ୍ରାପ୍ତ ଡିଗ୍ରୀ କଲେଜ ଅଧ୍ୟାପକ ପାଉଥିବା ୫୪୦୦ ଗ୍ରେଡ ପେ ହାରରେ ଦରମା ପ୍ରଦାନ ପାଇଁ ଦୀର୍ଘ ୨୬ ଦିନ ଧରି କଳା ବ୍ୟାଜ୍ ପରିଧାନ ପୂର୍ବକ ସମଗ୍ର ଓଡ଼ିଶାରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଆନ୍ଦୋଳନ କରିଆସୁଛନ୍ତି। ଏହି ଶାନ୍ତିପୂର୍ଣ୍ଣ ଓ ସମ୍ପୂର୍ଣ୍ଣ ଶୈକ୍ଷିକ ସହଯୋଗମୂଳକ ପ୍ରତିବାଦ ଆନ୍ଦୋଳନରେ ଡକ୍ଟର ବିରଞ୍ଚି ନାରାୟଣ ରଥ, ରାକେଶ କୁମାର ପ୍ରଧାନ, ଶାନ୍ତନୁ ପ୍ରଧାନ , ବିଶ୍ଵନାଥ ଚୌଧୁରୀ, ଲିପିନାଥ ସିଂହ ଓ ଡକ୍ଟର ରୋଜିଟା ମିଶ୍ର ଯୋଗଦେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ