୨ ହାତୀକୁ ହତ୍ୟା କରି ଦାନ୍ତ ଲୁ୍ଟ୍
ଯୋଡା (ସମୀର କୁମାର ଦାସ) : ଚମ୍ପୁଆ ରେଂଜ ଯୋଡା ବନପାଳ ଅଧିନସ୍ଥ ଗୁରୁବେଡା ବୈତରଣୀ ରିଜର୍ବ ସଂରକ୍ଷିତ ଜଙ୍ଗଲ(କ) ରେ ରବିବାର ୨ଟି ହାତୀକୁ ହତ୍ୟା କରି ଦାନ୍ତ ଲୁଟ୍ କରିଥିବା ଘଟଣା ଲୋକଲୋଚନକୁ ଆସିଛି । ଘଟଣାସ୍ଥଳରୁ ଜଣାପଡିଛି ଯେ, ରବିବାର ଅପରାହ୍ନ ୨ ଟା ପରେ ଉକ୍ତ ଜଙ୍ଗଲରେ ୨ଟି ହାତୀ ମରି ପଡିଥିବା ସୂଚନା ଯୋଡା ବନପାଳ ପିଅନ ନାଏକ ପାଇ ସଦଳବଳେ ଘଟଣାସ୍ଥଳରେ ପହନଚି ଥିଲେ । ଘଟଣାସ୍ଥଳରେ ଦେଖିବାକୁ ପାଇଥିଲେ ଯେ, ଗୁରୁବେଡା ଜଙ୍ଗଲ ମଧ୍ୟରେ ଗୋଟିଏ ୨୨ ବର୍ଷୀୟ ଦନ୍ତା ହାତୀ ଏବଂ କିଛି ଦୂର ବ୍ୟବଧାନରେ ପ୍ରାୟ ୨୦ ବର୍ଷୀୟା ଅନ୍ୟ ଏକ ମାଇ ହାତୀର ମୃତଦେହ ପଡିଥିଲା । ବନପାଳ ନାଏକଙ୍କ ସୂଚନାନୁଯାୟୀ ଜଣାପଡିଛି ଯେ, ହାତୀର ମୃତ୍ୟୁ କିପରି ହୋଇଛି ତାହା ସ୍ପଷ୍ଟ ହୋଇନଥିଲେ ହେଁ, ମୃତ ଦନ୍ତାହାତୀର ଦାନ୍ତ କାଟି ଚୋରାଇ ନିଆଯାଇଛି ଏବଂ ମାଇହାତୀର ଶୁଣ୍ଢକୁ କାଟି ନେଇଯାଇଥିବାରୁ ଏହା ହାତୀଙ୍କୁ ହତ୍ୟା କରାଯାଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି । ଏହି ସଂରକ୍ଷିତ ବନାଚଂଳରେ ୫ଟି ହାତୀ ବିଚରଣ କରୁଥିଲେ ଏବଂ ଏହା ଉପରେ ବନବିଭାଗ ନଜର ରଖିଥିଲା । ରବିବାର ଅପରାହ୍ନରେ ବନବିଭାଗର ପେଟ୍ରୋଲିଂ ଦଳ ଏହି ହାତୀ ମୃତ୍ୟୁ ଘଟଣା ଦେଖିବାକୁ ପାଇଥିଲେ । ଅନ୍ୟପକ୍ଷରେ ଏହି ୨ଟି ହାତୀ ଅନ୍ୟ ଜଙ୍ଗଲରୁ ଶନିବାର ରାତିରେ ଆସିଥିବା ଅନୁମାନ କରାଯାଉଛି । କାରଣ ପୂର୍ବରୁ ବିଚରଣ କରୁଥିବା ୫ଟି ହାତୀ ନିରାପଦ ଓ ସୁରକ୍ଷିତ ଥିବା ସୂଚନା ଦେଇଛନ୍ତି । ଏହି ହାତୀଦ୍ୱୟର ମୃତ୍ୟୁର କାରଣ ବିଷ ପ୍ରକ୍ରିୟା ଦ୍ୱାରା ହୋଇଛି ନା ବିଦ୍ୟୁତ କରେନ୍ଟ ଦ୍ୱାରା କରାଯାଇଛି ତାହା ଅଦ୍ୟାବଧି ଜଣାପଡିନାହିଁ । କେନ୍ଦୁଝର ଏସଟିଏଫ ଅଶୋକ ସାମଲ, କେନ୍ଦୁଝର ଡିଏଫଓ ସନ୍ତୋଷ ଯୋଶୀ, ଚମ୍ପୁଆ ବନପାଳ କାଶିନାଥ ହେମ୍ବ୍ରମ ଘଟଣାସ୍ଥଳରେ ପହନଚି ଅଧିକ ତଦନ୍ତ କରିଛନ୍ତି । ସନ୍ଧ୍ୟା ହୋଇଯାଇଥିବାରୁ ଏହି ହାତୀ ଦ୍ୱୟର ବ୍ୟବଛେଦ ସୋମବାର କରାଯିବ ବୋଲି ଯୋଡା ବନପାଳ ପିଅନ ନାଏକ ସୂଚନା ଦେଇଛନ୍ତି ।