୩୦ ହଜାର କର୍ମୀଙ୍କୁ ସାଙ୍ଗରେ ଧରି ନାମାଙ୍କନ ଦାଖଲ କଲେ ଦିଲ୍ଲୀପ

ନିମାପଡ଼ା,(ସନ୍ତୋଷ ଦାଶ) ନିମାପଡ଼ା ନିର୍ବାଚନ ମଣ୍ଡଳୀର ୪୬ ପଞ୍ଚାୟତ ଓ ନିମାପଡ଼ା ବିଜ୍ଞାପିତ ଅଞ୍ଚଳରୁ ପ୍ରାୟ ୩୦ ହଜାର ରୁ ଉର୍ଦ୍ଧ୍ବ କର୍ମୀଙ୍କୁ ସାଙ୍ଗରେ ଧରି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ନିମାପଡ଼ା ବିଧାନସଭା ବିଜେଡ଼ି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକ। ନିର୍ବାଚନ ମଣ୍ଡଳୀରେ ଯେଉଁ ଗୁଜବ ପ୍ରଚାର ହେଉଥିଲା ସମୀର ନାହିଁ ତ ଶଙ୍ଖ ନାହିଁ ତାକୁ ଭୁଲ ପ୍ରମାଣିତ କରିଛନ୍ତି ଦିଲ୍ଲୀପ ସେନା। ନିମାପଡ଼ା ନୂଆ ବସଷ୍ଟାଣ୍ଡ ଠାରୁ ହଜାର ହଜାର ସମର୍ଥକଙ୍କ ସହ ଦିଲ୍ଲୀପଙ୍କ ବିଶାଳ ଶୋଭାଯାତ୍ରା ବାହାରି ଦୋଳବେଦୀ ଛକ ଠାରେ ପହଞ୍ଚିଥିଲା। ମୋହନ ଦାଶଙ୍କ ପ୍ରତିମୂର୍ତ୍ତିରେ ଦିଲ୍ଲୀପ ମାଲ୍ୟାର୍ପଣ କରିଥିଲେ। ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ୱ ସମର୍ଥକଙ୍କ ଗହଣରେ ଦିଲ୍ଲୀପଙ୍କ ଶୋଭାଯାତ୍ରା ସେଠାରୁ ବାହାରି ଚାରିଛକ ବଜାର, ଗୋପ, ନାଗପୁର ବଜାର ପରିକ୍ରମା କରି ପୁରୀରେ ପହଞ୍ଚିଥିଲା। ସାଙ୍ଗରେ ଥିବା କର୍ମୀ, ସମର୍ଥକଙ୍କ ବ୍ୟତୀତ ରାସ୍ତାର ଦୁଇ ପାର୍ଶ୍ଵରେ ହଜାର ହଜାର ସଂଖ୍ୟକ ଜନସାଧାରଣ ଦିଲ୍ଲୀପଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଉଥିବା ଦେଖା ଯାଇଥିଲା। ନବୀନ ପଟ୍ଟନାୟକ ଜିନ୍ଦାବାଦ, ଶଙ୍ଖ ଚିହ୍ନ ଜିନ୍ଦାବାଦ, ଦିଲ୍ଲୀପ ଭାଇ ଆମର ନେତା ପ୍ରଭୃତି ନାରାରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହେଉଥିଲା। ମିଶନ ୨୪ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ନିମାପଡା ବିଧାନସଭା ଆସନ ପାଇଁ ବିଜୁ ଜନତାଦଳ ପକ୍ଷରୁ ଦିଲ୍ଲୀପ ଆଜି ନାମାଙ୍କନ ପତ୍ର ତଥା ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ହଜାର ହଜାର ସମର୍ଥକ ଓ ବିଜେଡି ପ୍ରେମୀଙ୍କ ବ୍ୟତୀତ ସମୀରଙ୍କ ଅନୁଗତ କୁହା ଯାଉଥିବା ଶତାଧିକ କର୍ମୀଙ୍କୁ ଦିଲ୍ଲୀପଙ୍କ ଶୋଭାଯାତ୍ରାରେ ଦେଖିବାକୁ ମିଳିଥିଲା। ୫ହଜାରରୁ ଉର୍ଦ୍ଧ୍ୱ ବାଇକ ଏବଂ ଏକ ହଜାରରୁ ଉର୍ଦ୍ଧ୍ୱ କାର, ଅଟୋ ଆଦିରେ ସମର୍ଥକ ମାନେ ଆସି ରାଲିରେ ସାମିଲ ହୋଇଥିଲେ। ଗୋପ ବ୍ଲକ ଅଧକ୍ଷା ଝୁନୁ ମଲ୍ଲିକ, ସାସଂଦ ପ୍ରତିନିଧି ତଥା ଗୋପବ୍ଲକ ପଞ୍ଚାୟତ ସଭାପତି ସୁକାନ୍ତ ମହାନ୍ତି, ପୁନେଶ ସେନାପତି, କରୁଣାକର ସାହୁ, ପ୍ରହଲ୍ଲାଦ ସ୍ୱାଇଁ, ଏନଏସି ଅଧ୍ୟକ୍ଷା ସସ୍ମିତା ସାହୁଙ୍କ ସମେତ ନିମାପଡ଼ା ଗୋପବ୍ଲକର ବରିଷ୍ଠ ନେତା, ନେତ୍ରୀ ପ୍ରମୁଖ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଆମ ଉପରେ ରହିଛି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଭରଷା ବିଶ୍ୱାସକୁ ପାଥେୟ କରି ଆଜି ଯେଉଁଭଳି ସମର୍ଥନ ଦେଖିବାକୁ ମିଳୁଛି ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି ଯେ, ଏଥର ନିଶ୍ଚୟ ଯୋଡ଼ା ଶଙ୍ଖର ବିଜୟ ହେବ, ନବୀନ ପଟ୍ଟନାୟକ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ଏଥିରେ କିଛି ଦ୍ବିମତ ନାହିଁ ବୋଲି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକ ତାଙ୍କ ପ୍ରତିକ୍ରିୟା ରେ କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ