୩୩୪୫ ଚାଷୀଙ୍କୁ ମିଳିନି ଟୋକନ, ଚାଷୀଙ୍କ ଠାରୁ ଧାନ କିଣା ପ୍ରହସନ

ହାଟଡ଼ିହି : ରାଜ୍ୟ ସରକାର ଚାଷୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଚାଷୀଙ୍କ ଠାରୁ ସରଳ ଉପାୟରେ ଧାନ କିଣିବାପାଇଁ ଟୋକନ ବ୍ୟବସ୍ଥା କରିଥିବାବେଳେ ଏହି ଟୋକନ ବ୍ୟବସ୍ଥା ପାଇଁ ହାଟଡିହି ବ୍ଲକର ହଜାର ହଜାର ଚାଷୀ ଆଜି ଧାନ ବିକିବାରୁ ବଞ୍ଚିତ ହୋଇ ଦଲାଲଙ୍କ ଦ୍ୱାରା ଶୋଷିତ ହେଉଛନ୍ତି । ଡିସେମ୍ବର ମାସରେ ଧାନ ବିକିବା ପାଇଁ ବ୍ଲକରେ ୮ଟି ସମିତି ମାଧ୍ୟମରେ ଧାନମଣ୍ଡି ଖୋଲାଯାଇ ଚାଷୀଙ୍କ ଠାରୁ ଧାନ କିଣିବାର ବ୍ୟବସ୍ଥା କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ମଣ୍ଡିରେ ଟାର୍ଗେଟ ସମ୍ପୁର୍ଣ୍ଣ ହୋଇନଥିବାବେଳେ କେଉଁଦିନ ୫୦ଜଣ ଚାଷୀଙ୍କ ଟୋକନ ଆସୁଛି ତ ଆଉ ଚାଷୀ ସବୁ ଭକୁଆ ଭଳି ଚାହିଁ ବସିଛନ୍ତି । ଧାନ କିଣାବିକାରେ ସ୍ୱଚ୍ଛତା ପାଇଁ ଟୋକନ ବ୍ୟବସ୍ଥା ହୋଇଥିବାବେଳେ ଯେଉଁ ଚାଷୀ ନାମ ପଞ୍ଜିକରଣ କରିଥିବେ ସେହି ଚାଷୀଙ୍କର ନାମ ଭେରିଫାଏଡ ହୋଇ ଟୋକନ ଆସିବାପରେ ମଣ୍ଡିରେ ଧାନଦେବାର ବ୍ୟବସ୍ଥା କରାଯାଇଛି । କିନ୍ତୁ ଏବେ ସୁଧା ବ୍ଲକରେ ବିଭିନ୍ନ ସମିତିରେ ପଞ୍ଜିକୃତ ହୋଇଥିବା ୩୩୪୫ଜଣ ଚାଷୀ ଟୋକନ ପାଇବାରୁ ବଞ୍ଚିତ ହୋଇ ଧାନ ବିକିବାରୁ ବଞ୍ଚିତ ହୋଇଛନ୍ତି । ଡଅଁର ସମବାୟ ସମିତିରେ ୧୪୮୯ଜଣ ଚାଷୀ ନାମ ପଞ୍ଜିକୃତ କରିଥିବାବେଳେ ୯୪୬ଜଣ ଚାଷୀଙ୍କୁ ଟୋକନ ମିଳିଛି । ସେମାନେ ୫୨ହଜାର ୨୩୫କୁିଣ୍ଟାଲ ଧାନ ବିକ୍ରୀ କରିପାରିଛନ୍ତି । ଆହୁରି ୫୪୩ଜଣ ଚାଷୀ ଟୋକନ ପାଇବାକୁ ଚାହିଁ ବସିଛନ୍ତି । ସେହିପରି ବଡରମ୍ପାସ ମଣ୍ଡିରେ ୧୩୮୮ଚାଷୀ ନାମ ପଞ୍ଜିକୃତ କରିଥିବାବେଳେ ୮୮୬ଜଣ ଚାଷୀଙ୍କ ଠାରୁ ୬୦୯୪୧ କୁଇଣ୍ଟାଲ ଧାନ କ୍ରୟ ହୋଇଛି । ଏଠାରେ ଆହୁରି ୫୦୨ଜଣ ଚାଷୀ ଟୋକନ ପାଇବାକୁ ଥିବାବେଳେ ସେମାନେ ଧାନ ଅମଳକରି ଖଳାବାଡିରେ ପକାଇ ରଖିଛନ୍ତି । ସେହିପରି ପଞ୍ଚୁଗୋଛିଆ ମଣ୍ଡିରେ ୩୩୮ଜଣ ନାମ ପଞ୍ଜିକୃତ କରିଥିବାବେଳେ ୨୧୯ଜଣ ଚାଷୀଙ୍କୁ ଟୋକନ ଦିଆଯାଇ ସେମାନଙ୍କ ଠାରୁ ୧୧୩୨୯ କୁଇଣ୍ଟାଲ ଧାନ କ୍ରୟ କରାଯାଇଛି । ଆହୁରି ୧୧୯ଜଣ ଚାଷୀ ଟୋକନ ପାଇବାରୁ ବଞ୍ଚିତ ହୋଇଛନ୍ତି । ସେହିପରି ମରୈଗାଁରେ ୭୪୩ଜଣ ଚାଷୀ ନାମ ପଞ୍ଚିକୃତ କରିଥିବାବେଳେ ୪୧୨ଜଣଟୋକନ ପାଇଥିବାବେଳେ ଆହୁରି ୩୩୧ଜଣ ଚାଷୀ ଟୋକନ ପାଇବାରୁ ବଞ୍ଚିତ ହୋଇଛନ୍ତି । ସଢ଼ାରେ ୧୦୧୮ଜଣ ଚାଷୀ ନାମ ପଞ୍ଜିକୃତ କରିଥିବାବେଳେ ୬୮୯ ଜଣ ଚାଷୀ ଟୋକନ ପାଇ ଧାନ ବିକ୍ରୀ କରିଥିବାବେଳେ ୩୨୯ଜଣ ଚାଷୀ ଟୋକନ ପାଇ ନାହାନ୍ତି । ସମଣାରେ ୭୭୨ଜଣ ନାମ ପଞ୍ଜିକୃତ କରିଥିବାବେଳେ ୫୨୧ଜଣଙ୍କ ଠାରୁ ଧାନ କିଣାଯାଇଛି ଓ ଆହୁରି ୨୫୧ଜଣ ଚାଷୀ ଟୋକନ ପାଇପାରି ନାହାନ୍ତି । ସେହିପରି ସୋସୋରେ ୧୦୮୦ଜଣ ଚାଷୀ ନାମ ପଞ୍ଜିକୃତ କରିଥିବାବେଳେ ୬୩୨ଜଣ ଚାଷୀଙ୍କ ଠାରୁ ଧାନ କ୍ରୟ ହୋଇଛି ଓ ଆହୁରି ୪୪୮ଜଣ ଚାଷୀ ସେମାନଙ୍କ ଧାନ ବିକିବାକୁ ଚାହିଁ ବସିଛନ୍ତି । ବାଙ୍ଗୋର ସମିତିରେ ୧୨୫୧ଜଣ ଚାଷୀ ନାମପଞ୍ଜିକୃତ କରିଥିବାବେଳେ ୪୨୯ ଜଣଙ୍କ ଠାରୁ ଧାନ କ୍ରୟ ହୋଇଛି ଓ ଆହୁରି ୮୨୨ଜଣ ଚାଷୀ ଟୋକନ ପାଇ ନଥିବାରୁ ଧାନ ବିକ୍ରୀରୁ ବାଦ ପଡିଛନ୍ତି । ଫଳରେ ଚାଷୀମାନେ ଋଣ କରଜ ସୁଝିବାକୁ ବାଧ୍ୟ ହୋଇ ଦଲାଲଙ୍କ ମାଧ୍ୟମରେ ୧୧ଶହ ଟଙ୍କା ଦରରେ ବିକିବାକୁ ବାଧ୍ୟ ହେଉଛନ୍ତି । ରାଜ୍ୟ ସରକାର ଚାଷୀର ସ୍ୱାର୍ଥକୁ ଗୁରୁତ୍ୱ ଦେଉଥିବାବେଳେ ଏହି କ୍ଷେତ୍ରରେ ଚାଷୀମାନେ କିପରି ସେମାନଙ୍କର ବର୍ଷକର କଷ୍ଟୋପାର୍ଜିତ ଫସଲକୁ ବିକ୍ରିକରି ପରିବାର ପ୍ରତିପୋଷଷ କରିବେ ସେନେଇ ସରକାର ଓ ଜିଲ୍ଲାପ୍ରଶାସନ ଗୁରୁତ୍ୱ ଦେବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ