୩୪ତମ କୋଣାର୍କ ଉତ୍ସବର ଦ୍ଵିତୀୟ ସନ୍ଧ୍ୟା
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସୂର୍ଯ୍ୟମନ୍ଦିରର ପାଦଦେଶରେ ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ୩୪ତମ କୋଣାର୍କ ଉତ୍ସବର ଆଜି ଥିଲା ଦ୍ଵିତୀୟ ସନ୍ଧ୍ୟା। ଦ୍ବିତୀୟ ସନ୍ଧ୍ୟାର ପ୍ରଥମାର୍ଦ୍ଧରେ ବିଖ୍ୟାତ କୁଚିପୁଡ଼ି ନୃତ୍ୟ ଶିଳ୍ପୀ ପଦ୍ମଶ୍ରୀ ଗୁରୁ ଜୟରାମ ରାଓ ଓ କୁଚିପୁଡ଼ି ଡ୍ଯାନ୍ସ ଏକାଡେମୀର କଳାକାର ମାନେ ନଟରାଜ ଶିବଙ୍କ ଉପରେ ନୃତ୍ୟ ପରିବେଷଣ କରିଥିଲେ। ନଟରାଜ ଶିବ ହଁ ସକଳ ଶକ୍ତିର ଆଧାର ଓ ଓଁକାର ବ୍ରହ୍ମଙ୍କ ଉପାସନା ମୋକ୍ଷର ମାର୍ଗକୁ ଉନ୍ମୋଚନ କରିଥାଏ। ଏହି ତତ୍ତ୍ୱ ଉପରେ ଆଧାରିତ ଓଁକାରମ୍ କୁ କଳାକାର ମାନେ ନିଖୁଣ ଭାବରେ ପରିବେଷଣ କରିଥିଲେ ଯାହା ମୁକ୍ତାକାଶ ରଙ୍ଗମଞ୍ଚରେ ଉପସ୍ଥିତ ପର୍ଯ୍ୟଟକ ମାନଙ୍କୁ ବିଶେଷ ଭାବରେ ଆଦୃତ ହୋଇଥିଲା। ପ୍ରଥମାର୍ଦ୍ଧର ଦ୍ବିତୀୟ ଚରଣରେ କୁଚିପୁଡ଼ି ଡ୍ଯାନ୍ସ ଏକାଡେମୀର କଳାକାର ମାନେ ଶ୍ରୀଗୀତଗୋବିନ୍ଦ ଅଷ୍ଟପଦୀ ଉପରେ ଆଧାରିତ ଦଶାବତାର ପରିବେଷଣ କରିଥିଲେ। ଶେଷ ଚରଣରେ ଦୁର୍ଗା ତରଙ୍ଗମ୍ ଓ ତିଲ୍ଲାନା ଯାହା କୁଚିପୁଡ଼ି ଶାସ୍ତ୍ରୀୟତା ସିଦ୍ଧ ଶୁଦ୍ଧତା ଉପରେ ଆଧାରିତ ଥିଲା। ଦେଶ ଓ ଦେଶବାସୀ ପାଇଁ ଉତ୍ସର୍ଗୀକୃତ ତିଲ୍ଲାନାରେ ଦେଶଭକ୍ତିର ପରଶ ଖୁବ ଆକର୍ଷଣୀୟ ଓ ମନ ମୁଗ୍ଧକର ଥିଲା। ଦ୍ବିତୀୟ ସନ୍ଧ୍ୟାର ଦ୍ଵିତୀୟାର୍ଦ୍ଧରେ ବିଶିଷ୍ଟ ଓଡିଶୀ ନୃତ୍ୟ ବିଦୁଷୀ ପଦ୍ମଶ୍ରୀ ରଞ୍ଜନା ଗୌହର ଓ ଉତ୍ସବ ସମାଜ ନୂଆଦିଲ୍ଲୀର ଓଡିଶୀ ନୃତ୍ୟ ଶିଳ୍ପୀ ମାନେ ଓଡିଶୀ ନୃତ୍ୟରେ ରାଧାକୃଷ୍ଣ ପ୍ରୀତି ବିଳାସର ଭାବ ଉପରେ ଆଧାରିତ ରାଧାରାଣୀ ସଙ୍ଗେ ନାଚେ ମୁରଲୀ ପାଣି ଚମତ୍କାର ଭାବେ ପରିବେଷଣ କରାଯାଇଥିଲା। ପରେ ପରେ ଓଡିଶୀ ନୃତ୍ୟରେ ଶୁଦ୍ଧ ନୃତ୍ୟ ପଲ୍ଲବୀ କଳାକାର ମାନଙ୍କ ଦ୍ଵାରା ପରିବେଷିତ ହୋଇଥିଲା। କୋଣାର୍କ ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଅତିଥି ଭାବରେ ଓଡିଶା ପୋଲିସ ମହାନିର୍ଦ୍ଦେଶକ ସୁନିଲ କୁମାର ବଂଶଲ, ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସଭାପତି ଗୁରୁ ଅରୁଣା ମହାନ୍ତି ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଏହାର ଶୁଭାରମ୍ଭ କରିଥିଲେ। ୧୩ତମ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବର ଆଜି ଥିଲା ଦ୍ଵିତୀୟ ଦିବସ। ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ବେଳାଭୂମି କୂଳରେ ଦେଶ ବିଦେଶରୁ ଆସିଥିବା ବାଲୁକା ଶିଳ୍ପୀ ମାନେ ପରିବେଶ ପର୍ଯ୍ୟଟନ ଉପରେ ନିଖୁଣ ଭାବରେ ବାଲୁକା କଳା ପ୍ରଦର୍ଶନ କରିଥିଲେ। ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଦେଖିବାକୁ ଚନ୍ଦ୍ରଭାଗା ବେଳାଭୂମି କୂଳରେ ପର୍ଯ୍ୟଟକ ମାନଙ୍କ ଭିଡ ପରିଲକ୍ଷିତ ହୋଇଥିଲା ।କୋଣାର୍କ ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଉଦଘୋଷକ ଭାବେ ଡଃ ମୃତ୍ୟୁଞ୍ଜୟ ରଥ ଓ ସଂହତି ପାଣି କାର୍ଯ୍ୟକ୍ରମ ଉପସ୍ଥାପନା କରିଥିବା ବେଳେ ଡଃ ସଙ୍ଗୀତା ଗୋସାଇଁ, ପୁରୀ ଜିଲ୍ଲା ସହକାରୀ ପର୍ଯ୍ୟଟନ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀଙ୍କ ସମେତ ପର୍ଯ୍ୟଟନ ବିଭାଗର ପଦାଧିକାରୀ ଓ ଓଡିଶା ସଙ୍ଗୀତ ନାଟକ ଏକାଡ଼େମୀର ପଦାଧିକାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।


