୩୮ ଛୁଇଁଲା ଆଳୁ
ଭୁବନେଶ୍ୱର: ପିଆଜ ପରେ ଏବେ ଆଳୁ ବଜାରରେ ନିଆଁ ଲାଗିଛି । ଆଳୁ ଦର ପିଆଜକୁ ସୋମବାର ଗୋଡ଼ାଇ ୩୮ ଟଙ୍କାରେ ପହଞ୍ଚିଯାଇଛି । ଆଳୁର ଏଭଳି ବେଲଗାମ ଦରବୃଦ୍ଧି ଯୋଗୁଁ ଗରିବ ଓ ମଧ୍ୟବିତ୍ତ ପରିବାର ମୁଣ୍ଡରେ ଚଡ଼କ ପଡ଼ିଛି । ରବିବାର ରାଜଧାନୀ କୁବେରପୁରୀ ମଣ୍ଡିରେ ଆଳୁ କୁଇଣ୍ଟାଲ ୨୪୦୦ ରୁ ୨୫୦୦ ଟଙ୍କାରେ ବିକ୍ରି ହୋଇଛି । ହୋଲସେଲ ଦର କିଲୋ ପିଛା ୨୫ ଟଙ୍କା ରହିଥିଲା । କିନ୍ତୁ ଖୁଚୁରା ବଜାରରେ ଏହା ୩୫ ଟଙ୍କା ଛୁଇଁ ଯାଇଥିଲା । ସକାଳ ପାହିଲା ବେଳକୁ ଏହାର ଦର ଖୁଚୁରା ଦୋକାନରେ ସର୍ବାଧିକ ୩୮ ଟଙ୍କାରେ ବିକ୍ରି ହେଉଛି। ରାଜଧାନୀରେ ଦୈନିକ ୩୦୦ ଟନ୍ ଆଳୁର ଆବଶ୍ୟକତା ରହିଛି । କିନ୍ତୁ କୁବେରପୁରୀ ମଣ୍ଡିକୁ ରବିବାର ୪୫୦ ଟନ୍ ଆଳୁ ଆମଦାନୀ ହୋଇ ଆସିଥିଲା । ଆଳୁ ପାଇଁ ଓଡ଼ିଶା ସବୁଠୁ ଅଧିକ ନିର୍ଭର କରେ ପଶ୍ଚିମବଙ୍ଗ ଉପରେ । ପଶ୍ଚିମବଙ୍ଗର ଦୁର୍ଗାପୁର, ହାବ୍ରା, ଜଙ୍ଗିପୁର, କାଲୀପୁର, କରିମପୁର ଭଳି ୮ଟି ପ୍ରମୁଖ ବଜାରରୁ ଆଳୁ ଓଡ଼ିଶାକୁ ଆସେ । ତେବେ ଏବେ ପଶ୍ଚିମବଙ୍ଗରେ ଆଳୁ ମହଜୁଦ କମ ରହିଛି । ଶୀତଳ ଭଣ୍ଡାରରୁ ଏବେ ଖାଲି ହୋଇଯାଇଛି । ଯେଉଁ କିଛି ଜାଗାରେ ପୁରୁଣା ଆଳୁ ଷ୍ଟୋରେଜ ହୋଇ ରହିଛି ସେଠାରେ ଆଳୁ ଦର ଉଚ୍ଚା ରହିଛି । ପଶ୍ଚିମବଙ୍ଗରୁ ଯେଉଁ ପୁରୁଣା ଆଳୁ ଆସୁଛି ତାର ଦର ବଢ଼ିଛି । କେବଳ ଷ୍ଟୋରେଜ କରୁଥିବା ବ୍ୟବସାୟୀ ନୁହଁନ୍ତି ଚାଷୀମାନେ ବି ଏବେ ଆଳୁ ଦର ଅଧିକରେ ବିକ୍ରି କରୁଛନ୍ତି ।


