୩ ପଜିଟିଭ୍ ଚିହ୍ନଟ ଘରୋଇ ନର୍ସିଂହୋମ୍ ସିଲ୍
ପାରଳା ସହରର ସମସ୍ତ ହୋମ୍କୁ ପ୍ରଶାସନର ତଦାରଖ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ନିର୍ଦ୍ଦେଶକ୍ରମେ ୩ଜଣ କରୋନା ପଜିଟିଭ୍ ଚିହ୍ନଟ ପରେ ପାରଳାଖେମୁଣ୍ଡି ସହରର ଏକ ଘରୋଇ ନର୍ସିଂହୋମ୍କୁ ଆଜି ସିଲ୍ କରାଯାଇଛି । ଏଥିସହ ସହରରେ ଥିବା ସମସ୍ତ ନର୍ସିଂହୋମ୍କୁ ପ୍ରଶାସନର ଏକ ସ୍ୱତନ୍ତ୍ର ଟିମ୍ ସମସ୍ତ ଅନୁଧ୍ୟାନ ଓ ତଦାରଖ କରିଥିବା ସୁଚନା ମିଳିଛି । ଏହି ସ୍ୱତନ୍ତ୍ର ଟିମ୍ରେ ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ପି.କେ.ପାତ୍ର,ପାରଳା ଥାନା ଅଧିକାରୀ ବିବେକା ନନ୍ଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ପାରଳାଖେମୁଣ୍ଡି ସହରର ଏକ ଘରୋଇ ନର୍ସିଂହୋମ୍ରେ ୩ଜଣ କରୋନା ସଂକ୍ରମଣ ଚିହ୍ନଟ ଯୋଗୁଁ ଏହି ଟିମ୍ ସେଠାରେ ପହଞ୍ଚି ସିଲ୍ କରିଛନ୍ତି । ଏଥିସହ ଏମାନେ ଅନ୍ୟ ସମସ୍ତ ଘରୋଇ ନର୍ସିଂହୋମ୍ ଗୁଡିକୁ ପରିଦର୍ଶନ କରି ସମସ୍ତ ଅନୁଧ୍ୟାନ ଏବଂ ତଦାରଖ କରିଛନ୍ତି । ଏହି ନର୍ସିଂହୋମ୍ ଗୁଡିକରେ କରୋନାକୁ ପ୍ରତିହତ କରୁଥିବା ସମସ୍ତ ପ୍ରକାର ସାବଧାନତା ଅବଲମ୍ବନ କରାଯାଉଛି ନା ନାହିଁ ତାହା ତଦାରଖ କରାଯାଇଥିଲା । ସେହିପରି ଏହି ଟିମ୍ ସମସ୍ତ ହୋମ୍ରେ କରୋନା ଜନିତ ସମସ୍ତ ସୁରକ୍ଷା ବ୍ୟବସ୍ଥା ଯଥା- ସାମାଜିକ ଦୁରତା ରକ୍ଷା କରିବା,ସମସ୍ତ କିଟ୍ ପରିଧାନ କରିବା,ସାନିଟାଇଜର ବ୍ୟବହାର କରିବା ଇତ୍ୟାଦି ଉପରେ ବିଶେଷ କରି ଗୁରତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।