୫ଟି ସ୍କୁଲ ନବୀକରଣ ନାମରେ ବ୍ୟାପକ ଚଞ୍ଚକତା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପିଲାଙ୍କୁ ଉତ୍ତମ ଶିକ୍ଷା ଏବଂ ଉନ୍ନତ ଶୈକ୍ଷିକ ବାତାବରଣ ସୃଷ୍ଟି କରିବାକୁ ରାଜ୍ୟରେ ୫ଟି ଯୋଜନାରେ ସ୍କୁଲଗୁଡିକୁ ନବୀକରଣ ନାମରେ ବ୍ୟାପକ ଦୁର୍ନୀତି ଓ ଚଞ୍ଚକତା ନାମରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ହେଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ରାୟଗଡ ବ୍ଲକର ଅମେଡା ସରକାରୀ ହାଇସ୍କୁଲର ରୂପାନ୍ତରଣ ହୋଇଥିଲା । କିନ୍ତୁ ଉଦଘାଟନକୁ ମାସ କେଇଟା ନପୁରୁଣୁ ସ୍କୁଲର କାନ୍ଥ ଫାଟି ଆଁ କଲାଣି । ରୂପାନ୍ତରଣ କାର୍ଯ୍ୟରେ ୨୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଏ ଯାଏଁ ଏଠି ବିଦ୍ୟୁତ ସଂଯୋଗ ହୋଇପାରିନି କି ପାନୀୟ ଜଳର ମଧ୍ୟ ସୁବିଧା ନାହିଁ । ସ୍କୁଲ ରୂପାନ୍ତରଣ କେବଳ ରଙ୍ଗ କାମରେ ହିଁ ସୀମିତ ରହିଯାଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଗଜପତି ଜିଲ୍ଲା ରାୟଗଡ ବ୍ଲକର ଅମେଡା ସରକାରୀ ହାଇସ୍କୁଲ । ୨୦୨୧ ମସିହାରେ ସ୍ଥାପିତ ହୋଇଥିବା ଏହି ହାଇସ୍କୁଲକୁ ୫ଟି ଉପକ୍ରମରେ ରୂପାନ୍ତରଣ କରାଯାଇଛି । ଗତ ମେ’ ୪ ତାରିଖ ଦିନ ଏହାର ଉଦଘାଟନ ହୋଇଥିଲା । ରୂପାନ୍ତରଣ କାର୍ଯ୍ୟରେ ୨୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଏହା କେବଳ ରଙ୍ଗ କାମରେ ହିଁ ସୀମିତ ରହିଯାଇଛି । ସ୍କୁଲର ଅନ୍ୟ କୌଣସି ପରିବର୍ତ୍ତନ ହୋଇପାରିନି । ୨୩୨ ଜଣ ଛାତ୍ରଛାତ୍ରୀ ଥିବା ନୂତନ କୋଠାରେ କେବଳ ନବମ ଓ ଦଶମ ଶ୍ରେଣୀର ପିଲା ପଢ଼ି ପାରୁଛନ୍ତି । କୋଠାର ମରାମତି ଏବଂ ରଙ୍ଗ କାମ ଏଭଳି ହୋଇଛି ଯେ, ଉଦଘାଟନର ମାତ୍ର ୨ ମାସ ମଧ୍ୟରେ ସ୍କୁଲ କାନ୍ଥ ଫାଟି ଆଁ କଲାଣି । ନିମ୍ନମାନର କାର୍ଯ୍ୟ ଯୋଗୁଁ ଏପରି ହୋଇଥିବା ଅଭିଯୋଗ ହୋଇଛି ।
ସ୍କୁଲ ୫ଟି ରେ ରୂପାନ୍ତରଣ ହେଲେ ସ୍ମାର୍ଟ ହେବ ବୋଲି କୁହାଯାଉଥିବାରୁ ସ୍କୁଲ କାମ ଉଚ୍ଚ ମାନର ହେବ ବୋଲି ଆଶା କରାଯାଉଥିଲା । କିନ୍ତୁ କିପରି ନିମ୍ନମାନର କାର୍ଯ୍ୟ ହେଉଛି ତାହା ଅମେଡା ସରକାରୀ ହାଇସ୍କୁଲ ଦେଖିଲେ ସ୍ପଷ୍ଟ ହେଉଛି । କେବଳ ସେତିକି ନୁହେଁ, ସ୍କୁଲକୁ ଆସିଥିବା କମ୍ପ୍ୟୁଟର ଏବଂ ବିଜ୍ଞାନ ଉପକରଣ ପ୍ରଭୃତି ସେମିତି ପ୍ୟାକିଂ ହୋଇ ରହିଛି । ଏହି ସାମଗ୍ରୀଗୁଡିକର ସିଲ୍ ମଧ୍ୟ ଖୋଲାଯାଇ ନାହିଁ । ଏଭଳି ସ୍ଥିତିରେ ସ୍କୁଲର ଉଦଘାଟନ କିଭଳି ହେଲା ତାହାକୁ ନେଇ ପ୍ରଶ୍ନ ଉଠିଛି ।
ଏନେଇ ସ୍କୁଲର ପ୍ରଧାନ ଶିକ୍ଷକ ବିଘ୍ନେଶ୍ବର ସାହୁ ଏବଂ ସିଆରସିସି ନରେଶ ପ୍ରଧାନ କହିଛନ୍ତି ଯେ, ବିଦ୍ୟୁତ୍ ସଂଯୋଗ ପାଇଁ ଆବେଦନ ହୋଇଛି । କିନ୍ତୁ ତାହା ଆଜି ଯାଏଁ ହୋଇପାରିନି । ବିଦ୍ୟୁତ୍ ସଂଯୋଗ ହେଲେ ହିଁ ସ୍କୁଲର ବଳକା କାମ ହୋଇପାରିବ । ତେବେ ୫ଟି ସଚିବ ଏବଂ ସରକାରଙ୍କୁ ଖୁସି କରିବା ପାଇଁ ପ୍ରଶାସନ ଅଧପନ୍ତରିଆ କାମରେ ସ୍କୁଲର ଉଦଘାଟନ କରିଥିବା ଅନୁମାନକୁ ଏଡାଇ ଦିଆଯାଇନପାରେ । ତେବେ ଏହି ହାଇସ୍କୁଲର ସମସ୍ୟା କେବେ ସମାଧାନ ହେଉଛି ତାହା ଦେଖିବାକୁ ବାକି ରହିଲା।


