୫ମ ଦିନରେ ଛଟେଇ ଶ୍ରମିକଙ୍କ ଧାରଣ, ଗୁହାରି ଶୁଣିବାକୁ କେହି ନାହାନ୍ତି

ଯୋଡା, (ସମୀର କୁମାର ଦାସ):ଯୋଡା ଖଣିମଣ୍ଡଳ ଜୁରୁଡିସ୍ଥିତ ଓଡିଶା ଖଣି ନିଗମର ଜିଲିଂ-ଲଙ୍ଗାଲଟା ଲୌହ ଓ ମାଙ୍ଗାନିଜ ଖଣିରେ ଛଟେଇ ଶ୍ରମିକଙ୍କୁ ପୁନଃନିଯୁକ୍ତି ପାଇଁ କେନ୍ଦୁଝର ମାଇନ୍ସ ଏଣ୍ଡ ଫରେଷ୍ଟ ୱାର୍କର୍ସ ୟୁନିୟନ ପକ୍ଷରୁ ଦିଆଯାଇଥିବା ଧାରଣା ସୋମବାର ୫ମ ଦିନରେ ପହଁଚିଛି । ଖଣିର ମୁଖ୍ୟ ଗେଟ୍ ସମ୍ମୁଖରେ ଶ୍ରମିକ ସଂଘର ଶତାଧିକ ମହିଳା ପୁରୁଷ ଗତ ୨୫ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି । ଧାରଣାର ୫ମ ଦିନ ବିତିଯାଇଥିଲେ ହେଁ, ଗରିବ ନିଷ୍ପେସିତ ଖଣି ଶ୍ରମିକଙ୍କ ଦୁଃଖ ଏବଂ ଗୁହାରି ଶୁଣିବା ପାଇଁ, ପ୍ରଶାସନିକ ସ୍ତରରେ କିମ୍ବା ଓଡିଶା ଖଣି ନିଗମ ସ୍ତରରୁ କୌଣସିି ଆଲୋଚନା ଏଯାବତ ହୋଇନାହିଁ । ପ୍ରବଳ ଖରା ସହି, ଧୂଳିଧୂଆଁ ଖାଇ ଶ୍ରମିକମାନେ ନିଜର ଦାବି ପୂରଣ ନେଇ ସେଠାରେ ଅହରାତ୍ର ବସି ରହିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୨୦ ମସିହା ପୂର୍ବରୁ ଏହି ଜିଲିଂ-ଲଙ୍ଗାଲଟା ଖଣିକୁ ଏସେଲ ମାଇନିଂ ଏଣ୍ଡ ଇଣ୍ଡଷ୍ଟ୍ରିଜ୍ ଲିଜ୍‌ରେ ଚଳାଇ ଆସୁଥିଲେ । ଖଣି ନିଲାମ ପରେ ଏହି ଖଣିକୁ ଶ୍ୟାମ ଷ୍ଟିଲ ନାମକ ଏକ କମ୍ପାନୀ ନିଲାମ ଡାକରାରେ ହାତେଇଥିଲା । ମାତ୍ର ଖଣି ଚଳାଇବାରେ ଅସମର୍ଥ ହେବାରୁ ଏହି ଖଣିଟିକୁ ରାଜ୍ୟ ସରକାରଙ୍କର ଓଡିଶା ଖଣି ନିଗମ(ଓଏମ୍‌ସି) କୁ ଖଣି ଚଳାଇବାକୁ ଦିଆଯାଇଛି । ରାଜ୍ୟ ସରକାରଙ୍କର ଏକ ସରକାରୀ ନିଗମ ହୋଇ ମଧ୍ୟ ସ୍ଥାନୀୟ ନିଯୁକ୍ତିକୁ ଉପେକ୍ଷା କରିବା ସହ ଏହି ଖଣିରେ ପୂର୍ବରୁ କାର୍ଯ୍ୟ କରୁଥିବା ପ୍ରାୟ ୧୮୫୦ ଖଣି ଶ୍ରମିକଙ୍କୁ ପୁନଃ ନିଯୁକ୍ତି ନଦେଇ ଅଣଦେଖା କରୁଥିବା ବରିଷ୍ଠ ଶ୍ରମିକ ନେତା ମହେଶ୍ୱର ରାଉତ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦ ରେ ଶ୍ରମିକ ସଂଘ ପକ୍ଷରୁ ନିଯୁକ୍ତି ଦାବିକରି ଧାରଣା ଦିଆଯାଇଛି । ଶ୍ରମିକ ନେତା କପିଳ ମହାନ୍ତି, ରାଜାରାମ ମୁଣ୍ଡା, କାହ୍ନୁଚରଣ ସାମଲ ପ୍ରମୁଖ କହିଛନ୍ତି ଯେ, ରାଜ୍ୟ ସରକାର ଆଦିବାସୀ ମାନଙ୍କର ଉନ୍ନତି ପାଇଁ ଓ ସେମାନଙ୍କୁ ରୋଜଗାର ଦେବାପାଇଁ ଯୋଜନା ପ୍ରସ୍ତୁତ କରୁଥିବାବେଳେ ଖଣି ଅଂଚଳରେ ସବୁ ଫେଲ୍ ମାରୁଛି । ହଜାର ହଜାର ଶ୍ରମିକ ଖଣି ନିଲାମ ଫଳରେ ବେରୋଜଗାର ହୋଇଯାଇଛନ୍ତି । ତେଣେ ଖଣି ନିଲାମ ପୂର୍ବରୁ ଖଣିରେ କାର୍ଯ୍ୟରତ ଶ୍ରମିକ ମାନଙ୍କର ପୁନଃନିଯୁକ୍ତିକୁ ନେଇ କୌଣସି ସ୍ପଷ୍ଟ ନୀତି ରାଜ୍ୟ ସରକାର ଓ କେନ୍ଦ୍ର ସରକାର କରିନଥିବାରୁ ଖଣି ଅଂଚଳରେ ଶ୍ରମିକଙ୍କ ଭବିଷ୍ୟତ ଅନ୍ଧକାର ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ