୫୩ନଂ ରାଜ୍ୟ ରାଜପଥ କପାଳୀ ବ୍ରିଜ୍ର ଦୁଇ ମୁଣ୍ଡରେ ନିର୍ମାଣ ହୋଇନି ପ୍ରୋଟେକ୍ସନ୍ ୱାଲ୍
ବନ୍ତ, (ଚାନ୍ଦିନୀ ମହାନ୍ତି) : ଭଦ୍ରକ -ଆନନ୍ଦପୁର ୫୩ନଂ.ରାଜ୍ୟ ରାଜପଥର ବନ୍ତ ବ୍ଲକ ଅଧିନ ଟିଲୋ ବଡ ସାହି ଠାରେ କପାଳୀ ନଦୀ ଉପରେ ନିର୍ମାଣ ହୋଇଥିବା ସେତୁର ଦୁଇ ମୁଣ୍ଡରେ ପ୍ରୋଟେକ୍ସନ୍ ୱାଲ୍ ନିର୍ମାଣ ହୋଇ ନଥିବାରୁ ବନ୍ୟା ସମୟରେ ଦୁଇ ମୁଣ୍ଡ ଭୁଷୁଡି ପଡିବା ନେଇ ସ୍ଥାନୀୟ ଅଞ୍ଚଳବାସୀ ଆଶଙ୍କା କରିଛନ୍ତି । ସେହିପରି ରାସ୍ତା ଓ ସେତୁ ନିର୍ମାଣ ବେଳେ ଅଧିକାରୀ ମାନେ ତଦାରଖ କରୁନଥିବାରୁ ମନୋମୁଖୀ କାର୍ଯ୍ୟ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ପ୍ରକାଶ ଯେ, ଗତ ୨୦୦୯ ମସିହାରେ ବିଶ୍ୱ ବ୍ୟାଙ୍କ ଅନୁଦାନରେ ଠିକାଦାରୀ ସଂସ୍ଥା ଦ୍ୱାରା ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୫ ବର୍ଷ ମଧ୍ୟରେ ଶେଷ ହେବାକୁ ଥିଲା । ମାତ୍ର ଏହା ମଧ୍ୟରେ ୧୧ ବର୍ଷ ବିତି ଯାଇଥିଲେ ମଧ୍ୟ ରାଜପଥର କେତେକ ସ୍ଥାନରେ କାର୍ଯ୍ୟ ଅଧପନ୍ତରିଆ ହୋଇ ପଡି ରହିଛି । ନିର୍ମାଣ କାର୍ଯ୍ୟ ଆରମ୍ଭ ଠାରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩ରୁ ୪ଟି ଠିକାଦାରୀ ସଂସ୍ଥା କାର୍ଯ୍ୟ କରି ଯାଇସାରିଲେଣି । ଗତ ୩ ବର୍ଷ ତଳେ ଜନୈକ ଠିକାଦାରୀ ସଂସ୍ଥା ଏହି ରାଜପଥର ନିର୍ମାଣ କାର୍ଯ୍ୟ ହାତକୁ ନେଇଛନ୍ତି । ଟିଲୋ ତାଳପଦା ଛକ ଠାରୁ ଗ୍ରେନ୍ଗୋଲା ଛକ ପର୍ଯ୍ୟନ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ଚାଲିଛି । ଏହି କାର୍ଯ୍ୟ ମଧ୍ୟରେ ଟିଲୋ ବଡସାହି ଠାରେ କପାଳୀ ନଦୀ ଉପରେ ଏକ ବ୍ରିଜ୍ କାର୍ଯ୍ୟ ରହିଛି । ଏବେ ଉକ୍ତ ବ୍ରିଜ୍ କାର୍ଯ୍ୟ ସରିଯାଇଥିବା ବେଳେ ଯାନବାହାନ ଚଳାଚଳ କରୁଛି । ହେଲେ ବ୍ରିଜ୍ର ଦୁଇ ମୁଣ୍ଡ ତଥା ସଂଯୋଗସ୍ଥଳ ରାସ୍ତାର ଉଭୟ ପାଶ୍ୱର୍ରେ ପ୍ରୋଟେକ୍ସନ ୱାଲ୍ ନିର୍ମାଣ କରାନଯାଇ ଖାଲି ମାଟି ପିନ୍ଧା ଯାଇଥିବା ଦେଖାଯାଇଛି । ସେହିପରି ବ୍ରିଜ୍ ମୁଣ୍ଡ ତଥା ନଦୀ ଭିତରକୁ ବାଉଁଶ ବାଡା କରାଯାଇ ମାଟି ପିନ୍ଧା ଯାଇଛି । ଏହା ଦ୍ୱାରା ବନ୍ୟା ସମୟରେ ବ୍ରିଜ୍ର ଦୁଇ ମୁଣ୍ଡ ଭୁୁଷୁଡି ପଡିବା ନେଇ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ସେହିପରି ଟିଲୋ ମାଳି ସାହି ଛକ ଠାରେ ପୁରୁଣା ରାସ୍ତାର ପିଚୁ ଉପରେ ରାସ୍ତା ନିର୍ମାଣ ହୋଇଛି । ଫଳରେ ଏହି ରାସ୍ତାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିର୍ମାଣ କାର୍ଯ୍ୟକୁ ବିଶ୍ୱ ବ୍ୟାଙ୍କର କୌଣସି ଅଧିକାରୀ ତଦାରଖ କରୁନଥିବା ଦେଖାଯାଇଛି । ଫଳରେ ନିର୍ମାଣ ଦାୟୀତ୍ୱ ନେଇଥିବା ଠିକାଦାରୀ ସଂସ୍ଥା ମନୋମୁଖୀ କାର୍ଯ୍ୟ କରୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେବେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।