୫ ଟି ମହିଳାସଂଘକୁ ୪ ଶହ କିଲୋ ଯାଆଁଳା ଓ ଖାଦ୍ୟ ବଣ୍ଟନ
ପାରଳାଖେମୁଣ୍ଡି,(ତାରିଣୀ ପଣ୍ଡା ): ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏଠିକାର ଲୋକେ ଆଗରୁ ବିଭିନ୍ନ ସମୟରେ ଜଙ୍ଗଲ କାଟି ପୋଡି ପୋଡୁ ଚାଷ କରୁଥିଲେ ।ଜଙ୍ଗଲରୁ ଝୁଣା, ମହୁଲ, ଖଲିପତ୍ର, କେନ୍ଦୁପତ୍ର, ଲାଖ, ମହୁ ଭଳି ଅନେକ ଜଙ୍ଗଲଜାତ ସାମଗ୍ରୀ ସଂଗ୍ରହ କରି ବିଭିନ୍ନ ସ୍ଥାନରେ ବିକ୍ରୀ କରୁଥିଲେ କିନ୍ତୁ ତାର ଉଚିତ ପୋଷଣ ପାଉନଥିଲେ । ଏହାକୁ ଦୃଷ୍ଟିରେ ରଖି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ପକ୍ଷରୁ ବିଭିନ୍ନ ସମୟରେ ଅଞ୍ଚଳର ଆଦିବାସୀ ଲୋକଙ୍କୁ ଏକତ୍ରିତ କରି ସେମାନଙ୍କୁ କାମ ଯୋଗାଇବା ଲକ୍ଷ୍ୟରେ ଜଙ୍ଗଲ ସୁରକ୍ଷା ପାଇଁ ପଥର ବାଡ ନିର୍ମାଣ, ମନରେଗାରେ କାମ ୍ରଆଦି କାର୍ଯ୍ୟ ପନ୍ଥା ଯୋଗାଇ ସେମାନେ ଟଙ୍କା ରୋଜଗାର କରିବାର କ୍ଷମତା ଯୋଗାଇ ଆସୁଛନ୍ତି । ସେମାନଙ୍କ ପରିବାର ପ୍ରତିପୋଷଣ ପାଇଁ ନିଜ ଜମିରେ ଚାଷ କରି ବିଭିନ୍ନ ଫଳମୂଳକ ଯଥା ବନ୍ଧା କୋବି, ବାଇଗଣ, ଫୁଲକୋବି, ବିନସ୍, ମୂଳା, ଟମାଟୋ ଭଳି ଅନେକ ବିହନ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଛି । ଯାହାରି ଫଳରେ ଲକ୍ଡାଉନ୍ ସମୟରେ ଅନେକ ପରିବାର ଚାଷବାସ କରି ବଜାରରେ ପନିପରିବା ବିକ୍ରି କରି ଭଲ ଦି’ ପଇସା ରୋଜଗାର କରିଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରକଳ୍ପ ପ୍ରଶାସନ (ଆଇଟିଡିଏ) ସରୋଜ ବେହେରାଙ୍କ ନେତୃତ୍ୱରେ ସଞ୍ଜୟ ଛଟେଇ ଅଡବା ନିକଟସ୍ଥ ପଦାଗାଁରେ ଥିବା ୩ଟି ମହିଳା ସଂଘ ମା’ ସନ୍ତୋଷୀନି ଗ୍ରୁପକୁ ଏକତ୍ରିତ କରି ମାଛଚାଷ ବିଷୟରେ ବୁଝାଇବା ସହ ୨ ଶହ କିଲୋ ଯାଆଁଳା ମାଛ, ଔଷଧ ୨୦ ପ୍ୟାକେଟ ଓ ମାଛ ଖାଦ୍ୟ ମାଗଣାରେ ବଣ୍ଟନ କରିଛନ୍ତି । ଏହି ଗ୍ରୁପ୍ ଗତବର୍ଷ ୯୦ କିଲୋ ଯାଆଁଳା ମାଛ ଚାଷ କରି ୫୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କାରେ ବିକ୍ରୀ କରି ଲାଭବାନ୍ ହୋଇଥିଲେ । ସେହିଭଳି ଶିଙ୍କୁଳିପଦର ଗ୍ରାମରେ ମଧ୍ୟ ଦୁଇଟି ମହିଳା ଗ୍ରୁପକୁ ୨ ଶହ କିଲୋ ଯାଆଁଳା ମାଛ ସହ ଖାଦ୍ୟ ବଣ୍ଟନ କରାଯାଇଛି । ଆଗକୁ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଅନେକ ଯୋଜନାରେ ମହିଳାମାନଙ୍କୁ ସାମିଲ କରି ରୋଜଗାର ପନ୍ଥା ଯୋଗାଇ ଦିଆଯିବ ବୋଲି ପ୍ରକଳ୍ପ ପ୍ରଶାସକ ଶ୍ରୀ
ବେହେରା କହିଛନ୍ତି ।


