୬୯ ଦିନ ବୁଡ଼ନ୍ତିନି ସୂର୍ଯ୍ୟ
ବିଶ୍ୱରେ ଏମିତି ଏକ ସ୍ଥାନ ରହିଛି ଯେଉଁଠି ବର୍ଷରେ ୬୯ ଦିନ ସୂର୍ଯ୍ୟ ବୁଡ଼ନ୍ତିନି । ଅବିଶ୍ୱାସ ଲାଗୁଥିଲେ ମଧ୍ୟ ସତ । ଏମିତି ଦୃଶ୍ୟ ଦେଖିବାକୁ ମିଳେ ନରୱେର ସମାରୋହ ଦ୍ୱୀପରେ । ଏଠାରେ ୧୮ ମେ’ରୁ ଜୁଲାଇ ୨୬ ପର୍ଯ୍ୟନ୍ତ ୬୯ ଦିନ ସୂର୍ଯ୍ୟ ବୁଡ଼ନ୍ତି ନାହିଁ । ଏହା ବ୍ୟତୀତ ଶୀତଋତୁରେ ୩ ମାସ ଅର୍ଥାତ ୯୦ ଦିନ ସୂର୍ଯ୍ୟ ଦେଖା ଦିଅନ୍ତିନାହିଁ । ନରୱେ ଦ୍ୱୀପ ବିଶ୍ୱର ପ୍ରଥମ ଟାଇମ୍ ଫ୍ରି ଜୋନ୍ ଭାବେ ଘୋଷଣା ହେବାକୁ ଯାଉଛି । ଏଥିପାଇଁ ସମାରୋହ ଦ୍ୱୀପରେ ବାସ କରୁଥିବା ପ୍ରାୟ ୩୦୦ ଲୋକ ଏକ ଅଭିଯାନ ଚଳାଇଛନ୍ତି । ଦ୍ୱୀପର ସମୟସୀମାରୁ ମୁକ୍ତି ପାଇବା ପାଇଁ ଟାଇମ୍ ଫ୍ରି ଜୋନ୍ ଭାବେ ଘୋଷଣା କରିବାକୁ ଜୋରଦାର୍ ପ୍ରଚାର କରୁଛନ୍ତି । ସ୍ଥାନୀୟ ଏମ୍ପି କେଣ୍ଟ୍ ଗୁଡମଣ୍ଡସ୍ମ୍ୟାନ୍ ଏହି ଅଭିଯାନକୁ ଆଗକୁ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାବ୍ୟତୀତ ଏହି ଅଭିଯାନକୁ ଡେନ୍ମାର୍କ ଏବଂ ନରର୍ଲାଣ୍ଡ ମଧ୍ୟ ସମର୍ଥନ କରିଛନ୍ତି । ଏହା ପୂର୍ବରୁ ୟୁରୋପିଆନ୍ ୟୁନିଅନ୍ ମଧ୍ୟ ୨୦୨୧ ପର୍ଯ୍ୟନ୍ତ ଡିଲାଇଟ୍ ସେଭିଂ ଟାଇମ୍ (ବର୍ଷରେ ଦୁଇ ଥର ଘଣ୍ଟାକୁ ଆଗକୁ ବଢ଼ାଇବା ପ୍ରକ୍ରିୟା) ଶେଷ କରିବାକୁ କହିଛି । ଏହି ଅଭିଯାନର ଉଦ୍ଦେଶ୍ୟ ହେଲା ଲୋକେ ଯେତେବେଳେ ଯାହା ଚାହିଁବେ କରିପାରିବେ । ନିର୍ଦ୍ଦିଷ୍ଟ ଏକ ସମୟସୀମାରେ ବାନ୍ଧି ନ ହୋଇ ସ୍କୁଲ କଲେଜ ଯିବା କିମ୍ବା ଅନ୍ୟ କାମ କରିବା ପାଇଁ ମୁକ୍ତ ରହି ପାରିବେ । ଏତଦ୍ୱ୍ୟତୀତ ନରୱେକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ସମୟ ଜଞ୍ଜାଳରେ ନ ଫସି ମୁକ୍ତ ଭାବେ ଜୀବନକୁ ଉପଭୋଗ କରିପାରିବେ ।


