୭ ଦିନରେ ଚିହ୍ନଟ ହେଲେ ୭୨, ସୁସ୍ଥ ସଂଖ୍ୟା ୩୯, ଲୋକାଲ କଂଟାକ୍ଟରୁ ୨୩
ବାରିପଦା, : ମୟୂରଭଞ୍ଜ ଜିଲ୍ଲାରେ କରୋନା ସଂକ୍ରମିତମାନଙ୍କ ସଂଖ୍ୟା ଲଗାମଛଡ଼ା ହେବା ଆରମ୍ଭ କରିଛି । ଗତ ଜୁନ ୨୮ରୁ ଜୁଲାଇ ୪ ସାତ ଦିନ ମଧ୍ୟରେ ଜିଲ୍ଲାରେ ଚିହ୍ନଟ ୭୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଲୋକାଲ କଣ୍ଟାକ୍ଟରୁ ୨୩ ଜଣ ସଂକ୍ରମିତ ହୋଇଥିବା ବେଳେ ୮ ଜଣ କୋଭିଡ଼ ଯୁଦ୍ଧା ରହିଛନ୍ତି । ଏହାବ୍ୟତୀତ ବିଶ୍ୱସ୍ତ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ବାରିପଦା ପିଆରଏମ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲରେ ଆଜି ଦନ୍ତ ବିଭାଗରେ ଡ଼ାକ୍ତରମାନଙ୍କ ସହିତ ସମସ୍ତ କର୍ମଚାରୀ କ୍ୱାରେଣ୍ଟାଇନରେ ଥିବାରୁ ବିଭାଗ ଆଜି ବନ୍ଦ ଥିବାର ପରିଲକ୍ଷିତ ହୋଇଥିଲା । ଏଥି ସହିତ ହସପିଟାଲରେ ୨ ଡ଼ାକ୍ତର ଓ ୩ ସ୍ୱାସ୍ଥ୍ୟ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବାର ଜଣାପଡ଼ିଛି । ତେବେ ଆଜି ସର୍ବାଧିକ ୨୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସମୟରେ ସଂକ୍ରମିତମାନଙ୍କ ସଂଖ୍ୟା ୨୫୩ରେ ପହଂଚିଛି । ଜିଲ୍ଲାର ବାରିପଦା ପୌରପରିଷଦ-୧, ବଡ଼ସାହି-୧, କପ୍ତିପଦା-୧, ଗୋପବନ୍ଧୁନଗର-୧, ବାରିପଦା-୧, ଶାମାଖୁଂଟା-୧, ବେତନଟୀ-୨, ଯଶୀପୁର-୨, ବିଜାତୋଳା-୩, ଖୁଂଟା-୩, କୁସୁମୀ-୩, ଶୁକୃଳି-୪ ଏବଂ କରଞ୍ଜିଆ ବ୍ଲକରୁ ସର୍ବାଧିକ ୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲାର ବିଭିନ୍ନ କ୍ୱରେଣ୍ଟାଇନ ସେଣ୍ଟରରେ ରହୁଥିବା ଅନ୍ତେବାସୀମାନଙ୍କ ଭିତରୁ କର୍ଣ୍ଣାଟକ ରାଜ୍ୟ ଫେରନ୍ତା-୫, ଗୁଜରାଟ-୧, ତେଲେଙ୍ଗାନା-୧, ମହାରାଷ୍ଟ୍ର-୧, ରାଜସ୍ଥାନ-୧, ତାମିଲନାଡ଼ୁ-୩ ଏବଂ ପଶ୍ଚିମବଙ୍ଗ ରାଜ୍ୟ ଫେରନ୍ତା- ୨ ଜଣ ଏହିପରି ମୋଟ ୧୪ ଜଣ ପ୍ରବାସୀମାନଙ୍କ ରିପୋର୍ଟ ପଜିଟିଭ ଆସିଛି । ସେହିପରି ଲୋକାଲ କଣ୍ଟାକ୍ଟରୁ ୧୨ ଜଣ କରୋନା ସଂକ୍ରମିତ ଭାବେ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ବଡ଼ସାହି, ବିଜାତୋଳା, କପ୍ତିପଦା, ବାରିପଦା ବ୍ଲକ ଓ ପୌରପରିଷଦ ପ୍ରତ୍ୟେକ ଅଞ୍ଚଳରୁ ଜଣେ ଲେଖାଏଁ ମୋଟ ୫ ଜଣ, ବେତନଟୀ ଓ ଖୁଂଟା ବ୍ଲକରୁ ୨ ଜଣ ଲେଖାଏଁ ମୋଟ ୪ ଜଣ ଏବଂ କୁସୁମୀ ବ୍ଲକ ଅଂଚଳରୁ ୩ ଜଣ ରହିଛନ୍ତି । ସେହିପରି ଶାମାଖୁଂଟା ଓ ଖୁଂଟା ବ୍ଲକ ଅଂଚଳରୁ ୨ ଜଣ କୋଭିଡ଼ ଯୁଦ୍ଧା ରହିଛନ୍ତି । ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତମାନଙ୍କୁ କୋଭିଡ଼ ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଛି ଏବଂ ସେମାନଙ୍କର ଟ୍ରାଭେଲ ହିଷ୍ଟ୍ରି ଯାଂଚ କରାଯାଉଛି ବୋଲି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଟୁଇଟରରେ ପ୍ରଦାନ କରାଯାଇଥିବା ସୂଚନାରୁ ଜଣାପଡ଼ିଛି । ଗତ କାଲି ଓ ଆଜିକୁ ମିଶାଇ ୭ ଜଣ କୋଭିଡ଼ ଯୁଦ୍ଧା ଏବଂ ୧୭ ଜଣ ଲୋକାଲ କଟାକ୍ଟରୁ ପଜିଟିଭ ଚିହ୍ନଟ ହେବା ଜିଲ୍ଲା ଓ ପ୍ରଶାସନ ପାଇଁ ଅଶୁଭ ସଙ୍କେତ ବୋଲି ବୁଦ୍ଧିଜୀବୀମାନେ ମତ ପୋଷଣ କରିଛନ୍ତି ।
ଏଥି ସହିତ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଘୋଷଣା ଅନୁସାରେ ଆଜି ମୟୂରଭଞ୍ଜ ଜିଲ୍ଲାରେ ୧୧ ଜଣ ସୁସ୍ଥ ହୋଇ ଫେରିଥିବାର ଜଣାପଡ଼ିଛି । ଫଳରେ ଜିଲ୍ଲାରେ ସୁସ୍ଥ ସଂଖ୍ୟା ୧୭୭ ଏବଂ ଆଜିକୁ ମିଶାଇ ଜିଲ୍ଲାରେ ସକ୍ରିୟ ସଂଖ୍ୟା ୭୫ରେ ପହଂଚିଥିବା ସମୟରେ ଜଣକର ମୃତ୍ୟୁ ହୋଇଛି ।


