୮କୁଇଣ୍ଟାଲ ଆଲୁମିନିୟମ ବିଦ୍ୟୁତ ତାର , କଟର ମେସିନ, ୨ ଟାଟାଏସିଇ, ଅଟୋ ଓ ୨ ବାଇକ୍ ଜବତ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଗତ ୧ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ଇଲାକାରୁ ୩୩କେଭି ବିଦ୍ୟୁତ୍ ସଂଯୋଗୀକରଣ ସକାଶେ ବ୍ୟବହୃତ ଆଲୁମିନିୟମ ବିଦ୍ୟୁତ ତାର ଚୋରୀ କରି ଚମ୍ପଟ ମାରିବାରେ ସକ୍ଷମ ହେଉଥିଲେ ଲୁଟେରା ଦଳ । ହେଲେ ଶୁକ୍ରବାର ବିଳମ୍ବିତ ରାତିରେ ଆଲୁମିନିୟମ ବିଦ୍ୟୁତ ତାର ଚୋରୀ କରି ଚମ୍ପଟ ମାରୁଥିବା ବେଳେ ଗ୍ରାମବାସୀଙ୍କ ହାବୁଡରେ ପଡି ଯାଇଥିଲେ ଲୁଟେରା ଦଳ । ଏଭଳି ଏକ ଘଟଣା ଶୁକ୍ରବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ଶାସନଆମ୍ବଗାଁ ଗ୍ରାମରେ ଦେଖିବାକୁ ମିଳିଛି । ପୁଲିସକୁ ଦେଖି ଲୁଟେରା ମାନେ ଚୋରୀ କରିଥିବା ଆଲୁମିନିୟମ ବିଦ୍ୟୁତ ତାର ଗ୍ରାମ ଫୋଖରୀକୁ ଫୋପାଡି ଚମ୍ପଟ ମାରିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ଜଣେ ଲୁଟେରାଙ୍କ ସମେତ ଜଣେ ଅଟୋ ଚାଳକଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା । ସେମାନଙ୍କ ନିକଟରୁ ପ୍ରାୟ ୮କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଆଲୁମିନିୟମ ବିଦ୍ୟୁତ ତାର ଜବତ କରିବା ସହ ଚୋରୀ ପାଇଁ ବ୍ୟବହୃତ ଏକ ଯାତ୍ରୀବାହୀ ଅଟୋ ସହ ୨ଟି ମୋଟର ସାଇକେଲକୁ ଜବତ କରିଥିଲା । କାବୁ କରିଥିବା ୨ ଜଣଙ୍କୁ ଥାନାକୁ ଆଣି ପୁଲିସ ପଚରାଉଚୁରା କରିବା ସମୟରେ ଘଟଣାରେ ଆହୁରି ୪/୫ ଜଣ ଲୁଟେରା ସଂପୃକ୍ତି ଥିବା ଜଣାପଡିଥିଲା । ପୁଲିସ ଘଟଣାର ତଦନ୍ତ କରି ରବିବାର ଆହୁରି ଜଣେ ଲୁଟେରା, ଜଣେ ଗାଡି ଚାଳକ ଓ ଚୋରୀ ସାମଗ୍ରୀ କିଣିବା ଅଭିଯୋଗରେ ଜଣେ ବ୍ୟବସାୟୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨ଟି ଟାଟାଏସିଇ ଗାଡି ଓ ତାର କାଟିବା ମେସିନକୁ ଜବତ କରିଛି । ଗିରଫ ମାନେ ହେଲେ ଲୁଟେରା ଗୋଳନ୍ଥରା ଥାନାସିହଳ ଗ୍ରାମର ଟିଟୁ ନାଇକ(୨୨), ଚାନ୍ଦପୁର ଦଳୁଆ ସାହିର ଦିପକ କୁମାର ଜେନା (୨୩), ଗାଡି ଚାଳକ ଚାନ୍ଦପୁର ଗ୍ରାମର ବି. ଜିତୁ(୧୮), ଏନ. ମୋହନ ପାତ୍ର(୩୩) ଓ ଚୋରୀ ବିଦ୍ୟୁତ ତାର କିଣିଥିବା ବ୍ୟବସାୟୀ ରଣ୍ଢା ଗ୍ରାମର ସୁନିଲ ଗୁପ୍ତା(୨୮) । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ- ୯୩୬/୨୪ରେ ଏକ ମାମଲା ରୁଜୁ କରି ଗିରଫ ୫ ଯୁବକଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠି କହିଛନ୍ତି ।
ପ୍ରକାଶ ଯେ, ହିଞ୍ଜିଳିକାଟୁ ବ୍ଳକ ଗଣ୍ଡଳା ଗ୍ରାମ ଠାରୁ ଶାସନଆମ୍ବଗାଁ ପର୍ଯ୍ୟନ୍ତ ୩୩ କେଭି ବିଦ୍ୟୁତ ସେବା ସକାଶେ ବିଦ୍ୟୁତ ତାର ବିଛାଯାଇଥିଲା । ଗତ ୧୧ ତାରିଖ ବିଳମ୍ବିତ ରାତିରେ କିଛି ଲୁଟେରା ବିଛାଯାଇଥିବା ଆଲୁମିନିୟମ ବିଦ୍ୟୁତ ତାର କାଟି ଲୁଟି ନେଇ ଚମ୍ପଟ ମାରିଥିଲେ । ଘଟଣା ନେଇ ବିଦ୍ୟୁତ ବିତରଣକାରୀ ସଂସ୍ଥା ଲେଜର ପାୱାର ଇନଫ୍ରା ଲିମିଟେଡର ପରିଚାଳକ ଲକ୍ଷ୍ମୀଧର ଦାଶ ଘଟଣା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୯୩୬/୩୪ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣଶର ତଦନ୍ତ ଚଳାଇଥିଲା । ଶୁକ୍ରବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ଶାସନଆମ୍ବଗାଁ ରାସ୍ତା ଦେଇ କିଛି ଯୁବକ ୨ଟି ବାଇକରେ କ୍ଷିପ୍ର ଗତିରେ ଯାଉଥିବା ବେଳେ ସେମାନଙ୍କ ପଛରେ ଏକ ଟାଟାଏସି ଓ ଏକ ଯାତ୍ରୀବାହୀ ଅଟୋ ଯାଉଥିଲା । ବିଳମ୍ବିତ ରାତିରେ ଗ୍ରାମ ରାସ୍ତା ଦେଇ ଗାଡି ଗୁଡିକୁ କ୍ଷିପ୍ର ଗତିରେ ଯାଉଥିବାରୁ ଗ୍ରାମର କିଛି ଲୋକଙ୍କ ସନ୍ଦେହ ହୋଇଥିଲା । ଗ୍ରାମର କିଛି ଲୋକେ ଅଟୋର ପିଛା କରୁଥିବା ବେଳେ ଅଟୋରେ ଆଲୁମିନିୟମ ବିଦ୍ୟୁତ ତାର ରହିଥିବା ଦେଖିବାକୁ ପାଇଥିଲେ । ଗତ କିଛି ଦିନ ପୂର୍ବେ ଶାସନଆମ୍ବଗାଁ ପଞ୍ଚାୟତ ନିମିଗାଁ ଦେଇ ପ୍ରବାହିତ ୩୩ କେଭି ବିଦ୍ୟୁତ୍ ସଂଯୋଗ ସକାଶେ ବିଛାଯାଇଥିବା ଚୋରୀ ହୋଇଥିବାରୁ ସଂପୃକ୍ତ ଲୋକମାନେ ସନ୍ଦେହ କରି ହିଞ୍ଜିଳି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ଲୁଟେରାଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲେ । ପୁଲିସ ଗାଡିକୁ ଦେଖି ଲୁଟେରା ମାନେ ଚୋରୀ କରିଥିବା ଆଲୁମିନିୟମ ବିଦ୍ୟୁତ ତାର ବଣ୍ଡଲ ଗୁଡିକୁ ନିମିଗାଁ- ବାଦିଆମ୍ବଗାଁ ଗ୍ରାମ ନିକଟସ୍ଥ ନିମେଶ୍ୱର ପୋଖରୀକୁ ଫୋପାଡି ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ । ପୁଲିସ ଘଟଣା ସ୍ଥଳରୁ ୨ ଜଣଙ୍କୁ କାବୁ କରିବାକୁ ସକ୍ଷମ ହୋଇଥିବା ବେଳେ କିଛି ଲୁଟେରା ଫେରାର ହେବାରେ ସକ୍ଷମ ହୋଇଥିଲେ । ଗ୍ରାମବାସୀଙ୍କ ସହାୟତାରେ ପୁଲିସ ପୋଖରୀ ପାଣିରୁ ୪ ବ୍ୟାଣ୍ଡେଲ ଆଲୁମିନିୟମ ବିଦ୍ୟୁତ ତାର ଉଦ୍ଧାର କରି ଜବତ କରିଛି । ଜବତ ଆଲୁମିନିୟମ ବିଦ୍ୟୁତ ତାର ୮ କୁଇଣ୍ଟାଲରୁ ଅଧିକ ହେବ ବୋଲି ପୁଲିସ କହିଛି । ତେବେ କାବୁ ହୋଇଥିବା ୨ ଲୁଟେରାଙ୍କୁ ଥାନାକୁ ଆଣି ତଦନ୍ତ କରିବା ବେଳେ ଘଟଣାରେ ଆହୁରି ୮ ଜଣ ସଂପୃକ୍ତି ଥିବା ଜଣାପଡିଥିଲା । ପୁଲିସ ରବିବାର ଗୋଳନ୍ଥରା ଥାନା ରଣ୍ଢା ଓ ଚାନ୍ଦପୁର ଗ୍ରାମରେ ଚଢାଉ କରି ଅନ୍ୟ ୩ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ଘଟଣାରେ ସଂଶିଷ୍ଟ ଆଉ ୫ ଜଣ ଲୁଟେରା ଫେରାର ହୋଇଯାଇଛନ୍ତି । ଗତ ପ୍ରାୟ ୧ବର୍ଷ ଧରି ହିଞ୍ଜିଳି ସମେତ ଗୋଳନ୍ଥରା, ଦିଗପହଣ୍ଡି ଓ ବ୍ରହ୍ମପୁର ସଦର, ଚିକିଟି, ପୁରୁଷୋତ୍ତମପୁର, ଛତ୍ରପୁର ଥାନା ଇଲାକାର ବିଭିନ୍ନ ଅଞ୍ଚଳରୁ ୩୩କେଭି ବିଦ୍ୟୁତ୍ ସଂଯୋଗ ସକାଶେ ବିଛାଯାଇଥିବା ଆଲୁମିନିୟମ ବିଦ୍ୟୁତ ତାର ଚୋରୀ କରିଥିବା ସ୍ୱୀକାର କରିଥିବା ନେଇ ପୁଲିସ କହିଛି । ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ନେତୃତ୍ୱରେ ଏସ.ଆଇ. ସୁନିଳ କଣ୍ଡାଗୋରୀ, ତଦନ୍ତକାରୀ ଅଧିକାରୀ ତଥା ଥାନା ଏସ.ଆଇ, ସିଦ୍ଧାର୍ଥ ଶଙ୍କର ଜେନା, ଏସ.ଆଇ ସୁରେଶ ସାହୁ, କନେଷ୍ଟବଳ ବସନ୍ତ ଉପାଧ୍ୟାୟ, ଦଣ୍ଡପାଣି ମଲ୍ଲିକ, କୌଳାସ ମଳିକ, ବିକ୍ରମ ବିଶ୍ୱାଳ ପ୍ରମୁଖ ଚଢାଉରେ ଅଂଶ ଗ୍ରହଣ କରିଥିଲେ । ଫେରାର ଲୁଟେରାଙ୍କୁ ଯଥାଶ୍ରୀଘ୍ର ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଆଇଆଇସି ସେଠି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ