୮ରେ ଭାରତ ବନ୍ଦ, କଂଗ୍ରେସର ସମର୍ଥନ
ଭୁବନେଶ୍ୱର : ଦରଦାମ ବୃଦ୍ଧି, ବେକାରୀ ଓ ସିଏଏ ବିରୋଧରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଆସନ୍ତା ୮ ତାରିଖ ଦିନ ଭାରତ ବନ୍ଦ ଡାକରା ଦିଆଯାଇଛି । ତେବେ ଏହି ବନ୍ଦକୁ କଂଗ୍ରେସ ପକ୍ଷରୁ ସମର୍ଥନ କରାଯାଇଛି । ଏନେଇ ସୋମବାର ବାମପନ୍ଥୀ ନେତାମାନେ କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଭେଟିଥିଲେ । ତାଙ୍କୁ ଭେଟିବା ପରେ ଏଆଇଟିୟୁସି ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା କହିଛନ୍ତି ଯେ, ଭାରତ ବନ୍ଦ ଡାକରାକୁ କଂଗ୍ରେସ ପୂର୍ଣ୍ଣ ସମର୍ଥନ ଦେବ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ତେବେ ବନ୍ଦ ବେଳେ ପରୀକ୍ଷାର୍ଥୀ, କ୍ଷୀର ଗାଡ଼ି ଓ ଔଷଧ ଦୋକାନକୁ ବାଦ୍ ଦିଆଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ପ୍ରକାଶ ଯେ, ସଂପ୍ରତି ରାଜ୍ୟ ଓ ଦେଶରେ ଦେଖା ଦେଇଥିବା ଉକ୍ରଟ ଆର୍ଥିକ ମାନ୍ଦାବସ୍ଥା ଓ ତତଜନିତ ପ୍ରଭାବରେ ବର୍ଦ୍ଧିଷ୍ଣୁ ବେକାରୀ, ବେରୋଜଗାରୀ, ନିତ୍ୟ ବ୍ୟବହୃତ ଖାଦ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି, ରାଷ୍ଟ୍ରାୟତ ଉଦ୍ୟୋଗର ଘରୋଇକରଣ ଓ ଶାଗମାଛ ଦରରେ ବିକ୍ରି, କର୍ପୋରେଟ୍ ସପକ୍ଷରେ ଶ୍ରମ ଆଇନର କୋଅର୍ଡିଫିକେସନ ବିରୁଦ୍ଧରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ଅନ୍ୟାନ୍ୟ ସ୍ୱାଧୀନ ଫେଡେରେସନ୍ ଯଥା ଆଇଏନଟିୟୁସି, ଏଆଇଟିୟୁସି, ଏଚ୍ଏମ୍ଏସ୍, ସିଆଇଟିୟୁ, ଏଆଇୟୁଟିୟୁସି, ଏଆଇସିସିଟିୟୁ ଓ ବ୍ୟାଙ୍କ, ବୀମା, ପ୍ରତିରକ୍ଷା, ବିଏସ୍ଏନ୍ଏଲ୍, କୋଇଲା, ଖଣି, ବିଦ୍ୟୁତ ସମେତ କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀମାନେ ଆସନ୍ତା ୮ ଜାନୁଆରୀ, ୨୦୨୦ ବୁଧବାର ଦିନ ରାଜ୍ୟ ଓ ଦେଶବ୍ୟାପୀ ସାଧାରଣ ଧର୍ମଘଟର ଡାକରା ଦେଇଛନ୍ତି । ପ୍ରକାଶ ଥାଉ କି କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏନଡିଏ ସରକାର ଶାସନକୁ ଆସିବା ଦିନଠାରୁ କର୍ପୋରେଟ୍ ହାଉସ ହାତଗଣତି କେତେକ ଦେଶୀୟ ଓ ଅନ୍ତର୍ଜାତୀୟ ପୁଞ୍ଜିପତିମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବା ପାଇଁ ପୁଞ୍ଜିପତିଙ୍କ ସ୍ୱାର୍ଥରେ ଶ୍ରମ ଆଇନ୍ କୋଅର୍ଡିଫିକେସନ କରୁଛନ୍ତି । ୪୪ ଗୋଟି ଶ୍ରମ ଆଇନକୁ ୪ଟି କୋର୍ଡରେ ବଦଳାଇ ଶ୍ରମିକମାନଙ୍କର ଟ୍ରେଡ୍ ୟୁନିୟନ କରିବାର, ଧର୍ମଘଟ କରିବାର ଓ ଆପୋଷ ଆଲୋଚନା କରିବାର ଅଧିକାରକୁ ଛଡାଇ ନେବାର ଚକ୍ରାନ୍ତ ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ଦୃଢ଼ ସମାଲୋଚନା କରିଛନ୍ତି । ଦେଶ ଭିତରେ ସର୍ବତ୍ର ଭୟ ଓ ଅବିଶ୍ୱାସର ବାତାବରଣରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବାବେଳେ ସମ୍ବିଧାନ ଓ ଗଣତନ୍ତ୍ର ପ୍ରତି ଚରମ ବିପଦ ଦେଖା ଦେଇଛି । ବେକାରୀ ସମସ୍ୟା ବିଗତ ୪୫ ବର୍ଷ ଭିତରେ ରେକର୍ଡ ଟପିଛି ।


