୯୨ତମ ଜୟନ୍ତୀ ଅବସରରେ ସଫଳ ଜନନେତ୍ରୀ ତଥା ସାରସ୍ୱତ ସାଧିକା ନନ୍ଦିନୀ
ବହୁତ କମ୍ ଯୋଗଜନ୍ମା ବ୍ୟକ୍ତି ଅଛନ୍ତି ଯେଉଁମାନେ କି ନିଜର କର୍ମ, ଜ୍ଞାନ, ଆଚରଣ, ଦୃଢମନୋବଳ, ଇଚ୍ଛାଶକ୍ତି ଇତ୍ୟାଦି ଦ୍ୱାରା ଦେଶ ମାତୃକାର ସେବା କରିବା ସହିତ ନିଜ ତଥା ସମଗ୍ର ଜାତି ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଓଡ଼ିଶା ତଥା ଭାରତବର୍ଷର ନାମକୁ ଗୌରାବାନ୍ୱିତ କରିବା ସହିତ ଏକ ସୁବର୍ଣ୍ଣ ଇତିହାସ ସୃଷ୍ଟି କରିପାରିଛନ୍ତି । ସେହିପରି ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ତଥା ଏକାଧାରାରେ ସଫଳ ରାଜନୈତିଜ୍ଞା, ସୁସାହିତ୍ୟିକା, ସୁଲେଖିକା, ସୁସଂଗଠକ, ଉତ୍କଳ ମାଟିର ସୁଯୋଗ୍ୟା ସନ୍ତାନ ତଥା ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ଲୌହ ମାନବୀ ରୂପେ ସୁପରିଚିତା । ପୂର୍ବତନ କେନ୍ଦ୍ରମନ୍ତ୍ରୀ, ବହୁ ସାରସ୍ୱତ ସମ୍ମାନ ଓ ପୁରସ୍କାରର ଅଧିକାରିଣୀ,ଦିଗ୍ଦ୍ରଷ୍ଟା ତଥା ମହାନ ଜନନେତ୍ରୀ ନନ୍ଦିନୀ ଶତପଥୀ । ୧୯୩୧ ମସିହା ଜୁନ୍ ମାସ ୯ ତାରିଖ ଦିନ କଟକସ୍ଥିତ ପିଠାପୁର ଠାରେ ପଦ୍ମଭୂଷଣ ତଥା ସୁସାହିତ୍ୟିକ କାଳିନ୍ଦୀ ଚରଣ ପାଣିଗ୍ରାହୀ ଓ ମାତା ରତ୍ନମଣି ଦେବୀଙ୍କ ଜ୍ୟେଷ୍ଠା ସନ୍ତାନ ଭାବେ ଭୂମିଷ୍ଠ ହୁଅନ୍ତି । ତୁଳସୀ ଦୁଇପତ୍ରରୁ ବାସିଲା ପରି ନନ୍ଦିନୀଙ୍କ ପ୍ରତିଭା ବାଲ୍ୟକାଳରୁ ଜଣାପଡ଼ିଥିଲା । ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବା ସହିତ କେନ୍ଦ୍ରମନ୍ତ୍ରୀ ତଥା ଜଣେ ସାରସ୍ୱତ ସାଧିକା ଭାବେ ତାଙ୍କର କାର୍ଯ୍ୟର ଅବଦାନ ଅତୁଳନୀୟ । ସମସ୍ତଙ୍କ ପ୍ରେରଣାର ଉତ୍ସ ହେବା ସହିତ ବିଶେଷ ଭାବେ ମହିଳାମାନଙ୍କ ପାଇଁ ଏକ ଅନନ୍ୟ ଉଦାହରଣ । ବହୁ ଘାତ ପ୍ରତିଘାତ ମଧ୍ୟରେ ସେ ନିଜର କର୍ତବ୍ୟନିଷ୍ଠା, ସମୟାନୁବର୍ତିତା, ଦୂରଦୃଷ୍ଟି, ଜ୍ଞାନ ଓ ସାହିତ୍ୟ ସାଧନା ଦ୍ୱାରା ସମଗ୍ର ଭାରତ ବର୍ଷରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଥିଲେ । ମୁଖ୍ୟମନ୍ତ୍ରୀତ୍ୱ କାଳରେ ଭୂସଂସ୍କାର ଆଇନକୁ କାର୍ଯ୍ୟକାରୀ କରିବା, ଗ୍ରାମାଂଚଳରେ ମହାଜନୀ କାରବାର ବନ୍ଦ କରିବା ପାଇଁ ପଦକ୍ଷେପ ନେବା, ଯୌତୁକ ବିରୋଧରେ ଅଭିଯାନ ଆରମ୍ଭ କରି ଯୌତୁକନିରୋଧ ଆଇନ ପ୍ରଣୟନ କରିବା, ଅପରକୋଲାବ ଜଳପ୍ରକଳ୍ପ, ରେଙ୍ଗାଳି ପ୍ରୋଜେକ୍ଟ ପରି କ୍ଷୁଦ୍ର ତଥା ମଧ୍ୟମ ଧରଣର ଜଳପ୍ରକଳ୍ପ କରାଇବା ସହିତ ହରିଜନ ଓ ଆଦିବାସୀଙ୍କ ପାଇଁ କଳିଙ୍ଗକୂଟୀର ପରି ଗୃହ ସ୍କିମ୍ କରାଇବା ତାଙ୍କର ଏକ ଅଭୂତପୂର୍ବ ସଫଳତା । ସେହିପରି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସହିତ ପ୍ରଜାତନ୍ତ୍ର ପ୍ରଚାର ସମିତି ଓ ବହୁ ସାରସ୍ୱତ ଅନୁଷ୍ଠାନରୁ ପୁରସ୍କାର ଓ ସମ୍ମାନିତ ହୋଇଛନ୍ତି ସେ । ଅହଂକାର ବିବର୍ଜିତ ବ୍ୟକ୍ତିତ୍ୱ ତାଙ୍କର । ସାହିତ୍ୟ ମାଧ୍ୟମରେ ସମାଜକୁ ବାର୍ତା ଦେବା ସହିତ ବୈପ୍ଳବିକ ପରିର୍ବତନ ଆଣିବା ପାଇଁ ଅହରହ ଚେଷ୍ଟା କରିଛନ୍ତି । ପ୍ରକାଶିତ ପୁସ୍ତକ ଓ ଗ୍ରନ୍ଥ ମଧ୍ୟରୁ ଅନାଥ, କେତୋଟି କଥା, ଗାନ୍ଧି କଥାମୃତ, ଲଜ୍ଜାର ଓଡ଼ିଆ ଅନୁବାଦ, ଉପନ୍ୟାସ ଟିକି ସୁନା ହଜିଗଲା ପ୍ରମୁଖ ତାଙ୍କର ସାରସ୍ୱତ କୃତୀ । ସେହିପରି ରାଜନୀତି କ୍ଷେତ୍ରରେ ରାଜ୍ୟସଭା ସଦସ୍ୟା, କେନ୍ଦ୍ର ସୂଚନା ଓ ପ୍ରସାରଣ ଉପ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭା ସଦସ୍ୟା, ଯୋଜନା ବୋର୍ଡ ଅଧ୍ୟକ୍ଷା, ନିଖିଳ ଭାରତ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ସଦସ୍ୟା ଭାବେ ତାଙ୍କର କାର୍ଯ୍ୟ ଦକ୍ଷତା ବେଶ୍ ଗ୍ରହଣୀୟ ହୋଇଥିଲା । ଓଡ଼ିଶାର ଦ୍ୱିତୀୟ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ରାଜନୈତିକ ଘଟଣା- ୧୯୬୮ ରୁ ୭୨ ରାଜ୍ୟସଭା ସଦସ୍ୟା, ୧୯୬୬ ରୁ ୬୮କେନ୍ଦ୍ରରେ ସୂଚନା ଓ ପ୍ରସାରଣ ଉପମୁଖ୍ୟମନ୍ତ୍ରୀ, ନିଖିଳ ଭାରତ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ସଦସ୍ୟା, ୧୯୭୨ ରୁ ୭୪ ଓଡ଼ିଶା ବିଧାନସଭା ସଦସ୍ୟା (କଟକ ସଦସର ନିର୍ବାଚନ ମଣ୍ଡଳୀ), ୧୯୭୨ ରୁ ୭୩ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ , ୧୯୭୪ ରୁ ୭୭ ଓଡ଼ିଶା ବିଧାନସଭା ସଦସ୍ୟା (ଢ଼େଙ୍କାନାଳ ନିର୍ବାଚନ ମଣ୍ଡଳୀ), ୧୯୭୪ ରୁ ୭୬ ଦ୍ୱିତୀୟ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ, ୧୯୭୭ ରୁ ୮୦ ଓଡ଼ିଶା ବିଧାନସଭା ସଦସ୍ୟା (ଢ଼େଙ୍କାନାଳ ନିର୍ବାଚନ ମଣ୍ଡଳୀ), ୧୯୮୦ ରୁ ୮୫ ଓଡ଼ିଶା ବିଧାନସଭା ସଦସ୍ୟା(ଢ଼େଙ୍କାନାଳ), ୧୯୮୫ ରୁ ୯୦ ଓଡ଼ିଶା ବିଧାନସଭା ସଦସ୍ୟା(ଢ଼େଙ୍କାନାଳ), ୧୯୮୯ ରୁ ୯୦ ଅଧ୍ୟକ୍ଷା ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷା, ୧୯୯୦ ରୁ ୨୦୦୦ ଗନ୍ଦିଆ ନିର୍ବାଚନ ମଣ୍ଡଳୀ ସଦସ୍ୟା, ସାହିତ୍ୟ ଓ ଗ୍ରନ୍ଥ ରଚନା- ବହୁ ସାରସ୍ୱତ ସାହିତ୍ୟ କୃତୀ ମଧ୍ୟ ତାଙ୍କର ରହିଛି । ସମାଜର ହିତ ପାଇଁ ସାହିତ୍ୟ ରଚନା କରିବା ସହିତ ଏକ ବୈପ୍ଳବୀକ ପରିର୍ବତନ ଆଣିବା ତାଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା । ତାଙ୍କ ପ୍ରକାଶିତ ପୁସ୍ତକ ଓ ଗ୍ରନ୍ଥ ମଧ୍ୟରୁ ଅନାଥ, ୧୯୪୨ ମସିହାରେ ସପ୍ତମ ଶ୍ରେଣୀରେ ପଢ଼ିବାବେଳେ କଟକ ଟ୍ରେନିଂ ସ୍କୁଲ୍ ମାଗାଜିନ୍ରେ ଉକ୍ତ ଗଳ୍ପଟି ସ୍ଥାନୀତ ହୋଇଥିଲା । ଏହାଥିଲା ନନ୍ଦିନୀଙ୍କର ପ୍ରଥମ ଗଳ୍ପ । କେତୋଟି କଥା (୧୯୬୭) ଏହାସହିତ ଗାନ୍ଧି କଥାମୃତ, ରସିଦ ଟିକେଟ, ଲଜ୍ଜା- ସାରା ବିଶ୍ୱରେ ଚହଳ ସୃଷ୍ଟି କରିଥିବା ବାଂଲାଦେଶୀ ଲେଖିକା ତସଲିମା ନସରିନ୍ଙ୍କ ବଙ୍ଗଳା ପୁସ୍ତକର ସେ ଓଡ଼ିଆ ଅନୁବାଦ କରିଥିଲେ । କୋଡିଏଟି ଗଳ୍ପ, ଜ୍ଞାନପୀଠ ଓ ମାଗାସେସ୍ ପୁରସ୍କାର ବିଜେତା କଲିକତାର ବିଶିଷ୍ଟ ସାହିତ୍ୟିକା ମହାଶ୍ୱେତା ଦେବୀଙ୍କ ୫୦ଟି ଗଳ୍ପ ଶୀର୍ଷକ ବଙ୍ଗଳା ପୁସ୍ତକରୁ ଓଡ଼ିଶାରେ ଅନୁଦିତ ଏହି କୋଡିଏଟି ଗଳ୍ପ । ଉକ୍ତ ଅନୁଦିନ ଗଳ୍ପଗୁଡ଼ିକ ମଧ୍ୟ ସୁଚରିତା, ସାବିତ୍ରୀ, ସୁଧନ୍ୟା ପ୍ରମୁକ ପତ୍ରିକାରେ ପ୍ରକାଶିତ ହୋଇଥିଲା । ଉପନ୍ୟାସ ଟିକି ସୁନା ହଜିଗଲା, ଜମି ଯେବେ ଜାଗି ଉଠେ ପ୍ରମୁଖ ତାଙ୍କର ସାରସ୍ୱତ କୃତୀ । ଏହାସହିତ ବହୁ କ୍ଷୁଦ୍ରଗଳ୍ପ, କବିତା, ପ୍ରବନ୍ଧ ହିନ୍ଦୀ ଓ ଇଂରାଜୀ ଭାଷାରେ ବହୁ ମୁଦ୍ରିତ ଗଣମାଧ୍ୟମରେ ପ୍ରକାଶିତ ହୋଇ ବେଶ୍ ପାଠକୀୟ ଆଦୃତୀ ଲାଭ କରିପାରିଛି । ପୁରସ୍କାର ଓ ସାମାଜିକ କାର୍ଯ୍ୟ ତନ୍ମଧ୍ୟରୁ କିଛି-କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ସାହିତ୍ୟ ଭାରତୀ ସମ୍ମାନ, ପ୍ରଜାତନ୍ତ୍ର ପ୍ରଚାର ସମିତି ପୁରସ୍କାର ତଥା ବହୁ ସାରସ୍ୱତ ଅନୁଷ୍ଠାନରୁ ସମ୍ମାନିତା । ଏହା ସହିତ ଇଣ୍ଡିଆନ୍ ଚାଇଲ୍ଡ୍ ୱେଲଫାୟାର କାଉନସିଲ ସହିତ ଜଡ଼ିତ, ସଭାପତି ଅକ୍ଷମ କଲ୍ୟାଣ ସମିତି, ଅନ୍ଧ, ମୁକ ବଧିରମାନଙ୍କ ପାଇଁ ବିଦ୍ୟାଳୟ ସ୍ଥାପନ, ରେଡକ୍ରସ ସହିତ ଜଡ଼ିତ ରହି ସମାଜସେବା, ଏହା ସହିତ ବହୁ ବିଦେଶ ଭ୍ରମଣ ଯଥା- ଆମେରିକା, ଋଷିଆ, ଫ୍ରାନ୍ସ, ଜର୍ମାନୀ, ସିଙ୍ଗାପୁର ପ୍ରମୁଖ ଗସ୍ତରେ ଯାଇ ଭାରତର ପ୍ରତିନିଧିତ୍ୱ କରିପାରିଥିଲେ । ୨୦୦୬ ମସିହା ଅଗଷ୍ଟ ୪ ତାରିଖ ଦିନ ଏହି ମହାନ ଜନନେତ୍ରୀଙ୍କ ତିରୋଧାନ ଘଟିଥିଲା । ଜଣେ ସଫଳ ରାଜନୈତିଜ୍ଞ ସହିତ ସାରସ୍ୱତ ସାଧିକା ଏବଂ ସମଗ୍ର ମହିଳାମାନଙ୍କ ପାଇଁ ଆଜି ସେ ପାଲଟିଛନ୍ତି ପ୍ରେରଣା ଉତ୍ସ ।
ମୁଖପାତ୍ର, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଭୁବନେଶ୍ୱର
ମୋ-୯୯୩୭୬୮୯୬୮୩


