ଗଜପତିରେ ପୋଲିସ କରୁଛି ବନ ବିଭାଗର କାମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗାରବନ୍ଧ ପୋଲିସ ପକ୍ଷରୁ ସୋମବାର ସନ୍ଧ୍ୟାକାଳୀନ ପେଟ୍ରୋଲିଂ କରାଯାଉଥିବା ସମୟରେ ଏକ ମ୍ୟାକ୍ସ ପିକଅପ ଭ୍ୟାନ୍‌କୁ ସନ୍ଦେହରେ ଅଟକାଇ ଯାଞ୍ଚ କରିବା ବେଳେ କାଠ ଚାଲାଣ ତଥ୍ୟ ସାମନାକୁ ଆସିଥିଲା । ଘଟଣାରୁ ପ୍ରକାଶ ଯେ, ଗାରବନ୍ଧ ଥାନା ଅଧିକାରୀ ଗୋବିନ୍ଦ ଗୌଡ ଏବଂ ପୋଲିସ ଟିମ୍ ଆଜି ସନ୍ଧ୍ୟା ସମୟରେ ରମ୍ପା ପଞ୍ଚାୟତ ଅନ୍ତର୍ଗତ ବଡହଂସା ଗ୍ରାମ୍ୟ ପୂର୍ତ୍ତ ରାସ୍ତାରେ ପେଟ୍ରୋଲିଂ କରୁଥିବା ସମୟରେ ଏପି ୩୦ ୟୁ ୩୧୬୫ ନମ୍ବର ବିଶିଷ୍ଟ ମ୍ୟାକ୍ସ ପିକଅପ୍ ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ । କାଠ ଗଣ୍ଡି ସମ୍ବନ୍ଧୀୟ ସମସ୍ତ କାଗଜ ପତ୍ର ମାଗିଥିବା ବେଳେ ଗାଡି ଚାଳକ ଏବଂ ବସିଥିବା ଅନ୍ୟ ଜଣେ ବ୍ୟକ୍ତି କୌଣସି ଦସ୍ତାବିଜ ଦେଖାଇପାରିନଥିଲେ । ପରେ ଥାନା ଅଧିକାରୀ ଶ୍ରୀ ଗୌଡ ଏବଂ ପୋଲିସ ଟିମ୍ ସମସ୍ତ ଯାଞ୍ଚ କରିବା ବେଳେ ଗୋଷାଣି ବ୍ଲକ ସବରା ଅଞ୍ଚଳରୁ ଆନ୍ଧ୍ର ପ୍ରଦେଶକୁ ଏହି କାଠ ଗଣ୍ଡି ଗୁଡିକ ଚାଲାଣ ହେଉଥିବାର ଜାଣିପାରିଥିଲେ । ପରେ ଚାଲାଣରେ ବ୍ୟବହୃତ ମ୍ୟାକ୍ସ ପିକଅପ ଗାଡି ସମେତ ଚାଳକ ଓ ଏଥିରେ ବସିଥିବା ବ୍ୟକ୍ତି ଜଣକୁ ଗାରବନ୍ଧ ଥାନାକୁ ଆଣି ବନବିଭାଗକୁ ହସ୍ତାନ୍ତର କରିଥିଲେ । ଖବର ପାଇ ଗାରବନ୍ଧ ବନପାଳ ଆଲୋକ କୁମାର ଜେନା ପହଞ୍ଚି କାଠ ଗଣ୍ଡି ସମ୍ବନ୍ଧିୟ ଯାଞ୍ଚ କରିବା ବେଳେ ଜଣାପଡିଥିଲା ଯେ, ୩୧ଖଣ୍ଡ ଶାଗୁଆନ କାଠ ଗଣ୍ଡି ସମେତ ୮ଗୋଟି ଗମ୍ଭାରି କାଠ ଗଣ୍ଡି ମୋଟ ୩୯ଗୋଟି କାଠ ଗଣ୍ଡି ଚାଲାଣ ହେଉଥିବାର ଜଣାପଡିଥିଲା । ଯାହାର କି ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ସୂଚନା ପ୍ରଦାନ କରାଯାଇଛି । ମ୍ୟାକ୍ସ ପିକଅପ ଚାଳକ ଜଣକ ଏମ୍‌. ଫାଲଗୁନ ଓ ଏଥିରେ ବସିଥିବା ବ୍ୟକ୍ତିଙ୍କ ନାମ ଜି.କୁର୍ମା ରାଓ ଉଭୟଙ୍କ ଘର ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ଗୋପିଲି ଗ୍ରାମ ବୋଲି ଜଣାପଡିଛି । ଉଭୟଙ୍କୁ ଅଟକ ରଖାଯାଇଥିବା ବେଳେ ମ୍ୟାକ୍ସ ପିକଅପ ଭ୍ୟାନ୍‌ଟିକୁ ଜବତ କରାଯାଇଛି । ଏନେଇ ୧୫/୨୩ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଥିବାର ସୂଚନା ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ