ୱେବସାଇଟ୍ରେ ତ୍ରୁଟିନାଉଗାଁ ବ୍ଲକରେ ବିଡିଓ କୈଳାଶ ଚନ୍ଦ୍ର ବେହେରା
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍):ସରକାରଙ୍କର ବିଭିନ୍ନ ନିୟମାବଳୀ, କାର୍ଯ୍ୟଧାରା,ବିଭିନ୍ନ ତଥ୍ୟ ଓ ସୂଚନା ଆଦି ସଂର୍ପକରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ୱେବସାଇଟ୍ ରହିଛି । ମାତ୍ର ଉକ୍ତ ୱେବସାଇଟ୍ରେ ଲୋକେ ବିଭିନ୍ନ ତଥ୍ୟ ଏବଂ ସୂଚନା ଜାଣିବାରୁ ବଂଚିତ ହେଉଥିବା ବେଳେ ୱେବସାଇଟ୍ରେ ତଥ୍ୟରେ ମଧ୍ୟ ତ୍ରୁଟି ପରିଲକ୍ଷିତ ହେଉଛି । ଅନ୍ୟପକ୍ଷରେ ୱେବସାଇଟ୍ରେ ଉଲ୍ଲେଖ ଥିବା ତଥ୍ୟ ନିୟମିତ ଅପଡେଟ ହେଉନାହିଁ । ଯାହାକି ୱେବସାଇଟ୍ ଏବେ କେବଳ ଭେଳିକି ରହିଥିବା ଅଭିଯୋଗ ହେଉଛି । ଏହିପରି ଘଟଣା ଦେଖିବାକୁ ମିଳୁଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ବିଡିଓଙ୍କ ନାମରେ । ନାଉଗାଁ ବ୍ଳକର ବିଡିଓଙ୍କ କାର୍ଯ୍ୟକାଳ ନାମ ତାଲିକାରେ ୫୧ ଜଣ ବିଡିଓଙ୍କ ନାମ ରହିଛି । ବର୍ତମାନ ନାଉଗାଁରେ ବିଡିଓ ଭାବେ ରଶ୍ମୀରେଖା ମଲ୍ଲିକ ଦାୟିତ୍ୱରେ ରହିଛନ୍ତି । କିନ୍ତୁ ୱେବସାଇଟ୍ରେ ନାଉଗାଁ ବ୍ଲକର ବିଡିଓ ଭାବେ କୈଳାଶ ଚନ୍ଦ୍ର ବେହେରାଙ୍କର ନାମ ରହିଛି । କିନ୍ତୁ ଦୁଃଖର ବିଷୟ ନାଉଗାଁ ବ୍ଲକ ବିଡିଓଙ୍କ କାର୍ଯ୍ୟାଳୟରେ ଲାଗିଥିବା ବିଡିଓଙ୍କ କାର୍ଯ୍ୟକାଳ ତାଲିକାରେ କୈଳାଶ ଚନ୍ଦ୍ର ବେହେରାଙ୍କ ନାମ ନଥିବା ଦେଖିବାକୁ ମିଳିଛି । କିନ୍ତୁ ୱେବସାଇଟ୍ରେ କୈଳାଶ ଚନ୍ଦ୍ର ବେହେରାଙ୍କ ନାମ ଥିବାରୁ ୱେବସାଇଟ୍ରେ ପ୍ରକାଶ କରାଯାଉଥିବା ତଥ୍ୟ କେତେ ସତ୍ୟତା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସେହିପରି ନାଉଗାଁ ଥାନାରେ ୨୦୧୮ ଜୁଲାଇ ମାସରେ ଥାନାଧିକାରୀ ଭାବେ ପ୍ରଜ୍ଞା ରିତାମ୍ଭର କର ଯୋଗ ଦେଇ କାର୍ଯ୍ୟ କରିଆସୁଛନ୍ତି । ନାଉଗାଁ ଥାନାରେ ଏକ ବର୍ଷରୁ ଅଧିକ ସମୟ ହେବ ଥାନାଧିକାରୀଭାବେ କାର୍ଯ୍ୟ କରିଆସୁଥିଲେ ମଧ୍ୟ ୱେବସାଇଟ୍ରେ ତାଙ୍କ ନାମ ଅପଡେଟ୍ କରାଯାଇନାହିଁ । କିନ୍ତୁ ତାଙ୍କ ପୂର୍ବରୁ ଥିବା ଥାନାଧିକାରୀ ରଜିତଂ ମହାନ୍ତିଙ୍କ ନାମ ୱେବସାଇଟ୍ରେ ଉଲ୍ଲେଖ ରହିଛି । ଫଳରେ ୱେବସାଇଟ୍ରୁ ସଠିକ ତଥ୍ୟ ପାଇବାରେ ଜନସାଧାରଣମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ବୃଦ୍ଧିଜୀବି ମହଲରେ ଦାବି ହୋଇଛି ।