ଆମ ଭାଷା : ମହାଭାଷା
ମାୟାଧର ନାୟକ
ଆମର ଭାଷା ଏକ ବିଶାଳ ବ୍ୟାପକ ମାନଚିତ୍ର ହୋଇଥିବାବେଳେ ଏ ସାହିତ୍ୟ ଏକ ବିଚ୍ଛିନ୍ନ ବିଦୀର୍ଣ୍ଣ ମୌନଚିତ୍ର ଆଜିଠୁ ଆଠ ଦଶକ ତଳେ ଓଡ଼ିଶାକୁ ଯିଏ ଯୋଗାଇ ଦେଇଛି ତାର ସ୍ୱତନ୍ତ୍ର ମାନଚିତ୍ର ହାସଲ ପାଇଁ ଯୋଗ୍ୟତା ସାର୍ଟିଫିକେଟ, ସିଏ ତ କୋଟିକଣ୍ଠର କଳକାକଳିରେ କଲ୍ଲୋଳିତ ଏଇ ଓଡ଼ିଆ ଭାଷା । ଏ ଭାଷାର ଗୋଟାଏ ବୁନିଆଦ୍ ଇତିହାସ ଥିଲା ବୋଲି ତ ସେଇ ଭିତ୍ତିରେ ହିଁ ଓଡ଼ିଶା ପାଇପାରିଛି ନିଜ ପାଇଁ ନିର୍ଦ୍ଧାରିତ ଗୋଟିଏ ଭୂମି, ଭୌଗୋଳିକତାର ଗୋଟିଏ ଭବ୍ୟ ଭୂଚିତ୍ର । ସୁତରାଂ ସ୍ୱୀକାର କରିବାକୁ ଆମେ ସମସ୍ତେ ବାଧ୍ୟ ଯେ, ଏହି ଭୂମିର ଭୂମିକା ବା ଭିତ୍ତିପତ୍ର ହେଉଛି – ପୁରୁଷ ପୁରୁଷ ଧରି ପରମ୍ପରାର ପତିଆରାଟିଏ ତିଆରି କରିଆସିଥିବା ଏକ ପ୍ରଖର ପ୍ରବହମାନ ଭାଷା… ଏହି ପ୍ରାଣସ୍ଫୂର୍ତ୍ତ ପ୍ରାକୃତ ଭାଷା… ଏହି ପ୍ରମୂର୍ତ୍ତ ଓଡ଼ିଆ ଭାଷା । ଆଗେ ଭାଷା, ତା’ପରେ ଭୂମି । ଆଗେ ସଂସ୍କୃତି, ତା’ପରେ ସାହିତ୍ୟ । ଆଗେ ସତ୍ତା, ତା’ପରେ ଯାଇ ସ୍ଥିତି ପାଇଁ ସଂଗ୍ରାମ ଓ ସ୍ୱାତନ୍ତ୍ର୍ୟ । ଓଡ଼ିଶାକୁ ସରଳ ଭାଷାରେ ଗୋଟିଏ ଚିତ୍ରକଳ୍ପରେ ଆଙ୍କିବାକୁ ଗଲାବେଳେ ଆମ ଆଖି ଆଗରେ ଯେଉଁ ଐତିହ୍ୟନିଷ୍ଠ ସାମୂହିକ ସ୍ମୃତିର ତ୍ରିଭୁଜଟିଏ ଆପେ ଆପେ ଫୁଟିଉଠୁଛି, ତା’ର ତିନୋଟି ବାହୁ ହେଉଛନ୍ତି ଯଥାକ୍ରମେ ଏହି ଓଡ଼ିଆ ଭାଷା, ଓଡ଼ିଆ ସଂସ୍କୃତି ଓ ଓଡ଼ିଆ ସତ୍ତା । ଭାଷା ହିସାବରେ ଓଡ଼ିଆ ଏକ ମହାଭାଷା, ସଂସ୍କୃତି ରୂପରେ ଓଡ଼ିଆ ଏକ ସଂହତିସିଦ୍ଧ ସଂସ୍କୃତି ଓ ସତ୍ତା ଭାବରେ ଓଡ଼ିଆ ଏକ ବିସ୍ମୟକର ମଧ୍ୟଭାରତୀୟ ସତ୍ତା ।
ଭାଷା ଓଡ଼ିଆ, ମାତ୍ର ଅତୀତ ଓ ଲିଖିତ ରୂପକୁ ନେଇ ତାର ଉପଭାଷା ଅନେକ । ଗୋଟିିଏ ମାନକ ଭାଷାରେ ଓଡ଼ିଆ ଭାଷାକୁ ଆମେ ସାହିତ୍ୟ ଜରିଆରେ ବାନ୍ଧିଦେଇ ଓଡ଼ିଆଭାଷୀ ଜନପୁଞ୍ଜର କିଛି କମ୍ କ୍ଷତି କରିନାହୁଁ । ଏହା ଏକ ଘୋର ଅପ୍ରିୟ ସତ୍ୟ । ଭବିଷ୍ୟତରେ ଏଥିପାଇଁ ଆମ ଉତ୍ତର ପିଢିକୁ ଯେ ଯଥେଷ୍ଟ ଜୋରିମାନା ଦେବାକୁ ପଡ଼ିବ, ଏ ସତର୍କ ଚେତାବନୀ ଆଜିଠୁ ମନେ ରଖିବା ଦରକାର । ଭାଷାକୁ ଭଲ ନ ପାଇ ଓଡ଼ିଶାରେ ଆଜିକାଲି ଯେଉଁ ଭାବଲେଶହୀନ ସାହିତ୍ୟର ଫାର୍ସ୍ ଚାଲିଛି, ଦିନେ ତାର ପର୍ଦ୍ଦାଫାଶ ହେବ ହିଁ ହେବ ଏବଂ ଅନାଗତ ଭବିଷ୍ୟତର କାଠଗଡ଼ାରେ ନିଜକୁ ଲେଖକ/ବୁଦ୍ଧିଜୀବୀ ବୋଲାଉଥିବା ଆଜିର ଗୋଟିଏ ପାଠକବିହୀନ ସୌଖୀନ ଶ୍ରେଣୀ ଯେତେ ମିଛସାକ୍ଷୀ ଯୋଗାଡ଼ କରି ଆତ୍ମପ୍ରୌଢ଼ିର ଲମ୍ବାଲମ୍ବା ଫର୍ଦ୍ଦ ଶୁଣଉଥିଲେ ବି ମାନ୍ୟବର ମହାକାଳଙ୍କ ବିଚାରରେ ବା ଆଗାମୀ ଇତିହାସର ଇଜିଲାସ୍ରେ ମକଦ୍ଦମା ହାରିବା ଛଡ଼ା ଆଉ କିଛି ଗତି ନାହିଁ ସେମାନଙ୍କର । ଏ ଶ୍ରେଣୀ କେବଳ ଓଡ଼ିଆ ଭାଷା ପରି ଏକ ମହାଭାଷାର ଜାତଶତ୍ରୁ ନୁହଁନ୍ତି, ଓଡ଼ିଆ ସଂସ୍କୃତି ପରି ଏକ ମହାନ୍ ସଂସ୍କୃତିର ମଧ୍ୟ ଜଣେଜଣେ ବିଶ୍ୱାସଘାତକ ଜଘନ୍ୟ ଜହ୍ଲାଦ । ମୋର ଏ ପ୍ରକାର କଟୁତିକ୍ତକଷାୟ ମତବାଦକୁ ଆପଣମାନେ ଗ୍ରହଣ କରନ୍ତୁ ବା ନକରନ୍ତୁ, ମୁଁ କିନ୍ତୁ ସାରା ଓଡ଼ିଶାର ମାଟିଘାଟି ପଲ୍ଲୀପ୍ରାନ୍ତର ଜମିଜଙ୍ଗଲ ବୁଲି ଯେତିକି ଅନୁଭୂତିସିଦ୍ଧ ପ୍ରତ୍ୟକ୍ଷ ସତ୍ୟର ନିକଟବର୍ତ୍ତୀ ହୋଇପାରିଛି, ସେଥିରୁ ସ୍ପଷ୍ଟ ଭାବରେ ଅସଲ ତଥ୍ୟ ହାସଲ କରିପାରିଛି ଯେ, ଓଡ଼ିଆଭାଷୀ ଜନଗଣ ବର୍ତ୍ତମାନର ଶତକଡ଼ା ୯୯ଭାଗ ଓଡ଼ିଆ ଲେଖକ-ଲେଖିକାଙ୍କ ଲେଖାଲେଖିକୁ ସେମାନଙ୍କ ଚଲାବାଟରୁ ଅଳିଆ ପରି ଆଡେଇ ଦେଇଛନ୍ତି । ଏହାର ଏକମାତ୍ର କାରଣ ଆପଣମାନଙ୍କୁ ମଧ୍ୟ ବେଶ୍ ଜଣାଥିବ ଯେ, ସାହିତ୍ୟ ନାମରେ ଆଜିକାଲିର ଅଧିକାଂଶ ସର୍ଜନା ହେଉଛି କେବଳ ଗୁଡ଼ାଏ ଆବର୍ଜନା । ଏପରି ଅଘଟଣ କାହିଁକି ଘଟିଲା, କିପରି ଘଟିଲା, କିଏ କ’ଣ ପାଇଁ ଘଟାଇଲା? ଅଧିକ ଏ ବାବଦରେ କହିବିନି, ମାତ୍ର ଗୋଟିଏ କଥା ସ୍ପଷ୍ଟ ସୂଚାଇ ଦେବି ଯେ, ଓଡ଼ିଆ ଲିପିରେ ଲିଖିତ ଆଜିର ତଥାକଥିତ ଓଡ଼ିଆ ସାହିତ୍ୟ ରୂପରେ ଏକପ୍ରକାର ଚରିତ୍ରହୀନ ସାହିତ୍ୟର ଗଦାଗଦା ଔପନିବେଶିକ ଆବର୍ଜନା ହିଁ ପ୍ରାୟ ୩୦/୪୦ବର୍ଷ ତଳୁ ମୁଣ୍ଡ ଟେକିସାରିଛି । ଲିପିରେ ଏହା ହୋଇପାରେ ଓଡ଼ିଆ, ଭାଷାରେ କ’ଣ କିନ୍ତୁ ଓଡ଼ିଆ?
ବର୍ତ୍ତମାନର ଓଡ଼ିଆ ସାହିତ୍ୟରେ ଓଡ଼ିଶାର ୩୦ଟି ଜିଲ୍ଲାରୁ ମାତ୍ର ୩ ଜିଲ୍ଲାର ଆଧିପତ୍ୟ ଚାଲିଛି – କଟକ, ପୁରୀ, ବାଲେଶ୍ୱର । ଅଥଚ ଏ ଉପକୂଳର ଉତ୍ପାତକୁ ଜୋରଜବରଦସ୍ତ ଜାରି ରଖିବାର ମସୁଧା ଯେଉଁଠି ଚାଲିଛି, ତାହା ହେଉଛି ଗୋଟାଏ ଗୋଲାମ ନଗରୀ! ଆପଣମାନେ ଦୂରବୀକ୍ଷଣରେ ସବୁ ଦେଖିପାରୁଥିବେ, ମୁଁ ଆଉ ଅଣୁବୀକ୍ଷଣରେ ଅଧିକ ଦେଖନ୍ତୁ ବୋଲି ଜିଗର କରୁନାହିଁ । ଶତକଡ଼ା ୯୭ ଭାଗ ଚାକିରିଆଙ୍କ ସାହିତ୍ୟକୁ ମୁଁ ଏଠି ପ୍ରତିନିଧିମୂଳକ ଓଡ଼ିଆ ସାହିତ୍ୟ ବୋଲି ମୂଳରୁ ଗ୍ରହଣ କରିବାକୁ ରାଜି ନୁହେଁ । ଯେଉଁମାନେ ରାଜି, ସେମାନଙ୍କର ସେଇ ‘ହାଁ ଜୀ’ କହିବାର ଆଦତ୍ କୁ ମୁଁ ସିନା ବଦଳାଇ ପାରିବି ନାହିଁ, କିନ୍ତୁ ତାଳି ମାରି ସେମାନଙ୍କ ମୌଖିକ/ଲିଖିତ ମତଲବୀ ଲବିକର୍ମଗୁଡ଼ାଙ୍କୁ ସମର୍ଥନ କରିପାରିବି କି?
ଚିନ୍ତନ ଓ କର୍ମ ମଧ୍ୟରେ ଯେଉଁଠି ବ୍ୟାପକ ବ୍ୟବଧାନ ଦେଖାଦେଇଥାଏ, ସେଠି ନିଜେ ସାବଧାନ ହୋଇ ଅନ୍ୟମାନଙ୍କୁ ମଧ୍ୟ ସାବଧାନ କରାଇବା ସାଧୁ ଉଦ୍ୟମ କାରଣ ଏ ବ୍ୟବଧାନ ସବୁ ଦିଗରେ ସୃଷ୍ଟି କରିଥାଏ ବିଷମୟ ବିଡ଼ମ୍ବନା । ଏବେ ତ ତଥାକଥିତ ଓଡ଼ିଆ ସାହିତ୍ୟସାରା ଏହି ବିଡମ୍ବନା ତାଳୁରୁ ତଳିପା ପର୍ଯ୍ୟନ୍ତ ଗୋଟାଏ ମାରାତ୍ମକ ସଂକ୍ରାମକ ବ୍ୟାଧି ଭଳି ବ୍ୟାପିଗଲାଣି । ଗୋଟିଏ ଭୟଙ୍କର ଅସାଧୁତାର ସୌଦାଗରୀ ସାମଗ୍ରୀ ପାଲଟିଗଲାଣି ଏ ସାହିତ୍ୟ । ସାହିତ୍ୟକୁ ନେଇ ଗୋଟିଏ ନବ୍ୟ ସାଧବତନ୍ତ୍ର ନିଜର ପସରା ମେଲାଇ ଓଡ଼ିଶାର ସାଂସ୍କୃତିକ ଭାବମୂର୍ତ୍ତିକୁ ନିଲାମୀ ଦର୍ରେ ବିକିବାର ବ୍ୟୂହ ରଚନା କରିସାରିଛନ୍ତି । ଯେଉଁ ଅଳ୍ପ କେତେଜଣ ‘ସାଧକ’ କେଉଁଠି ନା କେଉଁଠି ତପସ୍ୟାରତ, ସେମାନଙ୍କ ସ୍ୱରକୁ ଏ ସାମ୍ପ୍ରତିକ ‘ସାଧବ’ ସାହିତ୍ୟକାର ଗୋଷ୍ଠୀର ପ୍ରାଣେ ଭୟ । କାହିଁକିନା ସତ୍ସାଧକର ସ୍ୱର ମନ୍ତ୍ରପୂତ ଅନ୍ତଃସ୍ୱର, ମାତ୍ର ଆଜିକାର ଏ ଅସତ୍ ସାଧବର ସଂଳାପ ମୂଲଚାଲର ଯନ୍ତ୍ରଚାଳିତ ଚିତ୍କାର ମାତ୍ର ।
ଆଜିର ସାହିତ୍ୟ-ସାଧବମାନେ ନିଜ ଦୁରଭିସନ୍ଧିପୂର୍ଣ୍ଣ ଦଲାଲିର ଯେଉଁ ଦୋନମ୍ବରୀ ଦୋକାନ ଖୋଲି ବସିଛନ୍ତି – ସେଠି ପୁରସ୍କାର କିଣାବିକା ଚାଲିଛି । ମାନପତ୍ର ବଣ୍ଟା ହେଉଛି, ଦେଣନେଣର ଦାନ ଖଇରାତି ପାଇଁ ଚିରସ୍ଥାୟୀ ବନ୍ଦୋବସ୍ତର ପାଗଭିଡ଼ା କଚେରୀଘରେ ବିଚିତ୍ରଗୁପ୍ତମାନଙ୍କୁ ବସାଇ ପାଞ୍ଜିଲେଖା ବି ଚାଲିଛି । କହିବାକୁ ଗଲେ ଆଖଡ଼ାଘରେ ଏହା ଆମକୁ ଏକପ୍ରକାର ସୁନାମିରିଗି ନାଟ ଦେଖାଇଚାଲୁଥିବା ନ୍ୟସ୍ତସ୍ୱାର୍ଥ ଆୟୋଜକମାନଙ୍କର ନକଲି ସାହିତ୍ୟ କାରବାର । ମାତ୍ର ଆତ୍ମମର୍ଯ୍ୟାଦାକୁ ଅଗ୍ରାଧିକାର ଦେଉଥିବା ସାଧକ ସାହିତ୍ୟକାରମାନେ ଏ ବ୍ୟୂହବଦ୍ଧ ସାଧବ ଅପସାହିତ୍ୟକର୍ମାମାନଙ୍କ ନବନଗରୀରେ ସାହେବ ବିବି ଗୋଲାମ ହେବାକୁ କଦାପି ମଙ୍ଗିପାରିବେ କି? ଏହା ହିଁ ଏବେ ଓଡ଼ିଶାର ଗୋଟାଏ ବଡ଼ ବିଡ଼ମ୍ବନା ।
୧୯୯୦ ପରେ ଧୀରେଧୀରେ ରାଜନୀତି ଠାରୁ ଭଲ ଲୋକମାନେ ଦୂରେଇ ଯାଉଥିବା ପରି ୧୯୯୮ ପରେ ସାହିତ୍ୟର ଠାରୁ ବି ସଜ୍ଜନମାନେ କ୍ରମେ କରଛଡ଼ା ଦେଉଥିବା ମନେହେଉଛି । ଏହା ଦ୍ୱାରା କ୍ଷତି ହେଉଛି ରାଜନୀତିର, ସାହିତ୍ୟର, ସମାଜର, ସଂସ୍କୃତିର – ସର୍ବୋପରି ଆମ ଭାଷା ଓ ଭିତ୍ତିଭୂମିର ବି । ସାଧନାରତ ସାଧକମାନଙ୍କ କଣ୍ଠସ୍ୱରରେ ପ୍ରତିବାଦର ଭାଷା ମନ୍ତ୍ର ଉଚ୍ଚାରଣ ପରି ଶୁଭି ନଥିବା ଯାଏ, ସିଦ୍ଧିରହିତ ସାଧବମାନଙ୍କର ବିଳାସୀପୋତ ସାହିତ୍ୟକୁ ଏହିଭଳି ସଉଦା ଭାବରେ ବରାବର ବ୍ୟବହାର କରିଚାଲିଥିବ ଏବଂ ଜନଗଣ ଏକପ୍ରକାର ବିଜାତୀୟ ସଙ୍ଗୀତର ବିରକ୍ତ ଶ୍ରୋତା ହେବାର ମନୋଦଶା ଭୋଗି ଚାଲିଥିବେ ।
‘ସାଧବ’ ଶବ୍ଦକୁ ମୁଁ ପ୍ରାଚୀନ ଉତ୍କଳର ସେହି ଦୁଃସାହସୀ ନୌବଣିକବର୍ଗର ସୂଚକ ଭାବରେ ଏଠାରେ ବ୍ୟକ୍ତ କରୁନାହିଁ । ଏ ସଦ୍ୟଜାତ ‘ସାଧବ’ ହେଉଛନ୍ତି ଆଜିର ଏହି କୁଳାଚାରଶୂନ୍ୟ କୁଳାଙ୍ଗାର ନବବଣିକ ଦଳ, ଯେଉଁମାନେ ‘ସାଧକ’-ସଂସ୍କୃତିର ଭାବ ଓ ଭାଷାକୁ ନଷ୍ଟଭ୍ରଷ୍ଟ କରି ଓଡ଼ିଶାରେ ଅପସାହିତ୍ୟର ଏକ ଉପଯୁଗ ସୃଷ୍ଟି କରିବା ପାଇଁ ଚକ୍ରାନ୍ତରତ । ଆନୁଷ୍ଠାନିକ ପ୍ରତିପତ୍ତି ଓ ସରକାରୀ ପଦପଦବୀକୁ ନିଜ ସାହିତ୍ୟ ଯଶଲିପ୍ସା ଚରିିତାର୍ଥ କରିବା ପାଇଁ ଏମାନେ ଗୋଟିଏ ଗୋଟିଏ ସ୍ଥିରୀକୃତ ବିଳାସବାଣିଜ୍ୟତରୀରେ ପରିଣତ କରିଛନ୍ତି । ଏ ନବ୍ୟସାଧବମାନେ ହେଉଛନ୍ତି ସେହି ବିଦେଶୀ ବଣିକତନ୍ତ୍ରର ଔପନିବେଶିକ ବିଦେଶୀ ନୌକର-ଯେଉଁମାନେ ଦେଶର ଲୁଣ ଖାଇ ଆମ ଭାଷା ଓ ସାହିତ୍ୟରେ ବିଦେଶର ଗୁଣ ଗାଉଛନ୍ତି! ଏହା ଫଳରେ ଓଡ଼ିଆ ସାହିତ୍ୟ ଏବେ ଧର୍ଷିତ । ଏହି ସାଂସ୍କୃତିକ ବଳାତ୍କାରୀମାନଙ୍କ ଯୋଗୁ ଆମ ସାହିତ୍ୟ ତାର ଭବିଷ୍ୟତର ଭାଷା ହରାଇ ଚାଲିବା ସହିତ ସଂସ୍କୃତିର ସଞ୍ଜୀବନୀ ମନ୍ତ୍ର ମଧ୍ୟ କ୍ରମେ ପାଶୋରିବାରେ ଲାଗିଛି । ଖବରକାଗଜ ତଥା ଗଣମାଧ୍ୟମ ଠାରୁ ଆରମ୍ଭ କରି ସଭାସମିତି ପର୍ଯ୍ୟନ୍ତ ସବୁଠି ଏହି ଉତ୍କଟତା ଅନୁମେୟ । ଓଡ଼ିଶା ଭାଷାସାହିତ୍ୟର ସ୍ଥିତି ଏହି ଦୃଷ୍ଟିରୁ ଦୁର୍ଗତିର ଗୋଟିଏ ଦାରୁଣ ବାସ୍ତବତାକୁ ସାମନା କରୁଛି । ଭାଷା ଓ ସାହିତ୍ୟ ଏ ଉଭୟ ମଧ୍ୟରେ ଏବେ ସ୍ପଷ୍ଟ ଦିଶୁଛି ଏକ ସାଂଘାତିକ ସ୍ୱବିରୋଧ । ଏବେ ବ୍ୟବହାର ଅଭାବରୁ ଆମ ଭାଷାରୁ ଅନେକ ଶବ୍ଦ ଆମର ପର ହୋଇଗଲେଣି, ଯାହା ଦିନେ ଆମ ପାଇଁ ଥିଲେ ଏକାନ୍ତ ଆପଣାର । ତା’ଛଡ଼ା ମାନକ-ଭାଷା ନାମରେ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳର ଶବ୍ଦକୁ ମୁକୁଟ ପିନ୍ଧାଇ ବାକି ଆଞ୍ଚଳିକ ଶବ୍ଦମାନଙ୍କୁ ଆମେ ପିନ୍ଧାଇଚାଲିଛୁ ହାତକଡ଼ି ଆଉ ବଳାବେଡ଼ି, ଏ ସୀମିତ ଶବ୍ଦମାନଙ୍କୁ ନେଇ ଓଡ଼ିଆ ସାହିତ୍ୟ ଯେଉଁ ଭାଷାଗତ ସମ୍ପର୍କର ମାୟାଜାଲ ବୁଣୁଛି, ସେ ଭାଷାରେ ଅସଲ ଓଡ଼ିଆ ସ୍ୱର ଓ ଧ୍ୱନି କାହିଁ? ସେହିପରି ସାହିତ୍ୟରୁ ବର୍ତ୍ତମାନ ବିଦାୟ ନେବାରେ ଲାଗିଛି ସଂସ୍କୃତି, ଶୁଚି ଓ ରୁଚି – ଯାହା ଦିନେ ଆମର ଶୈଶବ ଓ କୈଶୋରକୁ ପୁଷ୍ପିତ ଓ ସୁବାସିତ କରିରଖିଥିଲା ଏଇ ନିକଟ ଅତୀତ ପର୍ଯ୍ୟନ୍ତ । ଆମେ ଓଡ଼ିଆଏ ଏବେ ଏକ ଅର୍ଦ୍ଧବିସ୍ମୃତ ସତ୍ତା ଯାହାର ସ୍ଥିତି ଏବେ ଏକ ଦୁଃସ୍ଥିତି । ୧୦୦କୋଟି ଟଙ୍କାର ସରକାରୀ ଅନୁଦାନପ୍ରାପ୍ତ ‘ଶାସ୍ତ୍ରୀୟତା’ ଦ୍ୱାରା ଓଡ଼ିଆ ଭାଷାଭାଷୀମାନେ ଗର୍ବ କରିବାର କିଛି କାରଣ ନାହିଁ । କାରଣ ତଥାକଥିତ ଏହି ଶାସ୍ତ୍ରୀୟ ଭାଷାଠାରୁ ଆମ ଲୌକିକ/ମୌଖିକ ଓଡ଼ିଆ ଲୋକଭାଷାର ଐତିହ୍ୟ ଆହୁରି ଅଧିକ ଗୌରବମୟ । ଆଦିବାସୀ ଓ ଅଧିବାସୀ ଓଡ଼ିଆ ଭାଷାର ଯେଉଁ ଐତିହାସିକ ସମନ୍ୱୟ ଘଟିବାର ଥିଲା, ତାହା ଘଟି ନପାରିବା ଯୋଗୁ ଓଡ଼ିଆ ଏକ ମହାଭାଷା ସତ୍ତା ହୋଇପାରିଲା ନାହିଁ ଏବଂ ଗୋଟାଏ ଦୋଛକି ରାସ୍ତାର ଦୁର୍ଘଟଣା ପାଲଟିଗଲା ଆମର ସମ୍ଭାବ୍ୟ ଭାଷାସାହିତ୍ୟର ଭବିଷ୍ୟତ ।
ଏବେ ଭାଷାସାହିତ୍ୟ କ୍ଷେତ୍ରରେ ପ୍ରକୃତରେ ପହଞ୍ôଚଗଲାଣି ଦାରୁଣ ଶୋକଦିବସ । ମାତ୍ର ଏ ଶୋକଦିବସକୁ ନୀରବ ପ୍ରାର୍ଥନାରେ ପାଳନ ନ କରି ପ୍ରଖର ପ୍ରତିବାଦ ଓ ପ୍ରଜ୍ଞାଦୀପ୍ତ ପ୍ରତିଜ୍ଞାର ପରିଭାଷାରେ ଦୀକ୍ଷିତ କରିପାରିଲେ ହିଁ ଆମର ଜାଗରଣ ହେବ ଯୁଗଜୟୀ ଏବଂ ସଂଗ୍ରାମ ହେବ ବିଜୟମଣ୍ଡିତ ।
ଯାଜପୁର ରୋଡ, ଯାଜପୁର
ମୋ: ୯୮୬୧୦୩୪୧୬୩