୨ ବେଆଇନ ବାଲି ବୋଝଇ ହାଇୱା ଜବତ
ବନ୍ତ, (ଚାନ୍ଦିନୀ ମହାନ୍ତି ) : ବନ୍ତ ଥାନା ଅଧିନ ଭଦ୍ରକ-ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥରେ ପୋଲିସ ପକ୍ଷରୁ ୨ଟି ବେଆଇନ ବାଲି ବୋଝଇ ହାଇୱା ଗାଡିକୁ ଜବତ କରାଯିବା ସହ ୨ଟି ମାମଲା ରୁଜୁ କରାଯାଇଛି l ପ୍ରକାଶ ଯେ, ଶନିବାର ରାତିରେ ବନ୍ତ ଥାନା ଛକ ଠାରେ ପୋଲିସ ପକ୍ଷରୁ ପାଟ୍ରୋଲିଂ ଚାଲିଥିବା ବେଳେ ଆପଣ୍ଡା ପାର୍ଶ୍ୱରୁ ଭଦ୍ରକ ଅଭିମୁଖେ ଓଆର-୧୯ଏମ -୪୧୫୫ ନଂ ବିଶିଷ୍ଟ ହାଇୱା ଗାଡିକୁ ସନ୍ଦେହଜନକ ଭାବେ ଅଟକାଯାଇଥିଲା l ଯାଞ୍ଚ ପରେ ଗାଡିଟି ବାଲି ବୋଝଇ ହୋଇଥିବା ବେଳେ ଚାଳକ ପାଖରେ ବାଲି ପରିବହନ ପାଇଁ ବୈଧ କାଗଜପତ୍ର ନଥିଲା l ଫଳରେ ପୋଲିସ ଉକ୍ତ ଗାଡିଟିକୁ ଜବତ କରିବା ସହ ଏନେଇ ରବିବାର ୨୧୩/୨୬ ମୂଳେ ଏକ ମାମଲା ରୁଜୁ କରାଯାଇଛି l ସେହିପରି ରବିବାର ଭୋର ସମୟରେ ବ୍ଲକ ଛକ ଠାରେ ପୋଲିସ ଓଡି-୨୨-ଏବି-୯୭୦୫ ନଂ ବିଶିଷ୍ଟ ବେଆଇନ ବାଲି ବୋଝଇ ହାଇୱା ଗାଡିକୁ ଜବତ କରିବା ସହ ୨୧୪/୨୬ ମୂଳେ ଅନ୍ୟ ଏକ ମାମଲା ରୁଜୁ କରିଛି l


