ଗୃହପାଳିତ ପଶୁଙ୍କ ପାଇଁ ୨୪ ଘଣ୍ଟିଆ ଆମ୍ବୁଲାନ୍ସ ସେବା କାର୍ଯ୍ୟକାରୀ ଦାବୀ

ଆସିକା (ୱାଇଏନ୍‍ଏସ୍‍) :ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ସେମାନଙ୍କୁ ଉନ୍ନତମାନର ତଥା ତ୍ୱରିତ୍‍ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ସରକାରଙ୍କ ପକ୍ଷରୁ ୧୦୮ ଆମ୍ବୁଲାନ୍ସ ସେବା କାର୍ଯ୍ୟକାରୀ କରାଯାଇଛି । ତେବେ ଗୃହପାଳିତ ପ୍ରାଣୀ ଯଥା ଗାଈ, ମଇଁଷି, ଛେଳି, ମେଣ୍ଢାକୁ ଆବଶ୍ୟକତା ସମୟରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ୨୪ ଘଣ୍ଟିଆ ଆମ୍ବୁଲାନ୍ସ ସେବା ଯୋଗାଇଦେବା ପାଇଁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଦେଖିବାକୁ ମିଳିଛି । ପ୍ରାଣୀମାନଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ବିଗତ କିଛି ବର୍ଷ ତଳେ ଆରମ୍ଭ କରିଥିବା ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା କ୍ଳିନିକ୍‍ ଜରିଆରେ ଆସିକା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ସୁଧାଂଶୁ ଶେଖର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଡାକ୍ତର ଆଶୁତୋଷ ଚୌଧୁରୀ, ଏମ୍‍ଭିୟୁ ବିଦ୍ୟାସାଗର ସାହାଣୀ, ପ୍ରାଣୀଧନ ନୀରିକ୍ଷକ ସ୍ମୃତିରଂଜନ ବିଶ୍ୱାଳ, ସୁଶାନ୍ତ କୁମାର ଡାକୁଆ, ସସ୍ମିତା ପଣ୍ଡା, ପ୍ରିୟଜନ କହଁର, ଆଲୋକ ପାତ୍ର, ସୁଦର୍ଶନ ନାୟକଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ପ୍ରାଣୀଙ୍କ ରୋଗ ଚିହ୍ନଟ, ନମୂନା ପରୀକ୍ଷା, ଟୀକାକରଣ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରୁଥିବା ଦେଖିବାକୁ ମିଳୁଛି । ଆସିକା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ କାର୍ଯ୍ୟାଳୟରେ ଅଦ୍ୟାବଧି ୨୪ ଘଣ୍ଟିଆ ଆମ୍ବୁଲାନ୍ସ ସେବା କାର୍ଯ୍ୟକାରୀ କରାଯାଇନଥିବା ଯୋଗୁଁ ବିଭିନ୍ନ ସମୟରେ ଗାଈଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ଗୋପାଳକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଏ ସଂପର୍କରେ ଆସିକା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ସୁଧାଂଶୁ ଶେଖର ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ରାଜ୍ୟ ସରକାର ଯୋଗାଇ ଦେଇଥିବା ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା କ୍ଳିନିକ୍‍ ଜରିଆରେ ପ୍ରତ୍ୟେକ ଦିନ ୨ଟି ଗାଁକୁ ପରିଦର୍ଶନ କରାଯାଇ ଅସୁସ୍ଥ ପ୍ରାଣୀମାନେ କିପରି ଉନ୍ନତ ମାନର ଚିକିତ୍ସାସେବା ପାଇପାରିବେ ତାହାକୁ ଦୃଷ୍ଟିରେ ରଖି ସେବା ଯୋଗାଇ ଦିଆଯାଉଛି । ରାଜ୍ୟ ସରକାର ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଗୃହପାଳିତ ପଶୁ ଓ ବୁଲା ପ୍ରାଣୀ ମାନଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ୨୪ ଘଣ୍ଟିଆ ଆମ୍ବୁଲାନ୍ସ ସେବା ଯୋଗାଇଦେବା ଦିଗରେ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ