ମୁଖ୍ୟ ରାସ୍ତା ଉପରେ ଗଦା ହୋଇଛି ବାଲିଗୋଡି : ଯାତାୟତରେ ଅସୁବିଧା
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ସହରର ମୁଖ୍ୟ ରାସ୍ତା ତିନିମୁହାଣି ଛକରୁ ଇଛାପୁର ରାସ୍ତାର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ବାଲି, ଗୋଡି ପ୍ରଭୃତି ଗଦା କରାଯାଇ କେଉଁଠି ବେପାର କରାଯାଇଛି ତ ଆଉ କେଉଁଠି ଗୃହ ନିର୍ମାଣ କରାଯାଉଛି। ଫଳରେ ସହରର ମୁଖ୍ୟ ରାସ୍ତା ସଂକୁଚିତ ହେବା ସହ ଦୁର୍ଘଟଣାକୁ ଆମନ୍ତ୍ରଣ କରାଯାଉଛି। ପ୍ରବଳ ଖରାରେ ଲୋକମାନେ ଅସ୍ତବ୍ୟସ୍ତ ହୋଇ ରାସ୍ତାରେ ଯାଉଥିବା ବେଳେ ଏଭଳି ଭାବରେ ରାସ୍ତା ଉପରେ ଗୋଡି ଓ ବାଲି ଗଦା କରାଯାଇ ରାସ୍ତାକୁ ସଂକୁଚିତ କରାଯାଇଥିବାରୁ ବହୁ ସମୟରେ ଲୋକମାନେ ଦୁର୍ଘଟଣାର ଶୀକାର ହୋଇ ବହୁ ମୂଲ୍ୟବାନ ଜୀବନ ହରାଉଥିବା ଦେଖାଯାଉଛି। ପ୍ରଶାସନ ସବୁ ଦେଖିବି ନଦେଖିବାର ଅଭିନୟ କରୁଛି। ଏହି ମୁଖ୍ୟ ରାସ୍ତାର ବିଦ୍ୟୁତ କାର୍ଯ୍ୟାଳୟ ଠାରୁ ଅର୍ବାନ ବ୍ୟାଙ୍କ ମଧ୍ୟରେ ରାସ୍ତା ଉପରେ ବାଲି ଓ ଗୋଡି ଗଦା ହୋଇ ରହିଛି। ଫଳରେ ରାସ୍ତା ଅବରୋଧ ହେବା ସହ ଲୋକମାନଙ୍କ ଯାତାୟତରେ ଘୋର ସମସ୍ୟା ସୃଷ୍ଟି ହେଉଛି। ସେହିଭଳି ଉଦୟନଗର ଧନିଛକରୁ କଜଲା ମହାଦେବ ରାସ୍ତାର କେନ୍ଦ୍ରାପଡା କଲେଜ ଗେଟ ସମ୍ମୁଖରେ ମଧ୍ୟ ବାଲି ଓ ଗୋଡି ରାସ୍ତା ଉପରେ ଗଦା ହୋଇଥିବା ଦେଖାଯାଇଛି। ସେହି ରାସ୍ତାରେ ଗଦା ହୋଇଥିବା ବାଲିରେ ଦୁଇଚକିଆ ଯାନର ଚକା ସ୍ଲିପ କରି ଦୁଇଜଣ ଦୁର୍ଘଟଣା ଗସ୍ତ ହୋଇଛନ୍ତି। ଏହାବ୍ୟତିତ ୫୩ନମ୍ବର ଜାତୀୟ ରାଜପଥରୁ କଜଳା ରାସ୍ତାରେ କଜଳା ମହାଦେବଙ୍କ ଆଡକୁ ଆସିବା ବେଳେ ସରକାରୀ ଜମି ଉପରେ ପ୍ରାୟ ୫୦ଟ୍ରିପ ବାଲି ଗଦା ହୋଇଥିବା ଦେଖିବାକୁ ମିଳିଛି। ସେଠାରେ ଜଣେ ବ୍ୟକ୍ତି ଏହି ବାଲି ରଖି ବ୍ୟବସାୟ କରୁଥିବା ଦେଖାଯାଇଛି। ଏସବୁ ସମସ୍ୟା ସମ୍ପର୍କରେ କେନ୍ଦ୍ରାପଡା ତହସିଲଦାର ଓ ଉପଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଅଭିଯୋଗ ହୋଇଆସୁଥିଲେ ମଧ୍ୟ ୨ମାସରୁ ଉର୍ଦ୍ଧ୍ୱ ହେବ କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ସ୍ଥାନୀୟ ଅଧିବାସୀ ଓ ପଥଚାରୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ତହସିଲଦାର କୁଇନି ଜେନାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ସରକାରୀ ଜମି ଜବରଦଖଳ ମୁକ୍ତ ହେବ। ଅବରୋଧ ହଟାଯାଇ ଚାରିପଟେ ତାରବାଡ ଦିଆଯିବା ସହ ସାଇନବୋର୍ଡ ମରାଯିବ। ସହରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ଯାଏଁ ସବୁଠି ସରକାରୀ ଜମି ଜବରଦଖଲ ମୁକ୍ତ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। କିନ୍ତୁ ଏହା କେବଳ ଘୋଷଣାରେ ସୀମିତ ରହିଥିବା ଦେଖିବାକୁ ମିଳିଛି। ରାସ୍ତା ବା ସରକାରୀ ଜମିକୁ ଜବରଦଖଲ କରାଯାଇ ସେଠାରେ ବାଲି ଗୋଡି ପ୍ରଭୃତି ଜମାକରି କିଏ ବ୍ୟବସାୟ କରୁଛି ତ ଆଉ କିଏ ଗୃହ ନିର୍ମାଣ କରୁଛି। ଏସବୁ ଦେଖି ବି ତହସିଲଦାର ନୀରବ ରହିବା ପଛରେ କାରଣ କଣ ତାହା ଜଣାପଡୁନାହିଁ?


