ଅର୍ଥନୀତିର ଅର୍ଥାନ୍ତର

ମାୟାଧର ନାୟକ

ଦୁନିଆ ଦୋହଲା ଦୁଃଖ କଷ୍ଟ ବେଦନା ଆଉ ଯାତନାର ଜୂପକାଠରେ ବଳିପଡିବାକୁ ଯାଉଥିବା ଅର୍ଥନୀତି ଏବେ ବଦଳାଇଦେବ ତା’ର ଚିର ପରିଚିତ ସଂଜ୍ଞା । ଜୀବନଶୈଳୀର ଅଦ୍ଭୁତପୂର୍ବ ପରିବର୍ତନ ଆଜି ଅର୍ଥନୀତିକୁତା’ର ସଂଜ୍ଞା ପରିବର୍ତନ ପାଇଁବାଧ୍ୟ କରିବା ଆଶଙ୍କା ଐଶର୍ଯ୍ୟ ଶାଳୀ ଆମେରିକାଠାରୁ ଆରମ୍ଭ କରି ଇଥିଓପିଆ ପର୍ଯ୍ୟନ୍ତ ପ୍ରକାଣ୍ଡକାୟ ଅଶୁଭ ସକୁନର କରାଳ ପକ୍ଷଛାୟା ପରି ଆସନ୍ନ । ଏଥିସହିତ ଏ ଦେଶର କରୁଣ ଆକାଶକ ବଡ ଦାରୁଣ ଭାବରେ ଆତଙ୍କିତ କରିବାକୁ ବସିଲାଣି ଅସଲ ଲୁଟେରା ପଙ୍ଗପାଳ ବାହିନୀର ଅବାଂଛନୀୟ ଆଗମନ । ଏଣିକି ଆମ ଆଖିଦେଖା ଦୁନିଆର ଦିନ ସବୁରାତି ପାଲଟିଯିବାକ ଡେରି ହେବନାହିଁ । ଆଜି ଆମଗାଁ ଗଡଜାତର ମାଆମାନେ ବୋଧହୁଏ, ଏ ପଙ୍ଗପାଳ ବାହିନୀର କରାଳ ପାଖରେ ଆଛାଦିତ ଏକର ଏକରବ୍ୟାପି ଫସଲ କ୍ଷେତ ଉପରେ ଦିଶୁଥିବା ଆକାଶ ଆଡକୁ ନିଜ ନିଜ କଅଁଳା ଛୁଆମାନଙ୍କୁ ଦେଖାଇ ତାଙ୍କ କାନ୍ଦ ବନ୍ଦ କରିବାକୁ ଛୁଟାଇ ସାରିଲେଣି ଗୀତର ଲହର – ଆ ଜହ୍ନମାମୁଁ ସରଗ ଶଶି ।

ଆଜି ଏ ବିଶ୍ୱର ବର୍ତମାନଟା କିବିକୃତ, କିବିଭତ୍ସ, କିବିକଳାଙ୍ଗ! ଇିଶାଳ ବିରଧା ଭାଷଟାଏ ଏ ବିଶ୍ୱ……. ଯାହାକୁ ଆମେ ପୃଥିବୀ କହିଲେ ଉପହାସ କରିବ ଇତିହାସ – ଲଜ୍ଜା ଆଉ ସଂକୋଚରେ ମୁହଁ ଘୋଡାଇବେ ଆମ ପୂର୍ବ ପୁରୁଷ । ଏ ବିଶ୍ୱ ଗୋଟିଏ ବିକଳ ଭଗ୍ନସ୍ତୁପ । ନଂପୁଶକ ନାୟକହୀନ ରାଜନୀତି ଉତ୍କଟ ଉପ ଧ୍ୱଂସ ପରି ଆକ୍ରାନ୍ତ କରିସାରିଛି ସମଗ୍ର ବିଶ୍ୱକୁ । ନେତୃତ୍ୱର ସଂକଟ ସହିତ ମୂଲ୍ୟ ବୋଧର ମୃତ୍ୟୁ ଆଜି ବିଶ୍ୱ ରାଜନୀତିକୁ ପରିଣତ କରିଛି କେବଳ କଂସେଇ ମାନଙ୍କ କାରଖାନାରେ । ବର୍ତମାନର ରାଜନୀତି କ୍ଷେତ୍ରରେ ଶୋଷ କହିଁ ସାଜିଛନ୍ତି ଶାସକ ଶ୍ରେଣୀ । ଦୁର୍ବୃତମାନେ ହିଁ ପାଲଟିଛନ୍ତି ଦ୍ୱାରପାଳ । ମାଫିଆ ବନିଛି ମୁଖିଆ । ଗୁଣ୍ଡା ପାଲଟିଛି ଭେଣ୍ଡା, ଜିରୋ ହୋଇଛି ହିରୋ! ଚଂଚକ ରାଜନୀତି ଚଳୁକରିବାକୁ ବସିଛି ସମଗ୍ରବିଶ୍ୱକୁ । ରାଜନୈତିକ ଦୁର୍ନିତୀ ଏ ଭ୍ରଷ୍ଟାଚାର ସହିତ ଅର୍ଥନୈତିକ ଶୋଷଣ ସହିତ ଗଢିଉଠିଛି ଖୋଲା ଖୋଲି ସଂପର୍କ । ଭିନ୍ନଭିନ୍ନ ନାଁ ଓ ଦଳ ଦଖଲ କରି ନେଇଛନ୍ତି ଭିନ୍ନ ଭିନ୍ନ କିଆରି । ଜନସ୍ୱାର୍ଥ ନୁହେଁ – ଆତ୍ମସ୍ୱାର୍ଥ ଓ ନ୍ୟସ୍ତସ୍ୱାର୍ଥ ହିଁଆଜି ଏକମାତ୍ର ଆଭିମୁଖ୍ୟ ।

ସମ୍ପ୍ରତି ବିଶ୍ୱ ଅର୍ଥନୈତିକ ସଂକଟ ଭୟଙ୍କର ରୂପ ପ୍ରଦର୍ଶନ କରି ସାରିଲାଣି । ବିଶ୍ୱର ଏକ ନମ୍ବର ଧନୀ ରାଷ୍ଟ୍ର ଆମେରିକା, ଦୁଇନମ୍ବର ଚିନ୍‌, ଜାପାନ୍‌ର ଆର୍ଥିକ ସ୍ଥିତି ସୁଦ୍ଧା ଶୌଚନୀୟ ସ୍ତରକୁ ଗତିକରୁଛି । ଏସିଆ ମହାଦେଶର ତୃତୀୟ ବୃହତମ ଧନୀରାଷ୍ଟ୍ର ଭାରତର ଅର୍ଥନୀତି ମଧ୍ୟ ଉଦ୍‌ବେଗ ଜନକ ଅବସ୍ଥାରେ ପହଂଚିଛି । ଏବେ କିନ୍ତୁ ରାଜନୀତିକୁ ପୋଷା ମନାଇ ଆହୁରି ପାଶବୀୟ ପରିବେଶ ସୃଷ୍ଟି କରିଛି ଏକ ଧୃତ, ଧୂସର ଅର୍ଥନୀତି । ବିଶ୍ୱର ସର୍ବ ବୃହତ ଧନୀରାଷ୍ଟ୍ର ଆମେରିକାର ଅତିକାୟ ଅହଂକାର ଅଦୂର ଭବିଷ୍ୟତରେ କିନ୍ତୁ ଧୂଳିସାତ୍ ହେବାକୁ ଯାଉଛି । ବିଶ୍ୱର କୋଟି କୋଟି ସାଧାରଣ ନିରୀହ ଲୋକଙ୍କ ତାଜା ରକ୍ତରେ ଆମେରିକାର ଅର୍ଥନୀତି ସମୃଦ୍ଧ ହୋଇଥିଲା । ଚିନ୍‌, ଋଷିଆ, ଜାପାନ୍ । ଏବେ ଭାରତର ପାଳି – ଆମେରିକାର ପରୀକ୍ଷା ଗାରରେ ବଳି ପଡିବା ପାଇଁ । ସରକାରୀ ଜର୍ସି ପିନ୍ଧି ବସିଥିବା ଆମଶାସକ ଓ ଜର୍ଜରିତ ଶୋଷକ ଶ୍ରେଣୀ ଶତ୍ରୁ ପ୍ରଶାସକ ବର୍ଗ ଆମେରିକାର ଆଭିମୂଖ୍ୟକୁ କାଏମରଖି ବର୍ଷ ବର୍ଷ ବିଶ୍ୱାସ ଘାତକର ବର୍ବର ପର୍ବ ପାଳି ଚାଲିଛନ୍ତି ଆମ ବିଶ୍ୱାସ ଓ ବିବେକକୁ ତୀବ୍ର କୁଠାର ଘାତ କରି କରି ।

ଭାରତ ବର୍ଷ ଆମେରିକାର ଜାଲିଆତି ଜାଲରେ ଛନ୍ଦି ହୋଇ ଯାଇଛି । ୧୯୯୧ରେ ଦେଶର ଅର୍ଥନୈତିକ ଦୂରାବସ୍ଥା ଯୋଗୁ ଆମେ ବାଧ୍ୟହୋଇ ବିଶ୍ୱବ୍ୟାଙ୍କର ଦ୍ୱାରସ୍ଥହେଲେ । ବିଶ୍ୱବ୍ୟାଙ୍କ ଆମ ଅର୍ଥନୀତିକୁ ସଂସ୍କାର ଆଣିବାପାଇଁ ଉଦାରିକାରଣ ରାସ୍ତାରେ ଯିବାକୁବାଧ୍ୟ କଲେ । ଏବେ ୨୦୨୦ ମସିହାରେ ଭୟଙ୍କର ଅର୍ଥନୈତିକ ଦୂରାବସ୍ଥାରୁ ମୁକୁଳିବା ପାଇଁ ପୁନଃଶ୍ଚ ବିଶ୍ୱବ୍ୟାଙ୍କ, ଆର୍ନ୍ତଜାତିକ ମୁଦ୍ରାପାଣ୍ଠିର ଶରଣ ପଶିବାକୁ ହେବ । ତାଙ୍କ ସର୍ତରେ ଆମେ ବାଧ୍ୟହୋଇ ସ୍ୱାକ୍ଷର କରିବା । ଯାହା ଫଳରେ ସବୁକ୍ଷେତ୍ରରେ ଆମେ ଆମେରିକାର ଶରଣ ପଶିବା ଯେଭଳି ୧୯୬୨ରେ ଚିନ୍‌-ଭାରତ ଯୁଦ୍ଧବେଳେ ଆମେରିକା ଶରଣ ପଶି ଖାଦ୍ୟ ପାଇଁ ଆକୁଳ ନିବେଦନ କରିଥିଲେ । ସବୁବେଳେ ଆମ ସରକାରମାନେ ଆମେରିକାର ବୋଲକରା ହୋଇ ରହିଥିବାରୁ ଆଜି ଦେଶରେ ଏଇ ଦାରୁଣ ଦୁର୍ଦ୍ଦଶା । ଭାରତ ବାସୀଙ୍କ ସ୍ୱାର୍ଥ ଅପେକ୍ଷା ଆମେରିକାର ବ୍ୟାଙ୍କ ସୁଧର ସୁରକ୍ଷା ଉପରେ ଆମ ସରକାର ବେଶି ଆଗ୍ରହୀ ହୋଇ ପଡିଥିବା ଭଳି ମନେ ହେଲାଣି ।

ଆମ ଦେଶକୁ ଚଳାଇବା ପାଇଁ ଆମେ ବିଦେଶି ଋଣ ଉପରେ ନିର୍ଭର ଶୀଳ । ସୁଧ ଦେବା ପାଇଁ ମଧ୍ୟ ଆମେ ଋଣ କରୁଛୁ । ଋଣଦାତାମାନଙ୍କ ମନମୁଖୀ ସର୍ତରେ ଆମେ ବାଧ୍ୟ ହୋଇ ରାଜି ହେଉଛେ । ଯାହା ଫଳରେ ଆମ ଦେଶର ଖଣିଜ ସମ୍ପଦ, ଅନ୍ୟାନ୍ୟ ପଦାର୍ଥ ଆମେକମ୍ ଦାମ୍‌ରେ ବିଦେଶକୁ ରତ୍ପାନୀକରୁଛେ । ମନେରଖିବେ – ଯେଉଁ ଦେଶରେ ଖଣିଜ ସମ୍ପଦ ବିଦେଶରୁ ରତ୍ପାନୀହୁଏ, ସେ ଦେଶ ଦୁର୍ଭାଗା, ସେ ଦେଶର ସରକାର ନିକମା । ପ୍ରାଚୁର୍ଯ୍ୟର ପାହାଡ ଉପରେ ଠିଆ ହୋଇ ସେ ସମ୍ପତିକୁ ଆମେ ଭୋଗ କରିପାରୁନୁ । ଏଥିପାଇଁ ଆମେ ସମସ୍ତେ ଦାୟୀ । ବିଶ୍ୱର ସବୁ ଦେଶର ସରକାର ଓ କ୍ଷମତା ସୀନ ଦଳମାନେ ରାଜ କୋଷକୁ ଚଳୁ କରିଦେଇ ଜନଗଣଙ୍କ ମୁଣ୍ଡରେ ଆର୍ଥିକ ବୋଝକୁ ଲଦି ଦେଉଛନ୍ତି । ଯାହାକାଳକ୍ରମେ ଭୟଙ୍କର ଅର୍ଥନୈତିକ ଆତଙ୍କବାଦ ପାଇଁ ଫାଟକ ଖୋଲି ଦେଇଛି ।

ଅର୍ଥନୈତିକ ଆତଙ୍କବାଦ ଆମେରିକା ଦ୍ୱାରା ପ୍ରୟୋଜିତ ପ୍ରୟୋଗାତ୍ମକ ପ୍ରହସନ । ଏ ପ୍ରହସନ ସପକ୍ଷରେ ଆବା ହାୱା ସୃଷ୍ଟିକରିବା ପାଇଁ ମିଡିଆଠୁ ଆରମ୍ଭ କରି ଭାରତୀୟ ଅର୍ଥନୈତିଜ୍ଞ, ବୁଦ୍ଧିଜୀବି ଓ ବିଶାରଦ ବର୍ଗଙ୍କୁ ବୁଦ୍ଧୁ ବନାଉଛି ଆମେରିକା । ବଜାରୀ ଅର୍ଥନୀତି ଯେମିତି ସରଳ ଖାଉଟି ସମାଜକୁ ନିଜ ପରୀକ୍ଷା ଗାରର ଗିନି ପିଗ୍ କରିବାଉଦ୍ଦେଶ୍ୟରେ ‘କୃତିମ ଅଭାବ’ର ସୁକ୍ଷ୍ମ ସୂତ୍ର ପ୍ରୟୋଗ କରିଥାଏ, ଏ ଅର୍ଥନୈତିକ ଆତଙ୍କବାଦ ଠିକ୍ ସେଇଭଳି ଏକ ବଜାରୀ ବଜ୍ରପାତ – ବିନା ମେଘର ମୁନାଫାରେ । ଏ ଅର୍ଥନୈତିକ ଆତଙ୍କବାଦ ପ୍ରକୃତ ପକ୍ଷରେ ଏକ ଭୟଙ୍କର ଅଭିସନ୍ଧିମୂଳକ ଅର୍ଥନୈତିକ ଅରାଜକତା । ଆଜିର ଏ ଆତଙ୍କପ୍ରଦ ଅର୍ଥନୀତି ହରଣଚାଲ୍ କରିଦେଇଛି ବିଶ୍ୱାସ, ବିବେକ, ମୂଲ୍ୟବୋଧ, ମନୁଷ୍ୟତା – ଅନେକକିଛି । ବଂଚିବା ଆଜି ଜୀବନଠୁ ଜରୁରୀ । ଏହି ଅବସ୍ଥାନାନ୍ତରିତ ଅବବୋଧ ହିଁ ଆଜି ଅର୍ଥନୀତି ତରଫରୁ ଉତ୍ପୀଡିକ ଅବଦାନ ।

ଭାରତର ଅର୍ଥନୀତି ଏପର୍ଯ୍ୟନ୍ତ ଭୁଲ୍ ଗଣିତର ଧାରାରେ କଷା ହୋଇ ଆସିଛି । ଏ ଅଙ୍କ କଷା କିଛି କୂଟିଳ ରାଜନୈତିଜ୍ଞ କାର୍ପଟଦାର ମାନଙ୍କର କଳା କାରସାଦି । ଯେଉଁଦିନ ଭାରତରେ ନିରନ୍ନ ଜନତା ଏ ଗଣିତ ପଛରେ ଥିବା ଆତଙ୍କକୁ ଅନ୍ତରେ ଅନ୍ତରେ ଉପଲବ୍‌ଧି କରିପାରିବେ, ସେଦିନ ନୂଆ ଭାରତର ନକ୍‌ସା ପାଇଁ ଆରମ୍ଭ ହେବ କଠୋର ସଂକଳ୍ପର ଦିନ । ଏବେ ବିଶ୍ୱ ବଜାରର ବଦନାମି ଗଳିଠାରୁ ଆରମ୍ଭ କରି ବଡଦାଣ୍ଡ ଯାଏ ଅବକ୍ଷୟୀ ପୁଞ୍ଜିବାଦର ଭିନ୍ନଭାଷା, ପୁଞ୍ଜି ପତି ମାନଙ୍କର ପ୍ରାଣ ମୂର୍ଚ୍ଛା ପ୍ରେତ କଳାପ ଆରମ୍ଭ ହୋଇ ଯାଇଛି । ଏକ ବିପୁଳ ଆତଙ୍କର ବିଶାକ୍ତ ବାତାବରଣ ସୃଷ୍ଟିକରି ପୁଞ୍ଜିବାଦର ପରୀକ୍ଷା ଗାରରେ ମଣିଷକୁ ବନ୍ଦୀ କରିବାର ଶେଷ ହତାଶ ଷଡଯନ୍ତ୍ର ଇଏ ।

କ’ଣ ହେଲା ଏ ଜୀବନ! କୁଆଡେ ହଜିଗଲା ଆମ ହଜାର ହଜାର ସ୍ୱପ୍ନର ସେଇ ସରସ ସୁନ୍ଦର ଜହ୍ନ ରାତି ସବୁ । ସମ୍ଭବତଃ କରୋନା କାଳୀନ ପୃଥିବୀର ପରିବର୍ତିତ ଅର୍ଥନୀତି ଏହି ଘନ ଘୋର ଅବ୍ୟର୍ଥ ଆଡକୁ ଅତିକ୍ରମ କରିବା ପାଇଁ ଏଣିକି ଜୀବନ ସଂଗ୍ରାମ ରଥ ମଣିଷ ମାନଙ୍କୁ ଜଣାଇବ ମଶାଲ ଜଳାର ଆହ୍ୱାନ । ୟା ପରର ଜୀବନ ଅନ୍ଧାର ଭିତରେ ତଲାସିବ ତା’ ରହଜିଯାଇଥିବା ଚନ୍ଦ୍ରତାରା । ସକାଳ ପୁଣି କାନ୍ଦିବ ତା’ର ପ୍ରାଚୀନ ସୂର୍ଯ୍ୟକୁ ଫେରି ପାଇବାକୁ । ହଁ! ଅର୍ଥନୀତିର ଅର୍ଥାନ୍ତର ହିଁ ଆମ ପାଇଁ ଆସନ୍ତାକାଲିର ଆହ୍ୱାନ – ଏବଂ ସେ ଆସନ୍ତାକାଲି ଆମ ଅନ୍ଧାର ରାତି ରଖି ଡିକି ଆର ପଟରେ ଠିକ୍ ।

ଯାଜପୁରରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ