କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ୩ ଦିନ ଛୁଟି

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ): ସମ୍ଭାବ୍ୟ ବାତ୍ୟା ‘ଆକବାନ’କୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିମନ୍ତେ ଆସନ୍ତା ନଭେମ୍ବର ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ତିନି ଦିନ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ରହିବ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀ ଏବଂ ଜିଲ୍ଲା ପ୍ରଶାସନର ଆଗୁଆ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଜିଲ୍ଲାର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ, ବେସରକାରୀ ଓ କେନ୍ଦ୍ରୀୟ ବିଦ୍ୟାଳୟ ଗୁଡ଼ିକୁ ଏହି ୩ ଦିନ ବନ୍ଦ ରଖାଯାଇଥିବା ନେଇ ଜିଲ୍ଲାପାଳ ରଘୁରାମ ଆର. ଆୟର ନିର୍ଦ୍ଦେଶ ଦେଇଥିବା ଜିଲ୍ଲା ଶିକ୍ଷାଧିକାରୀ ପବିତ୍ରମୋହନ ବାରିକ ସୂଚନା ଦେଇଛନ୍ତି।ବାତ୍ୟା ସମୟରେ କୌଣସି ଅଘଟଣ ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସମୟ ମଧ୍ୟରେ ପିଲାମାନଙ୍କୁ ଘର ଭିତରେ ସୁରକ୍ଷିତ ରଖିବା ସହ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିବାକୁ ଅଭିଭାବକମାନଙ୍କୁ ପରାମର୍ଶ ଦିଆଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ଛୁଟି ବୃଦ୍ଧି କରାଯିବା ନେଇ ଆବଶ୍ୟକ ପଡ଼ିଲେ ଯଥାସମୟରେ ସୂଚନା ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଥିବା ବେଳେ କେତେକ ବିଦ୍ୟାଳୟ କୋଠାକୁ ଆବଶ୍ୟକ ସ୍ଥଳେ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ଭାବେ ବ୍ୟବହାର କରିବାକୁ ଚିହ୍ନଟ କରାଯାଇଛି। ତେଣୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଶିକ୍ଷକମାନେ ପ୍ରଶାସନ ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜନସାଧାରଣ ଭୟଭୀତ ନହୋଇ ପ୍ରଶାସନିକ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବା ସହ ସତର୍କ ଓ ସଚେତନ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ