“ହ୍ୟୁମାନ ସ୍ମୃତି”ସମ୍ମାନ ପାଇ ଧାମନଗର ଗୌରବ ଆଣିଲେ ଯୁବ ଗୀତିକାର-ଗୁରୁଦତ୍ତ
ଧାମନଗର(ଓ୍ବାଇଏନଏସ): ସଂଘର୍ଷ ଓ ସାଧନାର ସଫଳତାକୁ ମିଳିଛି ସ୍ୱୀକୃତି। ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତର ୩ ହଜାର ଗୀତର ସ୍ରଷ୍ଟା ଯୁବ ଗୀତିକାର ଗୁରୁଦତ୍ତ ବେହେରା “ହ୍ୟୁମାନ ସ୍ମୃତି”ସମ୍ମାନରେ ସମ୍ମାନିତ ହୋଇ ଧାମନଗର ମାଟିର ଗୌରବ ଆଣିଛନ୍ତି। ନିଜ ଲେଖନୀରେ ଓଡ଼ିଆ ସଙ୍ଗୀତ ଜଗତରେ ସ୍ୱତନ୍ତ୍ର ଛାପ ଛାଡ଼ିଯାଇଥିବା କଣ୍ଠଶିଳ୍ପୀ ସ୍ୱର୍ଗତ ହ୍ୟୁମାନ ସାଗରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ହାଇସ୍କୁଲ ପଡ଼ିଆରେ ଆୟୋଜିତ “ହ୍ୟୁମାନ ସ୍ମୃତି” ସମ୍ମାନ ଓ ସମ୍ବର୍ଦ୍ଧନା ସମାରୋହରେ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଗ୍ରାମାଞ୍ଚଳରୁ ନିଜ ପ୍ରତିଭା ବଳରେ ସଙ୍ଗୀତ ଜଗତରେ ପରିଚୟ ସୃଷ୍ଟି କରିଥିବା ଗୁରୁଦତ୍ତଙ୍କ ଏହି ସଫଳତା ଧାମନଗର ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛି।ସ୍ୱର୍ଗତ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ କଣ୍ଠରେ ଗୁରୁଦତ୍ତଙ୍କ ଲିଖିତ ଲୋକପ୍ରିୟ ଗୀତ ‘ମାଆ ତୋ ବିନା ମୁଁ ରହି ପାରିବିନି’ ପାଇଁ ତାଙ୍କୁ ଏହି ସ୍ୱୀକୃତି ମିଳିଛି। ଗୁରୁଦତ୍ତ ଆଲବମ୍,ସିନେମା ଓ ଯାତ୍ରା ଜଗତ ପାଇଁ ଏଯାବତ୍ ୩ ହଜାରରୁ ଊର୍ଦ୍ଧ୍ୱ ଗୀତ ରଚନା କରିଥିବାବେଳେ ହ୍ୟୁମାନ ସାଗରଙ୍କ କଣ୍ଠରେ ତାଙ୍କ ଲେଖାରେ ହଜାରରୁ ଅଧିକ ଗୀତ ଲୋକପ୍ରିୟ ହୋଇଛି।ତାଙ୍କ ଲେଖାରେ ‘ଦୁଲୁକୁଡୁମା’, ‘କ୍ୟୁଟ୍ ଲଭର’, ‘ଗୋଟାପାନ’, ‘ମୋ ଜଗା କାଳିଆ,’ରେ କଳା ଠାକୁର’, ‘ଫେରିଆସ ବାପା’, ‘ମାଆ ତୁ ମୋ ଜୀବନ’, ‘ମୁଁ ଖୁଦାକୁ ମାଗିନି କିଛି’ ଓ ‘ରାଗିଛ କି ବାପା ତୁମେ’ ଭଳି ଅନେକ ଗୀତ ଶ୍ରୋତାଙ୍କ ମହଲରେ ଆଦୃତ ହୋଇଛି। ଗୁରୁଦତ୍ତ ବେହେରା “ହ୍ୟୁମାନ ସାଗର ସ୍ମୃତି” ସମ୍ମାନରେ ସମ୍ମାନିତ ହୋଇଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟିଛି।


