ଶୁଣିଲାନି ପ୍ରଶାସନ, ଗ୍ରାମ୍ୟ ରାସ୍ତା ନିର୍ମାଣ କଲେ ଯୁବକ
ବନ୍ତ,(ଚାନ୍ଦିନୀ ମହାନ୍ତି) : ସରକାର କିମ୍ବା ପ୍ରଶାସନ ଗ୍ରାମବାସୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେଲା ନାହିଁ । ଫଳରେ ଗ୍ରାମର ଯୁବକ ମାନେ ମିଳିମିଶି ଗ୍ରାମ୍ୟ ରାସ୍ତା ମରାମତି କରିଥିବା ଦେଖାଦେଇଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ମଙ୍ଗୁଲି ଗ୍ରାମରେ । ଏହି ଗ୍ରାମର ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଥିବା ବେଳେ ମରାମତି ନେଇ ଗ୍ରାମବାସୀ ମାନେ ପ୍ରଶାସନ ଠାରେ ବାରମ୍ବାର ଅଭିଯୋଗ କରିଆସିଛନ୍ତି । ରାସ୍ତା ଅବସ୍ଥା ଖରାପ ଯୋଗୁ ଗ୍ରାମ ମଧ୍ୟକୁ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡିଟଏ ଯାଇପାରୁନାହିଁ । ଏହି ରାସ୍ତା ଉପରେ ଗ୍ରାମବାସୀଙ୍କ ସମେତ ସ୍କୁଲ, କଲେଜ ପିଲାମାନେ ନିର୍ଭର କରିଥାନ୍ତି । ବର୍ଷା ଦିନେ ପିଲା ମାନେ ପାଣିକାଦୁଅରେ ବିଦ୍ୟାଳୟକୁ ଯାଉଛନ୍ତି । ଉକ୍ତ ରାସ୍ତା ମରାମତି ନେଇ ଗ୍ରାମବାସୀ ମାନେ ପଞ୍ଚାୟତ ଠାରୁ ବ୍ଳକ ଯାଏ ବାରମ୍ବାର ଅଭିଯୋଗ କରିଆସୁଛନ୍ତି । ହେଲେ କେହି ସେମାନଙ୍କ ଗୁହାରୀ ଶୁଣୁ ନାହାନ୍ତି । ଫଳରେ ଗ୍ରାମର ଯୁବକ ମାନେ ଏକତ୍ରିତ ହୋଇ ରାସ୍ତା ମରାମତି କରିଥିବା ଜଣାଯାଇଛି ।