୪୪ ଅଙ୍ଗନୱାଡି କେନ୍ଦ୍ରର ନାହିଁ ନିଜସ୍ୱ ଗୃହ, ଅସ୍ଥାୟୀ ଗୃହରେ ଚାଲିଛି ପାଠପଢା
ବନ୍ତ, (ଚାନ୍ଦିନୀ ମହାନ୍ତି ) : ରାଜ୍ୟ ଓ କେନ୍ଦ୍ର ସରକାର ଶିଶୁ ମାନଙ୍କ ବିକାଶ ପାଇଁ ବହୁବିଧ ଯୋଜନା ପ୍ରଣୟନ କରୁଥିବା ବେଳେ ଏନେଇ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି l ଏନେଇ ପ୍ରତି ଗ୍ରାମରେ ଅଙ୍ଗନୱାଡି ପ୍ରତିଷ୍ଠା କରାଯାଇ ଶିଶୁ ମାନଙ୍କୁ ପ୍ରାଥମିକ ଶିକ୍ଷା ସହ ସୁଷମ ଖାଦ୍ୟ ପ୍ରଦାନର ବ୍ୟବସ୍ଥା କରାଯାଇଛି l ଏପରିସ୍ଥଳେ କେତେକ ସ୍ଥାନରେ ଅଙ୍ଗନୱାଡି କେନ୍ଦ୍ର ଗୁଡିକର ଭିତ୍ତିଭୂମି ବିକାଶର ଅଭାବ ଯୋଗୁ ନାନାଦି ସମସ୍ୟା ପରିଲକ୍ଷିତ ହେଉଛି l ଏଭଳି ସମସ୍ୟା ଦେଖାଯାଇଛି ଭଦ୍ରକ ଜିଲା ବନ୍ତ ବ୍ଲକ ଅଧିନ ୪୪ ଅଙ୍ଗନୱାଡି କେନ୍ଦ୍ରରେ l ଏସମସ୍ତ କେନ୍ଦ୍ରର ନିଜସ୍ୱ ଗୃହ ନଥିବାରୁ ପିଲାମାନେ ଅସ୍ଥାୟୀ ଗୃହରେ ପାଠ ପଢୁଛନ୍ତି l ସୂଚନା ଅନୁଯାୟୀ ଏହି ବ୍ଲକରେ ମୋଟ ୨୩୮ଟି ଅଙ୍ଗନୱାଡି କେନ୍ଦ୍ର ରହିଥିବା ବେଳେ ସେଥିରେ ୪ ହଜାରରୁ ଅଧିକ ପିଲା ପାଠ ପଢୁଛନ୍ତି l ସେଥିମଧ୍ୟରୁ ୧୯୪ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ୱ ଗୃହ ରହିଛି l ଅବଶିଷ୍ଟ ୪୪ଟି କେନ୍ଦ୍ର ଅସ୍ଥାୟୀ ଗୃହରେ ଚାଲୁଥିବା ଜଣା ଯାଇଛି l ଏସମ୍ପର୍କରେ ସିଡିପିଓ ଆଲାଦୀ ମାରାଣ୍ଡିଙ୍କୁ ପଚାରିବାରୁ ୧୬ଟି କେନ୍ଦ୍ରର ଗୃହ ନିର୍ମାଣାଧୀନ ରହିଛି l ଆଉ ୭ଟି କେନ୍ଦ୍ରର ଘର ଆବଶ୍ୟକ ସରକାରୀ ଜାଗା ଚି଼ହ୍ନଟ ହୋଇ ନଥିବାରୁ ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଛି l ଅବଶିଷ୍ଟ ୨୧ଟି କେନ୍ଦ୍ର ପାଇଁ ସରକାରୀ ଅନୁଦାନ ଆସିନଥିବାରୁ ଗୃହ ନିର୍ମାଣ ହୋଇ ପାରିନଥିବା କହିଛନ୍ତି ।


