ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି

ହାଟଡ଼ିହି,(ଓ୍ବାଇଏନଏସ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ  ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ହୋଇଯାଇଛି। ହାଟଡ଼ିହି ବ୍ଲକର ବିଡିଓ  ରଞ୍ଜନ କୁମାର ପରିଡ଼ାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରେ  କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ,   ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ,  ଆନନ୍ଦପୁର ଉପଜିଲ୍ଲାପାଳ ନୀଳମାଧବ ସୁନା, ଆନନ୍ଦପୁର ଏସ୍ଡ଼ିପିଓ କମଳ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ  ୧୮୫ଟି ଅଭିଯୋଗର ଶୁଣାଣି କରିଥିଲେ।  ଅଭିଯୋଗ ମଧ୍ୟରେ ଗୋଷ୍ଠୀ ସମସ୍ୟା, ଗ୍ରାମ୍ଯ ସମସ୍ୟା, ବାଦ୍ଧକ୍ୟ ଭତ୍ତା, ରେସନକାର୍ଡ, ଜମିଜମା ଆଦି ସମସ୍ୟା ଆସିଥିଲା। ୩/୪ ମାସ ଅନ୍ତରରେ ଏହି ଶୁଣାଣି ହେଉଥିବାରୁ ବହୁ ଦୁର ଦୁରାନ୍ତରୁ ଶହ ଶହ ଲୋକ  ନିଜ ନିଜର ଅଭିଯୋଗ ନେଇ ଧାଇଁ ଆସିଥିଲେ। ଆଜିର ଅଭିଯୋଗରେ ଗ୍ରାମ୍ୟ ଗୃହ ନିର୍ମାଣ ସଂକ୍ରାନ୍ତ ୩୫ଟି, ପେନସନ ସଂକ୍ରାନ୍ତୀୟ ୬୨, କୃଷି ସମ୍ବନ୍ଧୀୟ ୩ଟି, ଜମି ଜମା ସଂକ୍ରାନ୍ତୀୟ ୨୫, ଆର୍ଥିକ ସହାୟତା ସମ୍ବନ୍ଧୀୟ ୨୦, ଲେବର କାର୍ଡ ସମ୍ବନ୍ଧୀୟ ୧୯ଟି, ପୋଲିସ ମାମଲା ସମ୍ବନ୍ଧୀୟ ୧୮ଟି ଓ ବଦଳି ସଂକ୍ରାନ୍ତୀୟ ୩ଟି ଅଭିଯୋଗର ଶୁଣାଣି କରାଯାଇଥିଲା। ଭିନ୍ନକ୍ଷମ ମାନଙ୍କୁ ଦିଆ ଯାଉଥିବା ବ୍ୟାଟେରୀ ଚାଳିତ ଗାଡି ଗୁଡିକ ଅଧିକାଂଶ ସମୟ ଖରାପ ହୋଇଯାଉଥିବାରୁ ତାକୁ ମରାମତି କରିବାରେ ହିତାଧିକାରୀ ମାନେ ନାନା ସମସ୍ୟା ଭୋଗୁଥିବା ଅଭିଯୋଗ କରିଛନ୍ତି। ଖରାପ ହେଉଥିବା ଯନ୍ତ୍ରାଂଶ ଗୁଡିକ ଏଠାରେ ଉପଲବ୍ଧ ହେଉ ନଥିବାରୁ କେନ୍ଦୁଝର ଯାଇ ଯାଇ ଅଯଥା ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ କରିଛନ୍ତି।  ସେହିପରି ସରଳା ଗ୍ରାମରେ ଅଙ୍ଗନବାଡି କର୍ମୀ ଚୟନରେ ହେଉଥିବା ଅବ୍ୟବସ୍ଥାକୁ ନେଇ ଗ୍ରାମ ବାସୀମାନେ ଅଭିଯୋଗ କରିଥିବା ବେଳେ ମରେଇଗାଁ ବିଶ୍ରାମ ଗାରକୁ ଜବର ଦଖଲ ନେଇ ଅଭିଯୋଗ କରିଥିଲେ। ସେହିପରି କେ.ବାଲିପାଳ ଗ୍ରାମକୁ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଥିଲେ। ଏହି ଶିବିରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଧନେଶ୍ୱର ସେଠୀ, ହାଟଡିହି ତହସିଲଦାର ସଞ୍ଜୟ ସାମନ୍ତରାୟ,  ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣ ଚନ୍ଦ୍ର ବାରିହା,  ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଭୁବନେଶ୍ୱରୀ ମହାନ୍ତ, ଉପଖଣ୍ଡ ସାମାଜିଜ ସୁରକ୍ଷା ଅଧିକାରୀ ପ୍ରତିମା ଦଣ୍ଡପାଟ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର କୁମାର ସାହୁ, ଉପଖଣ୍ଡ ଯୋଗାଣ ଅଧିକାରୀ ଶିବ ପ୍ରସାଦ ଶ୍ରୀଚନ୍ଦନ, ଗ୍ରାମ୍ୟ ଜଳଯୋଗାଣ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ମାନସ ରଞ୍ଜନ ପରିଡ଼ା,  ଆନନ୍ଦପୁର ଏସିଏଫ ଅଶୋକ କୁମାର ବିଶ୍ୱାଳ, ହଦଗଡ଼ ବନାଞ୍ଚଳ ଅଧିକାରୀ ମାର୍ଶାଲ କିସ୍କୁ,  ହାଟଡ଼ିହି ବ୍ଲକ ଶିକ୍ଷାଧିକାରୀ ରାଜୀବ ଦଳେଇ, ବ୍ଲକ ଶ୍ରମ ଅଧିକାରୀ ଶାଶ୍ଵତ ପଲେଇ, ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ପ୍ରିୟ ରଞ୍ଜନ ତିଆଡ଼ି,   ସିଡ଼ିପିଓ ଉମାମଣି ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ସାମିଲ ହୋଇଥିଲେ। ଶେଷରେ ୯ଜଣ ଦିବ୍ୟାଙ୍ଗଙ୍କୁ ବ୍ୟାଟେରୀ ଚାଳିତ ହୁଇଲ ଚେୟାର ବଣ୍ଟନ କରାଯାଇ ଥିଲା।  ବ୍ଲକର ସମସ୍ତ କର୍ମଚାରୀମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ