ପାଞ୍ଚାୟତ ନିର୍ବାଚନ ରାଜନୈତିକ ଉଷ୍ନତା ବୃଦ୍ଧି ପାଇଛି

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ପରେ ଜିଲ୍ଲାରେ ରାଜନୈତିକ ଉଷ୍ନତା ବୃଦ୍ଧି ପାଇଛି । ଚଳିତ ତ୍ରୀ ସ୍ତରୀୟ ପଞ୍ଚାୟତ ନିର୍ବାଚନ କରୋନା କଟକଣା ଭିତରେ ହେଉଥିବା ବେଳେ ଶାସକ ବିଜେଡି ସହିତ ବିଜେପି ଓ କଂଗ୍ରେସ ଭୋଟରମାନଙ୍କୁ ଆକର୍ଷିତ କରିବାରେ ଲାଗିପଡିଲେଣି । ଶାସକ ବିଜେଡି ସରକାରଙ୍କ ଜନହିତକର ଯୋଜନା ଯୋଗୁଁ ନିର୍ବାଚନ ବିଜେଡ଼ି ଦମରେ ଜିତିବାର ଆଶା ବାନ୍ଧିଥିବା ବେଳେ ବିଜେପି କେନ୍ଦ୍ର ସରକାରଙ୍କ ଯୋଜନା ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ନିର୍ବାଚନ ଲଢିବା ପାଇଁ ଅଣ୍ଟା ଭିଡିଛି । ସେପଟେ କଂଗ୍ରେସ ମଧ୍ୟ ପଛରେ ନାହିଁ, ସରକାରଙ୍କ ବିଫଳତା ଓ ଚାଷୀମାରଣ ନିତୀକୁ ନେଇ ନିର୍ବାଚନ ଲଢିବା ପାଇଁ ଯୋଜନା କରିଥିବା ଦେଖାଯାଇଛି । ପଞ୍ଚାୟତ ନିର୍ବାଚନ ଯେତିକ ପାଖେଇ ଆସୁଛି , ସେତିକି ଜୋର ଧରୁଛି ରାଜନୈତିକ ଅଙ୍କକଷା । ଜିଲ୍ଲାର ସାତୋଟି ବ୍ଲକରେ ୧୪୯ଟି ପଞ୍ଚାୟତ ଓ ୧୪ଟି ଜିଲ୍ଲା ପରିଷଦ ଆସନ ରହିଥିବା ବେଳେ ଏଥର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ଅନୁସୂଚିତ ଜନଜାତି ବର୍ଗ ପାଇଁ ସଂରକ୍ଷିତ ରହିଛି । ଚଳିତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାର ୫ ଲକ୍ଷ ୧୯ ହଜାର ୯୯୯ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଥିଲେ । ତେବେ ଚଳିତ ନିର୍ବାଚନ କରୋନା କଟକଣା ଭିତରେ ହେଉଥିବା ବେଳେ ଗାଁ ଗୁଡିକରେ ପ୍ରାର୍ଥୀମାନଙ୍କ ପକ୍ଷରୁ ସଭାସମିତି ବନ୍ଦ ରହିଛି । ଭୋଟର ଚଳିତ ନିର୍ବାଚନରେ ଉଚିତ ପ୍ରାର୍ଥୀ ଦେଖି ଭୋଟ କରିବେ ବୋଲି ପ୍ରକାଶ କରିଛନ୍ତି । ବିଗତ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି ନିଜର ଆସନ ଦଖଲ କରି ଅଧ୍ୟକ୍ଷ ଆସନ ହାତେଇଥିଲେ । ତେବେ ଚଳିତ ନିର୍ବାଚନରେ ରାଜ୍ୟ ସରକାରଙ୍କ ବିଫଳତା ତଥା କେନ୍ଦ୍ର ସରକାରଙ୍କ ଯୋଜନା ସବୁକୁ ଆଧାର କରି ତଥା ତୃଣମୂଳସ୍ତରରେ କର୍ମୀମାନଙ୍କ ତ୍ୟାଗ, ବଳିଦାନ କୁ ନେଇ ପୁଣି ଜିତିବାର ଆସା କରିଛି ବିଜେପି । ସେପଟେ କଂଗ୍ରେସ ଦଳ ମଧ୍ୟ ଗତ ନିର୍ବାଚନରେ ଗୋଟିଏ ବ୍ଲକ ଅଧ୍ୟକ୍ଷ ହାତେଇ ଚଳିତ ନର୍ବାଚନରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଂଚାଇବା ସହିତ ଚାଷୀମାନଙ୍କ ସମସ୍ୟା ତଥା ସ୍ଥାନୀୟ ସମସ୍ୟାକୁ ଆଧାର କରି ନିର୍ବାଚନ ବୈତରଣୀ ପାରି ହେବାର ଆଶା ରଖିଛି । ବିଗତ କିଛି ବର୍ଷ ହେଲା ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ତଥା ସ୍ମାର୍ଟ ହେଲ୍ଥ କାର୍ଡ, କରୋନା ସମୟରେ ସହାୟତା, ଆବାସ ହିତାଧିକାରୀଙ୍କୁ ପ୍ରତ୍ସାହନ ରାଶି , ଗାଁ ଗାଁରେ ବିଭିନ୍ନ ପ୍ରକାର ଉନ୍ନତିମୂଳକ କାମ ତଥା ରାଜ୍ୟ ସରକାରଙ୍କ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନାକୁ ନେଇ ଲୋକଙ୍କ ପାଖରେ ପହଂଚିବା ସହିତ ଏଥର ନିର୍ବାଚନରେ ସମସ୍ତ ଜିଲ୍ଲାପରିଷଦ ଆସନ ସହିତ ସାତୋଟି ବ୍ଲକର ଅଧ୍ୟକ୍ଷ ଆସନ ହାତେଇବ ବୋଲି ଦୃଢ ଆଶା ରଖିଛି ।ଅପରପକ୍ଷରେ ଚଳିତ ନର୍ବାଚନରେ କଂଗ୍ରେସ ଦଳର ଭଲ ପ୍ରଦର୍ଶନ କରିବା ନେଇ ଆଶା ବାନ୍ଧିଥିବା ବେଳେ ବିଜେପି ଯଦି ପ୍ରଧାନମନ୍ତ୍ରୀଙ୍କ ଯୋଜନା ତଥା ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଂଚାଇପାରିବ ତେବେ କିଛି ଆସନ ହାତେଇବା ସଂମ୍ଭାବନା ଦେଖାଯାଉଛି ନଚେତ ଶାସକ ବିଜେଡି ଦଳ କ୍ଲିନ ସୁଇପ କରିବ ବୋଲି ମତବ୍ୟକ୍ତ କରିଛନ୍ତି ରାଜନୈତିକ ସମୀକ୍ଷକ । ଗଜପତିରୁ ଜଣାଇଛନ୍ତି ସଭାପତି ପ୍ରଦିପ କୁମାର ନାୟକ । ଜିଲ୍ଲାରେ ଦୁଇ ଦୁଇଟି ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ଶାସକ ଦଳର ବିଧାୟକ ନଥିବା ବେଳେ ଚଳିତ ପଂଚାୟତ ନିର୍ବାଚନରେ ବିଜେଡି ଦଳକୁ ବିଜୟୀ କରିବା ଏକ ଚେଲେଞ୍ଜ ହୋଇଥିବା ବେଳେ ବିରୋଧୀ ମଧ୍ୟ ଅଣ୍ଟା ଭିଡିଛନ୍ତି । ତେବେ ଆଗାମୀ ଦିନରେ ଦେଖିବାକୁ ରହିଲା କାହାର ପଲ୍ଲା ଭାରି ରହୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ