ରକ୍ତଦାନ ଶିବିରରେ ୫୪ ୟୁନିଟ୍ ରକ୍ତ ସଂଗ୍ରହ
କଟକ, (ଓ୍ବାଇଏନଏସ): ମାନବ ସେବା ଓ ଜୀବନ ରକ୍ଷାର ମହତ୍ ଉଦ୍ଦେଶ୍ୟ ନେଇ ଭଟ୍ଟିମୁଣ୍ଡା ପଞ୍ଚାୟତସ୍ଥିତ ମା’ ଅମ୍ବିକା ଠାକୁରାଣୀଙ୍କ ପୀଠ ନିକଟରେ ଟେଟ୍ରାହେଡ୍ରନ୍ କଲେଜ ପକ୍ଷରୁ ଏକ ମହା ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରରେ ମୋଟ ୫୪ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ରକ୍ତଦାନ କ୍ଷେତ୍ରରେ ଟେଟ୍ରାହେଡ୍ରନ୍ କଲେଜର ଏହି ପ୍ରୟାସ କୌଣସି ନୂଆ ପଦକ୍ଷେପ ନୁହେଁ। ଟାଙ୍ଗୀ-ଚୌଦ୍ୱାର ଅଞ୍ଚଳରେ ରକ୍ତ ଅଭାବରୁ ଯେପରି କୌଣସି ରୋଗୀ ସଂକଟରେ ନ ପଡ଼ନ୍ତି, ସେହି ମହତ୍ ଉଦ୍ଦେଶ୍ୟ ନେଇ କଲେଜ ପକ୍ଷରୁ ପ୍ରତି ମାସରେ ଦୁଇଥର ନିୟମିତ ଭାବେ ରକ୍ତଦାନ ଶିବିର ଆୟୋଜନ କରାଯାଇଆସୁଛି। କଲେଜର ଚେୟାରମ୍ୟାନ୍ ତ୍ରିଦେବ ବେହେରାଙ୍କ ତତ୍ତ୍ୱାବଧାନରେ ଏହି ନିରନ୍ତର ସେବା କାର୍ଯ୍ୟ ଜାରି ରହିଛି। ଶିକ୍ଷାଦାନ ସହିତ ସାମାଜିକ ଦାୟିତ୍ୱବୋଧ ଓ ମାନବିକତାକୁ ପ୍ରାଥମିକତା ଦେଇ କଲେଜ ପକ୍ଷରୁ ନିଆଯାଉଥିବା ଏହି ପଦକ୍ଷେପ ଅଞ୍ଚଳବାସୀଙ୍କ ପାଇଁ ଏକ ଆଶାର ଆଲୋକ ପାଲଟିଛି। ଏହି ମହତ୍ କାର୍ଯ୍ୟକ୍ରମକୁ ଚେୟାରମ୍ୟାନ୍ ତ୍ରିଦେବ ବେହେରା ଓ କଟକ ଜିଲ୍ଲା ରେଡ୍କ୍ରସ୍ର ସଂଯୋଜକ ଡ. ସସ୍ମିତା ପଟ୍ଟନାୟକ ଶୁଭାରମ୍ଭ କରିଥିଲେ। ଶିବିରର ସଫଳ ଆୟୋଜନ ଓ ପରିଚାଳନାରେ ସ୍ଥାନୀୟ ଗ୍ରାମର ଯୁବକ ସରୋଜ କୁମାର ସାହୁ, ସଞ୍ଜୀବ କୁମାର ସାହୁ, ବିଜନ କୁମାର ସାହୁ, ତପନ କୁମାର ସାହୁ, ଶ୍ରୀଧର ସାହୁ (ବାଇନ), ସୁଶୀଲ କୁମାର ସାହୁ ଓ ଦୁର୍ଗାପ୍ରସାଦ ସାହୁ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଟେଟ୍ରାହେଡ୍ରନ୍ କଲେଜର ଏଭଳି ନିରନ୍ତର ପ୍ରୟାସ ଯୁବସମାଜ ମଧ୍ୟରେ ରକ୍ତଦାନ ପ୍ରତି ଆଗ୍ରହ ବୃଦ୍ଧି କରିବା ସହ ସମାଜରେ ସେବା ଓ ସହଯୋଗର ମନୋଭାବକୁ ସୁଦୃଢ଼ କରୁଛି। ଆଗାମୀ ଦିନରେ ମଧ୍ୟ ଏହି ଜନକଲ୍ୟାଣମୂଳକ କାର୍ଯ୍ୟଧାରା ଜାରି ରଖିବାକୁ କଲେଜ ପକ୍ଷରୁ ଉଦ୍ୟମ ଜାରି ରହିବ। ରକ୍ତଦାନ ମହାଦାନ। ଜଣେ ରକ୍ତଦାତାଙ୍କ ଦାନ ଅନ୍ୟ ଜଣଙ୍କ ଜୀବନ ରକ୍ଷାରେ ସହାୟକ ହୋଇପାରେ। ଏହି ମହତ୍ କାର୍ଯ୍ୟରେ ସାମିଲ ହୋଇଥିବା ସମସ୍ତ ରକ୍ତଦାତା ଭାଇଭଉଣୀଙ୍କୁ ଆୟୋଜକଙ୍କ ପକ୍ଷରୁ ଅଶେଷ କୃତଜ୍ଞତା ଓ ଧନ୍ୟବାଦ ଜଣାଯାଇଥିଲା।


