ଦେଶର ପ୍ରତ୍ୟେକ ଆଇଆଇଟି ହେଉଛି ରତ୍ନଭଣ୍ଡାର : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ଦେଶର ପ୍ରତ୍ୟେକ ଆଇଆଇଟି ହେଉଛି ରତ୍ନଭଣ୍ଡାର । ଜ୍ଞାନ ଏବଂ ଅଭିଜ୍ଞତାର ଗନ୍ତାଘର ଆଇଆଇଟି ଦେଶର ଭବିଷ୍ୟତ ପାଇଁ ରାସ୍ତା ସୁଗମ କରିବ ବୋଲି ଶୁକ୍ରବାର ଆଇଆଇଟି ଦିଲ୍ଲୀରେ ଦେଶରେ ପ୍ରଥମ ଥର ପାଇଁ ଆୟୋଜିତ ସବୁ ଆଇଆଇଟି- ଆର୍ ଆଣ୍ଡ୍ ଡି ପ୍ରଦର୍ଶନୀ ‘ଇନଭେନଟିଭ୍ ୨୦୨୨’କୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଶ୍ୱର ଅନେକ ଦେଶ ଆଇଆଇଟି କ୍ୟାମ୍ପସ ସ୍ଥାପନ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଏହା ହିଁ ଆମ ଆଇଆଇଟିର ଜ୍ଞାନ ଓ ଗୁଣବତ୍ତାକୁ ପରିଚୟ ଦେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଜୟ ଅନୁସନ୍ଧାନ’ର ନାରା ଦେଇଛନ୍ତି । ଆଇଆଇଟି ଦିଲ୍ଲୀରେ ଅନୁଷ୍ଠିତ ଇନଭେନଟିଭ୍ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ କଳ୍ପନାକୁ ଆଗକୁ ନେଉଛି । ସେହିପରି ଦେଶରେ ସ୍ୱଦେଶୀ ଜ୍ଞାନକୌଶଳରେ ଅନେକ ଟେକ୍ନୋଲୋଜି ଉଭାବନ କରାଯାଉଛି । ବିଶେଷ ଭାବରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନେକ ନୂତନ ଟେକ୍ନୋଲୋଜି ଉଦ୍ଭାବନ ହେଉଅଛି । ଏହି ଭାରତୀୟ ମଡେଲ ଗୁଡ଼ିକ ବିକାଶଶୀଳ ଅର୍ଥନୀତି ପାଇଁ ଏକ ମାର୍ଗଦର୍ଶିକା ଭାବରେ ଆସ୍ଥାଭାଜନ ହୋଇପାରିଛି । ସଫ୍ଟଓୟାର୍ ଡେଭଲପମେଣ୍ଟ, ଫାଇନାନ୍ସ ମ୍ୟାନେଜମେଣ୍ଟ, ମେଡିସନ ଏବଂ ଲିଗାଲ୍ ଆନାଲିଟିକ୍ସ ଭଳି କ୍ଷେତ୍ରରେ ଭାରତ ଅଗ୍ରଣୀ ନେତୃତ୍ୱ ନେଉଛି । ଦେଶବାସୀଙ୍କ ମଧ୍ୟରେ ଥିବା ବୌଦ୍ଧିକ କ୍ଷମତା ଭାରତକୁ ନୂଆ ବୈଶ୍ୱିକ ଦୃଶ୍ୟପଟ୍ଟରେ ଶିଖରରେ ପହଞ୍ଚାଇବାର କ୍ଷମତା ରଖିଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆମକୁ ଗବେଷଣା ଆଧାରିତ ଉଦ୍ୟମତା ବିକଶିତ କରିବାକୁ ହେବ । ଭାରତର ପ୍ରତିଭା, ଡିଜିଟାଲ କାରବାର, ବଜାର, କିଣିବା କ୍ଷମତା ଏବଂ ବଢୁଥିବା ଆକାଂକ୍ଷା ଭାରତକୁ ଦ୍ରୁତ ଗତିରେ ଆଗକୁ ନେଉଛି । ଆଇଆଇଟି ଗୁଡିକ ଏହି ସୁଯୋଗର ବ୍ୟବହାର କରିବାର କରିବା ଉଚିତ୍ । ଏହାବ୍ୟତିତ ସମାଜ ଏବଂ ବଜାର ସହ ନବସୃଜନକୁ ଯୋଡ଼ିବାକୁ ହେବ । ଦେଶରେ ସୃଷ୍ଟି ହେଉଥିବା ଜୈବ ବର୍ଜ୍ୟବସ୍ତୁର ସଠିକ୍ ଉପଯୋଗ କରାଗଲେ ଅର୍ଥନୀତିକୁ ସହାୟକ ହେବ । ଆଇଆଇଟି ଇଞ୍ଜିନିୟର କଲେଜ ଠାରୁ ଉର୍ଦ୍ଧ୍ୱରେ ରହିବାକୁ ହେବ । ନବସୃଜନ, ନିଯୁକ୍ତିଦାତା ସୃଷ୍ଟି କରିବା ଭଳି ବିଷୟକୁ ନେଇ ଆଇଆଇଟି ଗୁଡ଼ିକର ନୂଆ ମାପଦଣ୍ଡ ସ୍ଥିର କରିବାକୁ ହେବ । ପ୍ରଯୁକ୍ତିବିଦ୍ୟା, ଅଭିବୃଦ୍ଧି ଏବଂ ବିକାଶର ନୂଆ ଆବାହକ ହେବ ଏବଂ ଏଥିରେ ଆଇଟି ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ଶୀର୍ଷ ତାଲିକାରେ ରହିବ । ବିଶ୍ୱ ଭାରତରେ ଅଧିକ ପୁଞ୍ଜିନିବେଶ କରିବା ପାଇଁ ଇଚ୍ଛୁକ ଅଛି ଏବଂ ଆମର ଛାତ୍ରଛାତ୍ରୀ ଓ ଇନୋଭେସନ ବିଶ୍ୱରେ ଶ୍ରେଷ୍ଠ ସ୍ଥାନରେ ରହିବାର କ୍ଷମତା ରଖିଛନ୍ତି । ଦେଶରେ ଜାତୀୟ ଶିକ୍ଷା ନୀତି -୨୦୨୦ ଭଳି ସବୁଠୁ ବଡ଼ ସଂସ୍କାର ପ୍ରଣୟନ କରାଯାଉଛି । ଉଚ୍ଚ ଶିକ୍ଷାନୁଷ୍ଠାନ ବିଶେଷ ଭାବରେ ଆଇଆଇଟି ଦକ୍ଷତା ବିକାଶକୁ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲେ । ସେ ଆହୁରି କହିଥିଲେ ଯେ ଇନଭେନଟିଭ୍ କାର୍ଯ୍ୟକ୍ରମରେ ପ୍ରଦର୍ଶିତ ହୋଇଥିବା ୭୫ଟି ଇନୋଭେସନ ଆମର ଆଇଆଇଟିର ଗବଷେଣା ଓ ବିକାଶର କ୍ଷମତାକୁ ଦର୍ଶାଇଛି । ଜଟିଳ ବୈଶ୍ୱିକ ସମସ୍ୟାକୁ ସମାଧାନ କରିବା ଦିଗରେ ଇନଭେନଟିଭ୍ କାର୍ଯ୍ୟକ୍ରମ ସମାଧାନର ରାସ୍ତା ବାହାର କରିବ । ଏହି ଅବସରରେ ଆଇଆଇଟି ଦିଲ୍ଲୀ ପରିସରରେ ଥିବା ଭାରତୀ ସ୍କୁଲ୍ ଅଫ୍ ଟେଲିକମ୍ୟୁନିକେସନ ଆଣ୍ଡ୍ ମ୍ୟାନଜମେଣ୍ଟ ଅନୁଷ୍ଠାନ ପରିଦର୍ଶନ କରିଥିଲେ । ଇନଭେନଟିଭ୍ କାର୍ଯ୍ୟକ୍ରମରେ ଭାରତୀ ଏୟାରଟେଲର ଅଧ୍ୟକ୍ଷ ସୁନିଲ ଭାରତୀ ମିତ୍ତଲ, ଇନସ୍ପେଶର ଚେୟାରମ୍ୟାନ ପଓ୍ୱନ ଗୋଏଙ୍କା, ସାଏଣ୍ଟ ପ୍ରତିଷ୍ଠାତା ବିଭିଆର ମୋହନ ରେଡ୍ଡୀ, ସମସ୍ତ ୨୩ଟି ଆଇଆଇଟିର ନିର୍ଦ୍ଦେଶକ, ପ୍ରଫେସର, ଶିଳ୍ପ ନେତୃତ୍ୱ, ଇନୋଭେଟର ଓ ଆଇଆଇଟି ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ