ଯବାନ ସହ ଦୀପାବଳି ପାଳନ କରିଛନ୍ତି କାର୍ଗିଲରେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍):ସବୁଥର ପରି ଏଥର ବି ସେନା ଯବାନ ସହ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ସୋମବାର ପ୍ରଧାନମନ୍ତ୍ରୀ କାର୍ଗିଲରେ ପହଞ୍ଚି ଯବାନମାନଙ୍କୁ ସମ୍ବୋଧନ କରି ମୋ ପରିବାର ବୋଲି କହିଛନ୍ତି। ସେ କହିଛନ୍ତି ଯେ ସେନା ଯବାନ ହିଁ ମୋର ପରିବାର ଆଉ ଏହାଠାରୁ ଉତ୍ତମ ଦୀପାବଳି ଉତ୍ସବ ହୁଏତ ଆଉ ନଥିବ। ଚଳିତ ଥରକୁ ମିଶାଇ ମୋଦୀ ସେନା ଯବାନଙ୍କ ସହ ୯ମ ଥର ଦୀପାବଳି ପାଳନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ମଧ୍ୟ ଦୀପାବଳି ପାଳନ କରିବାକୁ କାର୍ଗିଲରେ ପହଞ୍ଚିଥିଲେ।ଏହି ଅବସରରେ ଯବାନଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶାନ୍ତି ବିନା ସାମର୍ଥ୍ୟ ସମ୍ଭବ ନୁହେଁ। ତେଣୁ ଏହାକୁ ଦୃଷ୍ଟିରେ ରଖି ସରକାର ସବୁବେଳେ ଯୁଦ୍ଧକୁ ଶେଷ ବିକଳ୍ପ ଭାବରେ ରଖି ଆସିଛି ବୋଲି ମୋଦୀ କହିଛନ୍ତି। ଦୀପାବଳିର ପ୍ରକୃତ ଅର୍ଥ ଆତଙ୍କକୁ ଶେଷ କରି ଉତ୍ସବ ପାଳନ କରିବା ବୋଲି ସେ କହିଛନ୍ତି।ସେନା ଯବାନଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି କାରଗିଲ୍‌ରେ ପାକିସ୍ତାନ ସହ ହୋଇଥିବା ଏମିତି ଗୋଟିଏ ବି ଯୁଦ୍ଧ ନାହିଁ ଯେଉଁଥରେ ଭାରତ ପାକିସ୍ତାନକୁ ଧୂଳି ଚଟାଇ ନାହିଁ। କାର୍ଗିଲ୍‌ରେ ଆମର ସେନା ଆତଙ୍କୀଙ୍କ ଫଣାକୁ ଦମନ କରିଥିଲା ଏବଂ ଦେଶରେ ବିଜୟର ଏଭଳି ଦୀପାବଳି ପାଳନ କରାଯାଇଥିଲା ଯାହାକୁ ଲୋକେ ଆଜି ବି ମନେପକାଉଛନ୍ତି। ଆତଙ୍କବାଦ ବିରୋଧରେ ଲଢ଼େଇର ପ୍ରଶଂସା କରି ଯବାନମାନଙ୍କୁ ମୋଦୀ କହିଛନ୍ତି ଯେ ଦ୍ରାସ, ବଟଲିକ୍ ଏବଂ ଟାଇଗର ହିଲ୍ ଆପଣମାନଙ୍କ ସାହସର ସାକ୍ଷୀ। କାରଗିଲରେ ଆମର ସୈନିକ ଆତଙ୍କବାଦକୁ ହରାଇବାରେ ସଫଳ ହୋଇଛନ୍ତି। ଏହି ଘଟଣା ମୁଁ ନିଜେ ସାକ୍ଷୀ ବୋଲି ମୋଦି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ