ବଦଳି ଆଦେଶକୁ ଅବଜ୍ଞା କରି ଅଧ୍ୟାପକଙ୍କୁ କୈଫିୟତ ତଲବ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଓଳାଭର ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଜନୈକ ଅଧ୍ୟାପକଙ୍କର ସେହି ବ୍ଲକ ଅନ୍ତର୍ଗତ ଏସ.ଏନ. ମହାବିଦ୍ୟାଳୟକୁ ବଦଳି ପରେ ସେ ବିଭାଗୀୟ ନିର୍ଦେଶକୁ ଅବଜ୍ଞା କରିବାରୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତାଙ୍କୁ କୈଫିୟତ ତଲବ କରାଯାଇଛି । ଏଥିସହିତ ମହାବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି ତଥା ଉପଜିଲ୍ଲାପାଳଙ୍କୁ ଉଚ୍ଚଶିକ୍ଷା ବିଭାଗ ସଂପୃକ୍ତ ଅଧ୍ୟାପକଙ୍କୁ ତୁରନ୍ତ ଭାରମୁକ୍ତ କରିବାକୁ ନିର୍ଦେଶ ଦେଇଥିଲେବି ପରିଚାଳନା ପରିଷଦର ସଭାପତି ତାଙ୍କୁ ଭାରମୁକ୍ତ ନକରିବା ପଛରେ ଉଦେଶ୍ୟ କ’ଣ ଜଣାପଡୁନି । ସରକାରଙ୍କ ନିର୍ଦେଶକୁ ଅବଜ୍ଞା କରିଥିବା ଜଣେ ଅଧ୍ୟାପକଙ୍କୁ ଜଣେ ପ୍ରଶାସନିକ ଅଧିକାରୀଙ୍କ ଏଭଳି ପ୍ରୋତ୍ସାହନ ପ୍ରଦାନ ଘଟଣା ଅନ୍ୟ ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କୁ ଭବିଷ୍ୟତରେ ସରକାରଙ୍କ ନିର୍ଦେଶକୁ ଅବଜ୍ଞା କରିବାକୁ ପ୍ରେରଣା ଯୋଗାଇବ । ଏଭଳି ଘଟଣାରେ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି । ଘଟଣା ଅନୁଯାଇ ସଂପୃକ୍ତ ଅଧ୍ୟାପକ ଜଣଙ୍କର ବଦଳି ହୋଇଥିବା ବେଳେ ସେ ଗାଦି ଛାଡୁନଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଫଳରେ ସେଠାରେ ଛାତ୍ର ଅଶାନ୍ତି ସୃଷ୍ଟି ହେବା ସହ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଠପଢାରେ ଗୁରୁତ୍ତର ବ୍ୟାଘାତ ସୃଷ୍ଟି ହେଉଥିବାର ମଧ୍ୟ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ଏସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜଣାଇଥିଲେ । ଏବେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସଂପୃକ୍ତ ଅଧ୍ୟାପକଙ୍କୁ ପତ୍ରସଂଖ୍ୟା- ୩୦୮୭୦ ତା ୨୧.୦୭.୨୦୨୩ରିଖରେ ବିଭାଗୀୟ ନିର୍ଦେଶନାମାକୁ ଅବଜ୍ଞା କରିଥିବା ନେଇ କୈଫିୟତ ତଲବ କରାଯିବା ସହ ଜୁନ ଓ ଜୁଲାଇ ଦୁଇମାସର ଦରମା କାହିଁକି ବନ୍ଦ କରାନଯିବ ବୋଲି କୈଫିୟତ ମଗାଯାଇଥିଲା । ବିଭାଗୀୟ ନିର୍ଦେଶନାମାକୁ ଅବଜ୍ଞା କରିଥିବାରୁ ତାଙ୍କ ବିରୋଧରେ କାହିଁକି ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ୭ଦିନ ମଧ୍ୟରେ କୈଫିୟତ ପ୍ରଦାନ କରିବାକୁ ଉଚ୍ଚଶିକ୍ଷା ବିଭାଗର ସ୍ୱରନ୍ତ୍ର ଶାସନ ସଚିବ ନିର୍ଦେଶ ଦେଇଥିଲେ । ଏଥିସହିତ ଏହି ଅଧ୍ୟାପକଙ୍କୁ ତୁରନ୍ତ ଭାରମୁକ୍ତ କରିଦେବାକୁ ସଂପୃକ୍ତ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କୁ ଉଚ୍ଚଶିକ୍ଷା ବିଭାଗର ସ୍ୱରନ୍ତ୍ର ଶାସନ ସଚିବ ନିର୍ଦେଶ ଦେଇଥିବା ବେଳେ ସେ ମଧ୍ୟ ସଂପୃକ୍ତ ଅଧ୍ୟାପକଙ୍କୁ ଭାରମୁକ୍ତ କରୁନଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଓଡିଶା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ସଂଖ୍ୟା- ୨୪୭୫୩ ତା ୯.୦୬.୨୦୨୩ରିଖରେ ଓଳାଭର ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଜନୈକ ଅଧ୍ୟାପକଙ୍କର ପ୍ରଶାସନିକ ଦୃଷ୍ଟିକୋଣରୁ ରାଜକନିକା ଏସ.ଏନ. ମହାବିଦ୍ୟାଳୟକୁ ବଦଳି ନିର୍ଦେଶନାମା ପ୍ରକାଶ ପାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ