ଚୋରା ମଦ ସହ ୬୦ ଲିଟର ପେଟ୍ରୋଲ-ଡିଜେଲ ଜବତ, ଅଭିଯୁକ୍ତ କୋର୍ଟ ଚାଲାଣ

ନାଉଗାଁ , (ପ୍ରଦୋଷ ମହାନ୍ତି) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଚୋରା ନିଶା କାରବାର ବିରୋଧରେ ନାଉଗାଁ ପୁଲିସର ଚଢ଼ାଉ ଜାରି ରହିଛି। ଏହି କ୍ରମରେ ଗତ ୨୭ ତାରିଖ ସନ୍ଧ୍ୟାରେ ପାଟ୍ରୋଲିଂ ସମୟରେ କୁଣ୍ଡେଶ୍ୱର ଗ୍ରାମର ଏକ ଗ୍ରୋସରି ଦୋକାନରୁ ଚୋରା ମଦ ସହ ବେଆଇନ ଭାବେ ରଖାଯାଇଥିବା ପେଟ୍ରୋଲ ଓ ଡିଜେଲ ଜବତ କରାଯାଇଛି।ଥାନାଧିକାରୀ ଦେବାଶିଷ ପଣ୍ଡାଙ୍କ ନିର୍ଦ୍ଦେଶରେ ଏସ୍‌ଆଇ ଜାକସନ ମାଝୀଙ୍କ ନେତୃତ୍ୱରେ ପୁଲିସ ଟିମ୍‌ ଚଢ଼ାଉ କରି କୁଣ୍ଡେଶ୍ୱର ଗ୍ରାମର ସୁକାନ୍ତ କୁମାର ରାଉତରାୟଙ୍କ ନିକଟରୁ ୨୦୦ ମିଲିଲିଟର ବିଶିଷ୍ଟ ୨୧ଟି ଆସ୍କା-୪୦ ମଦ ବୋତଲ, ମୋଟ ୪.୨ ଲିଟର, ଜବତ କରିଥିଲେ। ସେହିପରି ୫ଟି ପ୍ଲାଷ୍ଟିକ୍ କ୍ୟାନ୍‌ରୁ ୩୦ ଲିଟର ଡିଜେଲ ଓ ୬ଟି ପ୍ଲାଷ୍ଟିକ୍ ପାତ୍ରରୁ ୩୦ ଲିଟର ପେଟ୍ରୋଲ ଜବତ ହୋଇଥିଲା। ଏଥିସହ ଏକ ଲିଟର କ୍ଷମତା ବିଶିଷ୍ଟ ଆଲୁମିନିୟମ ଇନ୍ଧନ ମାପିବା ଜଗ୍‌ ମଧ୍ୟ ପୁଲିସ ଜବତ କରିଛି।ବିନା ଅନୁମତିରେ ବିପଜ୍ଜନକ ଭାବେ ପେଟ୍ରୋଲ, ଡିଜେଲ ଓ ଚୋରା ମଦ ରଖି ବିକ୍ରି କରାଯାଉଥିବା ଅଭିଯୋଗରେ ନାଉଗାଁ ଥାନାରେ କେସ୍‌ ନମ୍ବର ୨୨୦/୨୦୨୬ରେ ଓଡ଼ିଶା ଅବକାରୀ ଆଇନ, ଆବଶ୍ୟକ ସାମଗ୍ରୀ ଆଇନ ଓ ପେଟ୍ରୋଲିୟମ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ସୁକାନ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ