ପାରମ୍ପରିକ ଲୋକକଳା ପରିବେଷଣ ଦ୍ବାରା ଜିଲ୍ଲାରେ ସରକାରଙ୍କ ଜନହିତକର ଯୋଜନା

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ପାରମ୍ପରିକ ଲୋକକଳା ପରିବେଷଣ ଦ୍ବାରା ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତରେ ପ୍ରଚାର ପ୍ରସାର କରାଯାଇ ଲୋକେ ଯେମିତି ଏହି ଯୋଜନା ଗୁଡିକରୁ ଉପକୃତ ହୋଇ ପାରିବେ ସେଥି ସକାଶେ କୁହାଯାଇଛି । ଜିଲ୍ଲାରେ ରହିଥିବା ପାରମ୍ପରିକ ଲୋକକଳା ଦ୍ବାରା କିଭଳି ଯୋଜନାର ପ୍ରଚାର ପ୍ରସାର ହେବ ଏଥି ସକାଶେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏକ ଆଭାସୀ ପ୍ରସ୍ତୁତି ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇ ଜିଲ୍ଲାପାଳ ଶ୍ରୀ ପରିଡା ଅବଗତ କରାଇଥିଲେ ଯେ, ପ୍ରତି ଗାଁର ଅଧିକ ଲୋକମାନେ ଯୋଜନା ସମ୍ପର୍କରେ ଅବଗତ ହେବେ ତାହାକୁ ଦୃଷ୍ଟିରେ ରଖି କାର୍ଯ୍ୟଖସଡା ପ୍ରସ୍ତୁତ କରି କାର୍ଯ୍ୟକ୍ରମ ପରିବେଷଣ ହେବ । ଏହି କାର୍ଯ୍ୟକ୍ରମ ପରିବେଷଣରେ ଅଧିକ ଲୋକକଳା ଯେଭଳି ଅଂଶ ଗ୍ରହଣ କରିବେ ସେଥି ନିମନ୍ତେ ନୂତନ ଦଳଙ୍କୁ ପଞ୍ଜିକରଣ କରାଇ ଏଥିରେ ସାମିଲ କରିବା ପାଇଁ କହିଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରବି ନାରାୟଣ ବେହେରା କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇ ଏହାକୁ କିଭଳି ବ୍ଲକ୍ ସ୍ତରରେ ନୂତନ ଦଳ ଚୟନ କରି ପଞ୍ଜିକରଣ କରାଇବା, ବ୍ଲକ୍ ସ୍ତରୀୟ ପ୍ରଶିକ୍ଷଣ ପ୍ରଦାନ, ପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମ ପରିବେଷଣ ନିମନ୍ତେ କ୍ୟାଲେଣ୍ଡର ପ୍ରସ୍ତୁତି, ସମସ୍ତ କାର୍ଯ୍ୟକ୍ରମରେ ଲୋକ ପ୍ରତିନିଧିଙ୍କୁ ସାମିଲ, ସାଂସ୍କୃତିକ ଦଳଙ୍କୁ ଦେୟ ଇତ୍ୟାଦି ସମସ୍ତ ବିଷୟ ପ୍ରାଞ୍ଜଳ ଭାବରେ ଅବଗତ କରାଇଥିଲେ । ନୂତନ ସାଂସ୍କୃତିକଦଳ ଚୟନ କରିବା ପରେ ବ୍ଲକ୍ ସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜନ କରିବା ପାଇଁ ମତାମତ ଦେଇଥିଲେ । ଯାହା ଦ୍ବାରା ନୂତନ ପଞ୍ଜିକୃତ ଦଳ ଗୁଡିକ କାର୍ଯ୍ୟକ୍ରମର ଆଭିମୁଖ୍ୟ ଏବଂ ସରକାରଙ୍କ ଜନହିତକର ଯୋଜନା ସମ୍ପର୍କରେ ଅବଗତ ହୋଇପାରିବେ ଓ ପ୍ରଚାର ପ୍ରସାର କାର୍ଯ୍ୟ ବିନା ଦ୍ବିଧାରେ ସମାପନ ହେବ । ଅଧିକରୁ ଅଧିକ ଦଳଙ୍କୁ ସାମିଲ୍ କରି କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର କରିବାକୁ ରାଜ୍ୟ ସଂଯୋଜକ ତଥା ଅବସରପ୍ରାପ୍ତ ସଂସ୍କୃତି ବିଭାଗ ସହକାରୀ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ନିଶଙ୍କ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରତି ପଞ୍ଚାୟତରେ ଯେମିତି ଦୁଇଗୋଟି ଦଳ କାର୍ଯ୍ୟକ୍ରମ ପରିବେଷଣ କରିବେ ସେଥିପ୍ରତି ଦୃଷ୍ଟିଦେଇ ନୂତନ ଦଳଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ କହିଥିଲେ ।ଏହି ଆଭାସୀ ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ସମସ୍ତ ଉପଜିଲ୍ଲାପାଳ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲା କଳା ସାଂସ୍କୃତିକ ସଂଘର ଉପସଭାପତି, ବ୍ଲକ୍ କଳା ସାଂସ୍କୃତିକ ସଂଘର ଉପ ସଭାପତି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ