ଇପିଏଫ୍ ପେନ୍‌ସନ୍‌ର୍ସଙ୍କ ଧାରଣା ଆସନ୍ତା ୧୫ରେ

ବାଲେଶ୍ୱର, (ସରୋଜ ପଣ୍ଡା):ଅଲ୍ ଓଡ଼ିଶା ଇପିଏଫ୍ ପେନସନର୍ସ ଆସୋସିଏସନ୍‌ର ଆହ୍ୱାନରେ ଚଳିତମାସ ୧୫ ତାରିଖ ଶୁକ୍ରବାର ଦିନ ୧୦ଟାରୁ ଦୁଇଘଣ୍ଟା ପାଇଁ ବାଲେଶ୍ୱର ସହରରେଥିବା ମୁଖ୍ୟ ଡାକଘର ନିକଟସ୍ଥ ରାସ୍ତା ପାଶ୍ୱର୍ରେ ସଭ୍ୟମାନେ ଶାନ୍ତିପୂର୍ଣ୍ଣ ଗଣଧାରଣାରେ ବସିବେ । ମାସିକ ସର୍ବନିମ୍ନ ପେନସନ୍ ଏକହଜାର ଟଙ୍କାକୁ ବୃଦ୍ଧିକରି ନଅହଜାର ଟଙ୍କା ସହ ମହଙ୍ଗାଭତ୍ତା ଓ ମାନ୍ୟବର ସୁପ୍ରିମକୋର୍ଟଙ୍କ ଆଦେଶରେ ଉଚ୍ଚବେତନଭୋଗୀଙ୍କୁ ଅଧିକ ପେନସନ୍ ପ୍ରଦାନ ପ୍ରକ୍ରିୟାର ସରଳୀକରଣ ଦାବିରେ ଏହି ଗଣଧାରଣା ସମଗ୍ର ରାଜ୍ୟରେ ଅନୁଷ୍ଠିତ ହେବ ।ବାଲେଶ୍ୱର ଜିଲ୍ଲା କମିଟିର ସଭାପତି ଇଂ. ଅନାଦି ଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ଉଠାଜଳସେଚନ କର୍ମଚାରୀ ଭବନରେ ମଙ୍ଗଳବାର ଦିନ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ରାଜ୍ୟ ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ, ଅଫିସ୍ ସଂପାଦକ ଶ୍ୟାମସୁନ୍ଦର ଜେନା, କୋଷାଧ୍ୟକ୍ଷ ଜଳଧର ପଣ୍ଡା ପ୍ରମୁଖ ଏହି ବୈଠକରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଭବିଷ୍ୟନିଧି ସଂସ୍ଥା ପକ୍ଷରୁ ଦେଶର ୭୦ଲକ୍ଷ ପେନସନ୍‌ଭୋଗୀ ବରିଷ୍ଠ ନାଗରିକମାନଙ୍କ ସର୍ବନିମ୍ନ ଦାବି ପ୍ରତି ବିଚାର କରୁନଥିବାରୁ ଉଦ୍‌ବେଗ ପ୍ରକାଶ କରିଥିଲେ । ସର୍ବଶ୍ରୀ ଭୂପତି ଭୂଷଣ ଦାସ, ଭଗବାନ ମାଝୀ, ପୂର୍ଣ୍ଣଚନ୍ଦ୍ର ପାତ୍ର, ହରେକୃଷ୍ଣ ବେହେରା, ଗଣେଶ୍ୱର ଘଡ଼େଇ, ମଧୁସୂଦନ ପରିଡ଼ା, ଜଗନ୍ନାଥ ବେହେରା, ଶଶଧର ପରିଡ଼ା, ଶରତ ନାୟକ, ହରିଶ୍ଚନ୍ଦ୍ର ସାହୁ ପ୍ରମୁଖ ବିଭିନ୍ନ ସଂସ୍ଥା ପକ୍ଷରୁ ବୈଠକରେ ଉପସ୍ଥିତ ଥିଲେ । ଶରତ ଚନ୍ଦ୍ର ଦଳାଇ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ