ଭଙ୍ଗା ଗୃହରେ ବିପଦ ସଂଙ୍କୁଳ ଅଵସ୍ଥାରେ ବାରଣ୍ଡା ରେ ଚାଲିଛି ଶିକ୍ଷାଦାନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଭଙ୍ଗା ଶ୍ରେଣୀ ଗୃହରେ ବିପଦ ସଂକୁଳ ଅଵସ୍ଥାରେ ଏବଂ ବାରଣ୍ଡା ରେ ଭବିଷ୍ୟତ ଗଢା ଚାଲିଛି l ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଳକରେ l ସିନ୍ଦ୍ରିଗାଁ ଗ୍ରାମ ପଞ୍ଚାୟତ ର ମେଣ୍ଡିପାଙ୍ଗା ପ୍ରାଥମିକ ବିଦ୍ୟାଳୟ ବର୍ତ୍ତମାନ ୪୩ ବର୍ଷରେ ପଦାର୍ପଣ କରିଥିବା ବେଳେ ଶ୍ରେଣୀ ଗୃହ ଭଗ୍ନ ଅବସ୍ଥାରେ ରହିଛି l ବିପଦ ପୂର୍ଣ୍ଣ ଭାବେ ଶ୍ରେଣୀ ଗୃହ ଥିବାରୁ ଗୋଟିଏ କୋଠରୀ ରେ ପ୍ରଥମ ରୁ ପଞ୍ଚମ ଯାଏଁ ପାଞ୍ଚଟି ଶ୍ରେଣୀକୁ ପଢ଼ାନ୍ତି ଦୁଇ ଶିକ୍ଷକ l ୧୯୮୦ ମସିହା ରେ ସ୍ଥାପିତ ହେଇଥିବା ଏହି ବିଦ୍ୟାଳୟ ରେ ସର୍ବମୋଟ ୨୩ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରନ୍ତି l ସ୍ଥାନ ଅଭାବରୁ ଖରା ବର୍ଷା ଶୀତ ଦିନେ ବାରଣ୍ଡାରେ ବାଧ୍ୟ ହୋଇ ପାଠପଢା ଚାଲିଛି ବୋଲି ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ବେହେରା କହିଛନ୍ତି l ସରକାର ‘ସଭିଏ ପଢନ୍ତୁ ଓ ସଭିଏ ବଢନ୍ତୁ” ନାରା ଦେଇ ଶିକ୍ଷା କୁ ସାର୍ବଜନୀନ କରି ରାଜକୋଷରୁ କୋଟି କୋଟି ଅର୍ଥ ବ୍ୟୟ ବରାଦ କରୁଥିବା ବେଳେ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ହେଉ ଅବା ବ୍ଲକ୍ ପ୍ରଶାସନ ର ଚରମ ଅବହେଳା ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି l ଶିକ୍ଷକ ଅଭିଭାବକ କୋମଳମତି ଶିଶୁ ମାନେ ଭୟ ଓ ଆତଙ୍କ ରେ ରହିଛନ୍ତି l କିଛିଦିନ ତଳେ ସେହି ଗ୍ରାମ ପଞ୍ଚାୟତ ର କିଲୁପଡ଼ା ପ୍ରାଥମିକ ବିଦ୍ୟାଳୟ ରେ ସ୍କୁଲ୍ ଛାତ ଭୁଶୁଡ଼ି ଯିବାରୁ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ ଛାତ୍ର ଛାତ୍ରୀ ତଥାପି ବ୍ଲକ୍ ପ୍ରଶାସନ ବିଭାଗୀୟ ଅଧିକାରୀ ଙ୍କ ଚେତା ପଶୁନି l କିଲୁପଡ଼ା ସ୍କୁଲ ଛାତ ଭୁଶୁଡ଼ିବା ଘଟଣା ପରେ ଭୟ ରେ ଅଭିଭାବକ ପିଲାଙ୍କୁ ସ୍କୁଲକୁ ଛାଡ଼ୁ ନାହାନ୍ତି l ମରାମତି ଅଭାବରୁ ସ୍କୁଲ୍ ଛାତ କେତେବେଳେ ଯେ ଭୁଷୁଡି ପଡ଼ିବ କହିହେବ ନାହିଁ l ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ବିଭାଗୀୟ ଅଧିକାରୀ ବ୍ଲକ୍ ପ୍ରଶାସନ କୁ ବହୁବାର ଲିଖିତ ଅଭିଯୋଗ କରିଥିଲେ ବି କାହାର ନିଘା ନାହିଁ ବୋଲି ସହକାରୀ ଶିକ୍ଷକ ସୁରେଶ ଚନ୍ଦ୍ର ଦାସ ପ୍ରକାଶ କରିଛନ୍ତି l ସେହିଭଳି ପିଲାଙ୍କ ମଧ୍ୟାହ୍ନ ଭୋଜନ ରୋଷେଇ ମଧ୍ୟ ଭଙ୍ଗା ଘରେ ଚାଲିଛି ବୋଲି ପାଚିକା ସିନନ୍ତୀ ମଲିକ କହିଛନ୍ତି l ନଳକୂପ ଅଚଳ ଅବସ୍ଥାରେ ରହିଛି ଫଳରେ ଚୁଆଁ ପାଣିରେ ପ୍ରସ୍ତୁତ ହେଉଛି ମଧ୍ୟାହ୍ନ ଭୋଜନ, ପିଲାମାନେ ବାଧ୍ୟ ହୋଇ ଚୁଆଁ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରନ୍ତି ବୋଲି ଅଭିଭାବିକା ସୁଶିଳା ମଲିକ ପ୍ରକାଶ କରିଛନ୍ତି l ପ୍ରଶାସନ କଣ ଆଉ ଏକ ଦୁର୍ଘଟଣା କୁ ଅପେକ୍ଷା କରିଛି କି’ ବୋଲି ବୁଦ୍ଧିଜୀବୀ ମହଲ ରେ ପ୍ରଶ୍ନ ଉଠୁଛି l ତେବେ ପରିତ୍ୟକ୍ତ ସ୍କୁଲ୍ ଘର କୁ ଭାଙ୍ଗି ପ୍ରଶାସନ କେବେ ନୂତନ କୋଠା ନିର୍ମାଣ କରୁଛି ତାହା ଅଞ୍ଚଳବାସୀ ତଥା ଅଭିଭାବକ ଅପେକ୍ଷା କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ