କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ସମୀକ୍ଷା ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳାଇ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ବିଭାଗ, ସମସ୍ତ ୯ଟି ପଂଚାୟତ ସମିତି ଓ ତହସିଲ୍ କାର୍ଯ୍ୟାଳୟର କାର୍ଯ୍ୟକୁ ସମୀକ୍ଷା କରିଥିଲେ । ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପୀତାମ୍ବର ସାମଲ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାର ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ ସ୍ୱାଗତ ଜଣାଇଥିଲେ । ଆଜି ପର୍ଯ୍ୟନ୍ତ ସଂକ୍ଷିପ୍ତ ଭୋଟର୍ ତାଲିକା ସଂଶୋଧନରେ କେତେଜଣ ୧୮ ବର୍ଷରୁ ଉର୍ଦ୍ଧ୍ୱ ସାବାଳକ ଅନ୍‌ଲାଇନ୍ ମାଧ୍ୟମରେ ପଞ୍ଜିକରଣ କରି ଭୋଟର୍ ତାଲିକାରେ ନାମ ଦରଜ କରିଛନ୍ତି କିମ୍ବା ସଂଶୋଧନ କରିଛନ୍ତି ତା’ଉପରେ ସମୀକ୍ଷା କରିଥିଲେ । ସଂକ୍ଷିପ୍ତ ସଂଶୋଧନର ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ଯେତିକି ବାଦ୍ ପଡ଼ିଛନ୍ତି ସେମାନଙ୍କୁ ବୁଥ୍ ୱାଇଜ୍ ଅଙ୍ଗନୱାଡ଼ି କର୍ମୀ, ବିଏଲ୍‌ଓମାନେ ଘରକୁ ଘର ବୁଲି ସର୍ଭେ କରିବାର ଆବଶ୍ୟକତା ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ । ୨୦୨୦-୨୧ ଓ ୨୦୨୧-୨୨ ମସିହାରେ ମାଟ୍ରିକ୍ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ସଂକ୍ଷିପ୍ତ ଭୋଟର୍ ତାଲିକା ସଂଶୋଧନରେ ନାମ ପଞ୍ଜିକରଣ କରିଛନ୍ତି କି ନାହିଁ ଜାଣିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ପରାମର୍ଶ କରି ରିପୋର୍ଟ ଦେବାକୁ ସେ କହିଥିଲେ । ଜିଲ୍ଲା ପରିଷଦ ଅଧୀନରେ ୨୦୧୯ ମସିହାଠାରୁ ୨୦୨୩-୨୪ ଆର୍ଥିକ ବର୍ଷରେ ଅଟକଳ ପ୍ରକଳ୍ପରୁ ୨୯୮ଟି ସମ୍ପୂର୍ଣ୍ଣ ହୋଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମୋ ଘର, ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ୫-ଟି ହାଇସ୍କୁଲ ରୂପାନ୍ତରଣ, ଧାର୍ମିକ ସମ୍ପ୍ରଦାୟର ବିଭିନ୍ନ ଅନୁଷ୍ଠାନ, ଅଙ୍ଗନୱାଡ଼ି ଗୃହନିର୍ମାଣ, ଆମ ଓଡ଼ିଶା ନବୀନ ଓଡ଼ିଶା, ଏମ୍‌ପି ଲ୍ୟାଡ୍ ଏବଂ ଏମ୍‌ଏଲ୍‌ଏ ଲ୍ୟାଡ୍ ବିଷୟରେ ସମୀକ୍ଷା କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ବାଣୀଶ୍ରୀ ବୃତି, ସୁମଙ୍ଗଳ ଯୋଜନାରେ ବିବାହ ପ୍ରୋତ୍ସାହନ ରାଶି, ବାର୍ଦ୍ଧକ୍ୟ ଭତାର କାର୍ଯ୍ୟ ସମୀକ୍ଷା କରିଥିଲେ । ୨୦୨୪ ମସିହା ଜାନୁଆରୀ ୫ ତାରିଖରୁ ଆରମ୍ଭ ହେବାକୁ ଥିବା ଧାନ ସଂଗ୍ରହ ଓ ପିଡିଏସ୍‌ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସକ୍ରିୟ ଅଂଶଗ୍ରହଣ କାର୍ଯ୍ୟକୁ ସୁନିଶ୍ଚିତ କରିବାକୁ ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀଙ୍କୁ ରାଜସ୍ୱ ଆୟୁକ୍ତ ପରାମର୍ଶ ଦେଇଥିଲେ । ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ମିଶନ ଶକ୍ତି ଓ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ରାଜ୍ୟ ସରକାରଙ୍କ ଜନମଙ୍ଗଳକାରୀ କାର୍ଯ୍ୟକ୍ରମକୁ ସେ ସମୀକ୍ଷା କରିଥିଲେ । ବିଭାଗ ପକ୍ଷରୁ ଅନୁମୋଦିତ ୨୬୭ଟି ମିଶନ ଶକ୍ତି ଗୃହ ନିର୍ମାଣ ମଧ୍ୟରୁ ୨୩୭ଟି ଗୃହ ନିର୍ମାଣ କାର୍ଯ୍ୟ ଶେଷ ହେବା ସହ ୧୧ଟି ମିଶନଶକ୍ତି-କାଫେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି ବୋଲି ରାଜସ୍ୱ ଆୟୁକ୍ତଙ୍କୁ ସମୀକ୍ଷା ବୈଠକରେ ଅବଗତ କରାଯାଇଥିଲା । ତହସିଲ୍ କାର୍ଯ୍ୟାଳୟ ଗୁଡ଼ିକର କାର୍ଯ୍ୟକୁ ସମୀକ୍ଷା କରି ୨୦୨୩-୨୪ ମସିହା ଆର୍ଥିକ ବର୍ଷରେ ଅଧିକ ରାଜସ୍ୱ ଆଦାୟ ପାଇଁ ଗୁରୁତ୍ୱାରୋପ କରିବାକୁ ତହସିଲ୍‌ଦାରମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ । ଓଏଲ୍‌ଆର୍ ୧୯(୧)-ସି କଂଟେଷ୍ଟେଡ୍ ଏବଂ ନନ୍ କଂଟେଷ୍ଟେଡ୍ ମ୍ୟୁଟେସନ୍ କେସ୍‌, ଲିଗାଲ୍ ହେୟାର, ପଡ଼ି ରହିଥିବା ବେବନ୍ଦୋବସ୍ତ ମାମଲାର ଫଇସଲା, ଗ୍ରାମ୍ୟର ପରିସୀମା ଚିହ୍ନଟିକରଣ, ମିସ୍‌ଲାନିଅସ୍ କେସ୍‌, ଲଘୁ ଖଣିଜ ସମ୍ପଦରୁ ରାଜସ୍ୱ ଆଦାୟ ଓ ଏହାର ଚୋରା ଚାଲଣ ରୋକିବାକୁ ବଳିଷ୍ଠ ପଦକ୍ଷେପ ନେବାକୁ ସେ ତହସିଲ୍‌ଦାର୍ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଗୃହ ନିର୍ମାଣ ତଥା ନୂତନ ଆର୍‌ଆଇ ସର୍କଲ୍‌ର ଆବାସିକ ଗୃହ ନିର୍ମାଣ ମଧ୍ୟ ସମୀକ୍ଷା କରିଥିଲେ । ୨୦୨୩ ମସିହା ଅକ୍ଟୋବର ମାସ ସୁଦ୍ଧା ୬୪୫ଟି ଏନ୍‌ଫୋରସ୍‌ମେଂଟ୍ କେସ୍‌ରୁ ଜୋରିମାନା ବାବଦକୁ ୨୦ଲକ୍ଷ ୨୪ ହଜାର ୪୯ଟଙ୍କା ଆଦାୟ ହୋଇଥିଲା ବେଳେ ରୟାଲ୍‌ଟି ବାବଦକୁ ୫୧ ହଜାର ୪୨୪ଟଙ୍କା ଆଦାୟ ହୋଇଛି ବୋଲି ରାଜସ୍ୱ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହି ବୈଠକରେ ସମସ୍ତ ବିଡିଓ, ତହସିଲ୍‌ଦାର୍‌, ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ