ଗଜପତି ଜିଲ୍ଲାରେ ସମ୍ଭାବ୍ୟ ପ୍ରବଳ ବର୍ଷା ନିମନ୍ତେ ଜିଲ୍ଲାପାଳଙ୍କ ଜରୁରୀ ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଭାରତୀୟ ପାଣିପାଗ ବିଭାଗଙ୍କ ସ୍ବତନ୍ତ୍ର ସୂଚନା ମୁତାବକ ଗଜପତି ଜିଲ୍ଲାରେ ୪ତାରିଖ ଠାରୁ ୬ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଅଛି । ପୂର୍ବାନୁମାନ ଯେ ଗଜପତି ଜିଲ୍ଲାରେ ସତର୍କ ରହିବା ନିମନ୍ତେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ବୈଠକ ଆଭାସୀ ମାଧ୍ୟମରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଧାନ ସମସ୍ତ ଲାଇନ ବିଭାଗୀୟଙ୍କୁ ଅବଗତ କରାଇଥିଲେ ଯେ, ଭାରତୀୟ ପାଣିପାଗ ବିଭାଗର ସୂଚନା ମୁତାବକ ଆସନ୍ତା ୪ତାରିଖ ଠାରୁ ୬ ତାରିଖ ପର୍ଯ୍ୟନ୍ତ ଅଧିକ ବର୍ଷା ହୋଇପାରେ । ଏଣୁ ସମସ୍ତ କୃଷକ ମାନଙ୍କୁ ଅତ୍ୟଧିକ ସତର୍କ ରହିବା ନିମନ୍ତେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ପକ୍ଷରୁ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରାଯାଇଅଛି । ଯେଉଁ ଚାଷୀ ଗଣ ସେମାନଙ୍କ ଧାନ କାଟିସାରି ଛନ୍ତି ସେମାନେ ଅମଳ ଧାନକୁ ସୁରକ୍ଷିତ ସ୍ଥାନରେ ସାଇତି ରଖନ୍ତୁ । କଟା ହୋଇଯାଇଥିବା ଧାନ ଅମଳ ସମ୍ଭବ ନ ହେଲେ ତାହାକୁ ପଲିଥିନ୍ ଘୋଡାଇ ସୁରକ୍ଷିତ ରଖନ୍ତୁ । କଟା ଧାନକୁ ବିଲରେ ଶୁଖାନ୍ତୁ ନାହିଁ । ଅମଳ ଉପଯୋଗୀ ଅନ୍ଯାନ୍ଯ ଫସଲକୁ ଆସନ୍ତା ଡିସେମ୍ବର ୪ ତାରିଖ ପୂର୍ବରୁ ଅମଳ କରି ରଖନ୍ତୁ । କଟା ହୋଇଯାଇଥିବା ଧାନ ଅମଳ କରି ସୁରକ୍ଷିତ ସ୍ଥାନରେ ସାଇତି ରଖନ୍ତୁ । ବିଳମ୍ବ କିସମ ଧାନ ଜମିରୁ ବଳକା ପାଣି ନିଷ୍କାସନ କରିବା ପାଇଁ ନାଳ କରନ୍ତୁ ଓ ନାଳ ମୁହଁ ଖୋଲା ରଖନ୍ତୁ । ଧାନ ଗଛ ପଡିଯାଇଥିଲେ ବର୍ଷା ପରେ ହଳା କରି ଠିଆ କରନ୍ତୁ , ଅମଳ ଉପଯୋଗୀ ମାଣ୍ଡିଆ ଫସଲକୁ ଅମଳ କରି ସୁରକ୍ଷିତ ସ୍ଥାନରେ ସାଇତି ରଖନ୍ତୁ । କୃଷକଙ୍କ ସତର୍କତା ନିମନ୍ତେ ପ୍ରତି ଗ୍ରାମରେ ଏହି ବାର୍ତ୍ତା ପ୍ରଚାର ପ୍ରସାର କରିବାକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଧାନ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପାରଳାଖେମୁଣ୍ଡି ପୌର ପରିଷଦ ଅଞ୍ଚଳରେ ବର୍ଷା ଜନିତ ପାଣି ଜମା ହେବାର ସମ୍ଭାବନା ରହିଛି । ତେଣୁ ସ୍ଥିତି କୁ ଧ୍ୟାନରେ ରଖି ପୂର୍ବ ପ୍ରସ୍ତୁତି କରିବାକୁ କୁହାଯାଇଛି । ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଅଛି ଏଣୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇପାରେ ,ତେଣୁ ପୂର୍ବରୁ ଉକ୍ତ ସ୍ଥାନଗୁଡିକ ଚିହ୍ନଟ କରି ଆଗୁଆ ସଜାଗ ରହିବାକୁ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ମାନଙ୍କୁ କୁହାଯାଇଛି । ବାତ୍ୟା ଆଶ୍ରୟ ସ୍ଥଳ ତଥା ସ୍କୁଲ ଓ ଅଙ୍ଗୱାଡ଼ି କେନ୍ଦ୍ର ଗୁଡିକୁ ଯାଞ୍ଚ୍ କରି ସଜାଗ କରି ରଖିବାକୁ କୁହାଯାଇଛି ।ଏହି ଜରୁୀକାଳୀନ ବୈଠକରେ ଆରକ୍ଷୀ ଅଧିକ୍ଷକ ଗଜପତି ସୁଶ୍ରୀ ସ୍ଵାତୀ ଏସ କୁମାର,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବୀରେନ୍ଦ୍ର କୁମାର ଦାସ ଓ ଶ୍ରୀ ରାଜେନ୍ଦ୍ର ମିଞ୍ଜ,ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ ସମେତ ସମସ୍ତ ଜିଲ୍ଲାସ୍ତରୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ