ଅସହାୟ ଓ ଦିବ୍ୟାଙ୍ଗଙ୍କ ସେବାରେ ଲୋକନାଥ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନିଜେ ଦିବ୍ୟାଙ୍ଗ ହୋଇ ମଧ୍ୟ ଅସହାୟ, ଦିବ୍ୟାଙ୍ଗ, ଗରିବ ତଥା ଜରାଗ୍ରସ୍ତ ବ୍ୟକ୍ତିମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଥଇଥାନ ଓ ଜୀବନମାନର ରାହା ଦୀର୍ଘ ୨୯ବର୍ଷ ଧରି ଦେଖାଇଆସିବା ସହିତ ସେହି ଦିଗରେ ସହଯୋଗର ହସ୍ତ ବଢାଇ ଆସୁଛନ୍ତି ସାମାଜିକ ସଂଗଠନ ନୟାଗଡ଼ ଶରଣକୁଳ ‘ଆଶ୍ରୟ’ର ପ୍ରତିଷ୍ଠାତା ତଥା ଏକାଧାରାରେ ଜଣେ କଳାକାର, ଏକକ ଅଭିନେତା, ଶତକ ରକ୍ତଦାତା, ସମାଜସେବୀ, ସଂପାଦକ, ସଂଗଠକ ତଥା ବହୁମୁଖୀ ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱ ଲୋକନାଥ ଦାଶ । ଦିବ୍ୟାଙ୍ଗ ଓ ଅସହାୟମାନଙ୍କ ପାଇଁ ୧୯୯୪ ମସିହାରେ ‘ଆଶ୍ରୟ’ ନାମକ ସଂଗଠନ ଆରମ୍ଭ କରନ୍ତି । ୧୯୭୧ ମସିହା ସଂସ୍କୃତି ସମ୍ପନ୍ନ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଶରଣକୂଳର ବାଉଁଶିଆ ଗ୍ରାମରେ ସେ ଭୂମିଷ୍ଠ ହୁଅନ୍ତି । ଦେଢ ବର୍ଷ ବୟସରୁ ତାଙ୍କ ଶରୀରର ଡାହାଣ ପାଖ ହାତ ଓ ଗୋଡ଼ ପୋଲିଓଗ୍ରସ୍ତ ହୋଇଯାଇଥିଲା । କହିବାକୁଗଲେ ଚାଲିବା ସମ୍ଭବ ହେଉ ନଥିଲା । ମାତ୍ର ଦୃଢ ଇଚ୍ଛା ଶକ୍ତି, କର୍ମ ଦକ୍ଷତା ତଥା ସମାଜ ପାଇଁ କିଛି କରିବାର ପ୍ରବଳ ଇଚ୍ଛା ନେଇ ଆଗକୁ ଆଗକୁ ଯିବା ପାଇଁ ଦୃଢ ମନସ୍ଥ କରି ଚାଲିଲେ । ଉକ୍ତ ସଂଗଠନ ମାଧ୍ୟମରେ ଅସହାୟମାନଙ୍କ ପାଇଁ ବିଭିନ୍ନ ପ୍ରକାର କର୍ମଶାଳା, ଆଲୋଚନାଚକ୍ର, ମେଧାବୀ ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କୁ ଆର୍ଥିକ ସହାୟତା, ପାଠ୍ୟ ସାମଗ୍ରୀ ବଂଟନ, ଦିବ୍ୟାଙ୍ଗଙ୍କଜ ପାଇଁ ଅନ୍ନ ବସ୍ତ୍ର ଓ ବାସସ୍ଥାନର ବ୍ୟବସ୍ଥା ଦୀର୍ଘ ୨୯ ବର୍ଷ ଧରି କରିଆସୁଛନ୍ତି । ଏହା ସହିତ ପ୍ରାୟ ୮୦୦ରୁ ଉର୍ଦ୍ଧ୍ୱ ସ୍ୱାସ୍ଥ୍ୟଶିବିରର ଆୟୋଜନ, ଦୁଆର ପଇଠ ଯୋଜନା (ଊକ୍ଟକ୍ଟକ୍ସ ଝଗ୍ଧରକ୍ଟ୍ର) । ଏହି ଯୋଜନା ମାଧ୍ୟମରେ ଭିନ୍ନକ୍ଷମ ବ୍ୟକ୍ତିତ୍ୱମାନଙ୍କୁ ବିଭିନ୍ନ ପ୍ରକାର ସାମଗ୍ରୀ ସେମାନଙ୍କ ନିକଟରେ ପହଂଚାଇବାର ବ୍ୟବସ୍ଥା କରାଇଥାନ୍ତି । ଏ ପର୍ଯ୍ୟନ୍ତ ୧୪୫ ଥର ରକ୍ତଦାନ କରି ସରକାର ଓ ବିଭିନ୍ନ ସଂଗଠନମାନଙ୍କଠାରୁ ସମ୍ମାନ ଓ ପୁରସ୍କୃତ ହୋଇଛନ୍ତି । ମହାମହିମ ରାଜ୍ୟପାଳଙ୍କଠାରୁ ରାଜ୍ୟପାଳ ପୁରସ୍କାର, ମୁଖ୍ୟମନ୍ତ୍ରୀ ସମ୍ମାନ ସହିତ ଶତାଧିକ ସମ୍ମାନ ଓ ପୁରସ୍କାର ପାଇଥିଲେ ମଧ୍ୟ ସରଳ, ମିଷ୍ଠଭାଷୀ ଏବଂ ଅଭାବୀ, ଅସହାୟଙ୍କ ମୁହଁରେ ଖୁସିର ଖୋରାକ ଟିକେ ଯୋଗାଇବା ପାଇଁ ଅହରହ ପ୍ରୟାସ ଜାରୀ ରଖିଛନ୍ତି । ଦିବ୍ୟାଙ୍ଗ ଓ ଅସହାୟ ବ୍ୟକ୍ତିବିଶେଷଙ୍କୁ ଆତ୍ମନିର୍ଭରଶୀଳ କରାଇବା ପାଇଁ ବହୁ କାର୍ଯ୍ୟକ୍ରମମାନ କରିଆସୁଛନ୍ତି । ପିତା ନାରାୟଣ ଦାସ ଓ ମାତା ହାରାମଣୀଙ୍କ ସୁଯୋଗ୍ୟ ସନ୍ତାନ ଲୋକନାଥ ବାବୁ ନିଜର ଏକ ସ୍ୱତନ୍ତ୍ର ପରିଚୟ ଜନସାମାଜରେ ସୃଷ୍ଟି କରିପାରିଛନ୍ତି । ଆଶ୍ରୟ ମାଧ୍ୟମରେ ଭିନ୍ନକ୍ଷମମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ପତ୍ରିକା ପ୍ରକାଶିତ କରି ସେଥିରେ ବହୁ ମୂଲ୍ୟବାନ ତଥ୍ୟ, ସରକାରଙ୍କ ସୂଚନା, ବିଭିନ୍ନ ଆଲେଖ୍ୟ ତଥା ବହୁ ସଚେତନତାମୂଳକ କାର୍ଯ୍ୟକ୍ରମର ବିବରଣୀ ସ୍ଥାନିତ ହେବା ସହିତ ଅସହାୟମାନଙ୍କ କାର୍ଯ୍ୟରେ ଲାଗି ପାରିଛି । ପ୍ରକୃତରେ କହିବାକୁ ଗଲେ ଲୋକନାଥ ଦାଶଙ୍କ ପରି ବ୍ୟକ୍ତିତ୍ୱ ଅସହାୟ ଓ ଦିବ୍ୟାଙ୍ଗଙ୍କ ପାଇଁ ଦେବଦୂତ ସଦୃଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ