ଏଗାର ବର୍ଷ ପରେ ଜବରଦଖଲ ଉଚ୍ଛେଦ ନିଷ୍ପତି

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଓଳଗ ପଞ୍ଚାୟତ ସ୍ଥିତ ସାଠିବାଙ୍କୁଡା ଗ୍ରାମରେ କିଛି ବ୍ୟକ୍ତି ସରକାରୀ ଜମିକୁ ଜବର ଦଖଲ କରି ଆସୁଥିଲେ । ରଖିତ, ଗୋଚର, ପାଣିନାଳ କିସମ ଥିବା ଜମି ଉପରେ କିଛି ବ୍ୟକ୍ତି ସ୍ଥାୟୀ ଘର କରି ବସବାସ କରୁଥିବା ବେଳେ ଆଉ କିଛି ବ୍ୟକ୍ତି ପନିପରିବା ଚାଷ, ପାଇଖାନା ନିର୍ମାଣ କରି ଚଳି ଆସୁଥିଲେ । ଗ୍ରାମବାସୀ ମାନେ ସେମାମଙ୍କୁ ଏଥିରୁ ନିବୃତ୍ତ ରହିବାକୁ ବାରମ୍ବାର କୁହା ଯାଉଥିଲେବି ଜବର ଦଖଲ କାରୀ ଏହାକୁ କର୍ଣ୍ଣପାତ କରିନଥିଲେ । ଫଳରେ ଗ୍ରାମବାସୀ ମିଳିତ ଭାବରେ ଏ ସଂକ୍ରାନ୍ତରେ ୨୦୧୩ ମସିହାରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ । ଏହାକୁ ବିଚାରକୁ ନେଇ ମାନ୍ୟବର ଅଦାଲତ ମଧ୍ୟ ଜବର ଦଖଲ ଉଚ୍ଛେଦ ପାଇଁ ୨୦୧୭ ମସିହାରେ ଭଦ୍ରକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହି ନିର୍ଦ୍ଦେଶ କାଗଜ, କଲମରେ ସୀମିତ ରହିଥିଲା । ଗ୍ରାମବାସୀ ମାନେ ମଧ୍ୟ ବାରମ୍ବାର ଚାନ୍ଦବାଲି ତହସିଲଦାରଙ୍କ ଠୁଁ ଆରମ୍ଭ କରି ଜିଲ୍ଲାପାଳଙ୍କ ନିକଟକୁ ଯାଇଯାଇ କୌଣସି ଫଳ ପାଇନଥିଲେ । ଚଳିତ ମାସ ୧୬ ତାରିଖରେ ଚାନ୍ଦବାଲି ଠାରେ ହେଉଥିବା ଜନ ଶୁଣାଣୀରେ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କୁ ଜବରଦଖଲ ଉଚ୍ଛେଦ କେବେ ହେବ ଓ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ କାହିଁକି କାର୍ଯ୍ୟକାରୀ ହେଉନି ବୋଲି ଜାଣିବାକୁ ଚାହିଁଥିଲେ । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ଚଳିତ ମାସ ୨୭ ତାରିଖରେ ଜବରଦଖଲ ଉଚ୍ଛେଦ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବାଲୁ ଚାନ୍ଦବାଲି ତହସିଲଦାର ଅଶ୍ବିନୀ କୁମାର ଭୂୟାଁଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତହସିଲଦାର ଆରଡି ରାଜସ୍ବ ନିରୀକ୍ଷକ ଦେବାଶିଷ ରାୟଙ୍କୁ ଜବରଦଖଲ ଜମି ଉଦ୍ଧାର କରିବାକୁ ବ୍ୟବସ୍ଥା ଗ୍ରହଣ କରିବା ପୂର୍ବକ ଜବରଦଖଲକାରୀଙ୍କୁ ନୋଟିସ ଦେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ରାଜସ୍ବ ନିରୀକ୍ଷକ ମଧ୍ୟ ସରକାରୀ ଜମି ଉଚ୍ଛେଦ ସଂକ୍ରାନ୍ତୀୟ ନୋଟିସ ପ୍ରଦାନ କରିଥିଲେ । ୨୭ ତାରିଖ ପରିବର୍ତ୍ତେ ୩୦ ତାରିଖରେ ଏହି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ହେବ ବୋଲି ତହସିଲଦାର ଆଜି ସାଠିବାଙ୍କୁଡା ଆସି ଲୋକମାନଙ୍କୁ ଅବଗତ କରିଥିଲେ । ତହସିଲଦାରଙ୍କ ସହ ଧୂଷୁରୀ ଥାନା ଅଧିକାରିଣୀ ବନାନୀ ବେହେରା, ଆରଡି ଫାଣ୍ଡି ଅଧିକାରୀ ସୁରେନ୍ଦ୍ର ମଲ୍ଲ ମଧ୍ୟ ଉପସ୍ଥିତ ଥିଲେ । ଉଚ୍ଛେଦ ପ୍ରକ୍ରିୟା କାର୍ଯ୍ୟକାରୀ କରିବାକୁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ରହିଛି ଓ ଏହାକୁ ୩୦ ତାରିଖରେ ପାଳନ କରାଯିବ ବୋଲି ତହସିଲଦାର ଶ୍ରୀ ଭୂୟାଁ ସୂଚନା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ