ଇପିଏଫ୍ ପେନସନ୍‌ଭୋଗୀଙ୍କ ଜିଲ୍ଲା କମିଟି ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ଆସନ୍ତା ସାଧାରଣ ନିର୍ବାଚନରେ ଇପିଏଫ୍ ପେନ୍‌ସନ୍‌ଭୋଗୀମାନେ ବର୍ତ୍ତମାନର କେନ୍ଦ୍ର ସରକାରରେ ଥିବା ରାଜନୈତିକ ଦଳଙ୍କୁ ଭୋଟ ନ ଦେବାକୁ ଅଲ୍ ଓଡ଼ିଶା ଇପିଏଫ୍ ପେନସନର୍ସ ଆସୋସିଏସନ୍ ବାଲେଶ୍ୱର ଜିଲ୍ଲା କମିଟି ନିଷ୍ପତ୍ତି ଗ୍ରହଣ କରିଛି ଓ ରାଜ୍ୟ କମିଟି ଏହି ନିଷ୍ପତ୍ତିକୁ ରାଜ୍ୟବ୍ୟାପୀ କାର୍ଯ୍ୟକାରୀ କରିବାକୁ ଜଣାଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ କର୍ମଚାରୀ ଭବିଷ୍ୟନିଧି ପାଣ୍ଠିରୁ ମାତ୍ର ମାସିକ ଏକହଜାର ଟଙ୍କା କିମ୍ବା ତହିଁରୁ କମ୍ ଟଙ୍କା ପେନସନ୍ ପାଉଛନ୍ତି । ଏହି ସ୍ୱଳ୍ପ ପେନସନ୍ ପାଉଥିବା ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା ଦିଆଯାଉ ନାହିଁ । ଅଧିକ ଦରମା ପାଉଥିବା କର୍ମଚାରୀମାନଙ୍କୁ ଅବସର ପରେ ସେହି ଅନୁପାତରେ ପେନସନ୍ ଦେବାକୁ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ଆଦେଶକୁ ବିଭିନ୍ନ ଆଳରେ ସରକାର କାର୍ଯ୍ୟକାରୀ କରୁନାହାନ୍ତି । ଜାତୀୟସ୍ତରରେ ବହୁବାର ଦାବି ଓ ଆନ୍ଦୋଳନ କଲେବି, କିଛି ସୁଫଳ ମିଳିନାହିଁ । ସଂସଦରେ ନିର୍ବାଚିତ ସାଂସଦମାନେ ଏହି ବୟସ୍କବ୍ୟକ୍ତିଙ୍କ ଆର୍ଥିକ ଦୁରାବସ୍ଥା ସଂପର୍କରେ ସରକାରଙ୍କୁ ଅବଗତ କଲେ ମଧ୍ୟ କେନ୍ଦ୍ର ସରକାର ଦୀର୍ଘ ଦଶବର୍ଷ ଧରି କୌଣସି ନିଷ୍ପତ୍ତି ଗ୍ରହଣ କରୁନାହାନ୍ତି । ତେଣୁ ଜିଲ୍ଲା କମିଟି ବୈଠକ ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ବୈଠକରେ ଜିଲ୍ଲା ସଂପାଦକ ବିଷ୍ଣୁପ୍ରସାଦ ମହାନ୍ତି ଇପିଏଫ୍ ପେନସନ୍‌ଭୋଗୀ ବୟସ୍କବ୍ୟକ୍ତିଙ୍କ ପ୍ରତି କେନ୍ଦ୍ରସରକାରଙ୍କ ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ । ଦରଦାମ୍ ବୃଦ୍ଧି ହେଉଥିବାବେଳେ ଏହି ସ୍ୱଳ୍ପ ପେନସନ୍‌ରେ ବୟସ୍କ ନାଗରିକମାନେ ନିଜ ଜରାରୋଗର ଚିକିତ୍ସା ମଧ୍ୟ କରାଇ ପାରୁନାହାନ୍ତି । ତେଣୁ କେନ୍ଦ୍ର ସରକାର ଯଦି ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ମାସିକ ସର୍ବନିମ୍ନ ନଅହଜାର ଟଙ୍କା ପେନସନ୍ ସହ ମହଙ୍ଗା ଭତ୍ତା ଓ ଚିକିତ୍ସା ଖର୍ଚ୍ଚ ପ୍ରଦାନ ପାଇଁ ଘୋଷଣା ନ କରନ୍ତି ତେବେ ଆସନ୍ତା ସାଧାରଣ ନିର୍ବାଚନରେ ଇପିଏଫ୍ ପେନସନ୍‌ଭୋଗୀଙ୍କ ପରିବାର ଓ ସଂପର୍କୀୟମାନେ ସରକାରୀ ଦଳକୁ ଭୋଟ ନ ଦେବାପାଇଁ କାର୍ଯ୍ୟ କରିବେ ବୋଲି ବୈଠକରେ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ନିଷ୍ପତ୍ତି ଉପରେ ବିଚାର କରିବାପାଇଁ ରାଜ୍ୟ କମିଟିକୁ ଅବଗତ କରିବା ନିମିତ୍ତ ସଂପାଦକଙ୍କୁ ବୈଠକରେ ଦାୟିତ୍ୱ ଦିଆଯାଇଛି । ଆସନ୍ତା ମାର୍ଚ୍ଚ ୨୩ ତାରିଖ ଦିନ ଜିଲ୍ଲାସ୍ତରୀୟ ସମ୍ମିଳନୀରେ ଏଥିପାଇଁ ନିର୍ଦ୍ଦିଷ୍ଟ ଖସଡ଼ା ପ୍ରସ୍ତୁତ କରାଯାଇ ଜିଲ୍ଲା ଓ ରାଜ୍ୟବ୍ୟାପୀ ପ୍ରଚାର ଅଭିଯାନକୁ ବ୍ୟାପକ କରାଯିବ ।ଏହି ବୈଠକରେ ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନରେ କାର୍ଯ୍ୟକରି ଅବସର ପରେ ଇପିଏଫ୍ ସଂସ୍ଥାରୁ ପେନସନ୍ ପାଉଥିବା ସର୍ବଶ୍ରୀ ଜଳଧର ପଣ୍ଡା, ଶ୍ୟାମସୁନ୍ଦର ଜେନା, ଇଂ. କହ୍ନେଇଲାଲ୍ ଚୌଧୁରୀ, ପୂର୍ଣ୍ଣଚନ୍ଦ୍ର ପାତ୍ର, ଶରତ ଚନ୍ଦ୍ର ଦଳାଇ, ସନ୍ନ୍ୟାସୀ ବେହେରା, କୁଶପ୍ରସାଦ ଜେନା, ନିତ୍ୟାନନ୍ଦ ନଟ, ପରମେଶ୍ୱର ପାତ୍ର, ପୁରୁଷୋତ୍ତମ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ମନ୍ମଥ ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ