ଗୋପାଳପୁର – ଗଜପତି ମୋହନା-ରାୟଗଡ଼ାକୁ ରେଳପଥ ନିର୍ମାଣ ଦାବି

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ସଂସଦରେ ବାରମ୍ଵାର ଦାବି ସତ୍ତ୍ଵେ ଅଞ୍ଚଳବାସୀ ନିରାଶ । ଗଞ୍ଜାମ ଜିଲ୍ଲାର ଗୋପାଳପୁରଠାରୁ ମୋହନା ଦେଇ ରାୟଗଡ଼ାକୁ ରେଳପଥ ସଂଯୋଗୀକରଣ ପାଇଁ କେନ୍ଦ୍ର ସରକାରଙ୍କ ଠାରେ ଦାବି ଉପସ୍ଥାପନା ହୋଇ ଆସୁଥିବା ବେଳେ କାର୍ଯ୍ୟକାରିତା ନ ହେବା ଅଞ୍ଚଳବାସୀଙ୍କ ମନରେ ପ୍ରଶ୍ନବାଚ଼ୀ ସୃଷ୍ଟି କରିଛି। ବିଭିନ୍ନ ସମୟରେ ଏହି ପ୍ରସ୍ତାବକୁ ଆଧାରକରି କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ଭେ କାମ ମଧ୍ୟ ସରିଛି। ରେଳପଥ ନିର୍ମାଣ ପାଇଁ ଅଟକଳ ମୂଲ୍ୟ ନିର୍ଦ୍ଧାରିତ ହୋଇ ନଥିବା ଯୋଗୁଁ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାକୁ ନେଇ ମୋହନା ଅଞ୍ଚଳବାସୀଙ୍କ ପକ୍ଷରୁ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସମାଜସେବୀ ସିରିଏଲ ନାୟକଙ୍କ ଆବାହକତ୍ତ୍ଵରେ ଏକ ବୈଠକ ଆୟୋଜନ କରାଯାଇ ଗୋପାଳପୁର ଠାରୁ ଭାୟା ମୋହନା ଦେଇ ରାୟଗଡ଼ାକୁ ନୂତନ ରେଳପଥ ସଂଯୋଗୀକରଣ ନିମନ୍ତେ ଏକ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଥିଲା। କମିଟି ସଦସ୍ୟମାନଙ୍କ ନିଷ୍ପତି ପ୍ରକାର ମୋହନା ତହସିଲଦାର ହରିଶ୍ଚନ୍ଦ୍ର ପ୍ରଧାନଙ୍କ ଜରିଆରେ ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ଯକ୍ଷଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ୨୦୨୪-୨୫ ଆର୍ଥୀକ ବର୍ଷରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନିବେଦନ କରାଯାଇଛି।ଗଠିତ କ୍ରିୟାନୁଷ୍ଠାନ କମିଟିରେ ସମାଜସେବୀ ସିରିଏଲ୍ ନାୟକ,ଓକିଲ ଦୁର୍ଯ୍ୟୋଧନ କରଡ଼ା, ସମିତି ସଭ୍ୟ ବାଳକୃଷ୍ଣ ମଳିକ, ସାମ୍ବାଦିକ ଲକ୍ଷ୍ମଣ ଚୌଧୁରୀ, ହାଡ଼ିବନ୍ଧୁ ନାୟକ, ରବିରତ୍ନ ପ୍ରମୁଖ ରହିଥିବା ବେଳେ ଶିକ୍ଷାବିତ୍ ମଧୁସୂଦନ ପାଢ଼ୀ, ରମେଶ ଚନ୍ଦ୍ର ମହାପାତ୍ର, ସରପଞ୍ଚ ସୁନିତା ମଲ୍ଲିକ, ମୋହନା ପ୍ରେସ୍ କ୍ଲବ୍ ସଭାପତି ପଞ୍ଚାନନ ଦାଶ,ଓକିଲ ସଂଘ ସଭାପତି ରବିନ୍ଦ୍ର ନାୟକ, ପ୍ରଫୁଲ୍ଲ ଲିମା, ରଶ୍ମି ରତନ,ଓକିଲ ସୀମାଞ୍ଚଳ କାର୍ଯୀ,ରସାନନ୍ଦ ପାଣି, ସାଗର ବଳିଆର ସିଂ ପ୍ରମୂଖ ବହୁ ବୁଦ୍ଧିଜୀବି ଉପସ୍ଥିତ ରହି ନିଜର ମତବ୍ୟକ୍ତ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ବର୍ତ୍ତମାନର ବିଜେଡ଼ି ସାଂସଦ ଚନ୍ଦ୍ରଶେଖର ସାହୁ ୨୦୦୪ -୦୫ ମସିହାରେ କେନ୍ଦ୍ରରେ କଂଗ୍ରେସ ନେତୃତ୍ଵାଧୀନ ସରକାରରେ କେନ୍ଦ୍ରମନ୍ତ୍ରୀ ଥିବାବେଳେ ସଂସଦରେ ୨ଥର ଏହି ଦାବୀକୁ ଉପସ୍ଥାପନା କରିଥିଲେ।ଯାହା ଫଳରେ ସର୍ଭେ କାର୍ଯ୍ୟ କରାଯାଇ ପ୍ଳାନିଙ୍ଗ୍ କମିଶନ ପାଖକୁ ତଥ୍ୟ ମଧ୍ୟ ଯାଇଥିଲା।ଏହି ରେଳପଥ ନିର୍ମାଣ ହେଲେ ଲୋକଙ୍କ ଆର୍ଥୀକ ବିକାଶର ଅଭିବୃଦ୍ଧି ଘଟିବା ସହ ଗମନାଗମନର ସୁବିଧା ଓ ସମୟ ଅପଚ଼ୟକୁ ରୋକାଯାଇପାରିବ ବୋଲି ପ୍ଲାନିଙ୍ଗ କମିଶନ ହୃଦୟଙ୍ଗମ କରି ସମ୍ମତି ପ୍ରଦାନ କରିଥିଲେ।କିନ୍ତୁ ପରବର୍ତ୍ତୀ ସମୟରେ ବ୍ରହ୍ମପୁର ସାଂସଦ ନିର୍ବାଚିତ ହେବାପରେ ସିଦ୍ଧାନ୍ତ ମହାପାତ୍ର ଏହି ପ୍ରକଳ୍ପକୁ ଗୁରୁତ୍ୱ ଦେଇ ନ ଥିଲେ କି ଅଗ୍ରଗତି ସମ୍ପର୍କରେ ସଂସଦରେ ପ୍ରଶ୍ନ ମଧ୍ୟ କରିନଥିଲେ। ମୋହନା ଅଞ୍ଚଳବାସୀଙ୍କ ଦୀର୍ଘ ବର୍ଷର ଦାବିକୁ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ବର ସହ ନେଇ ୨୦୨୪-୨୫ ଆର୍ଥୀକ ବର୍ଷରେ ବ୍ୟୟ ବରାଦ କରି ରେଳପଥ ନିର୍ମାଣ କରିବେ ବୋଲି ଅଞ୍ଚଳବାସୀ ଆଶାବାଦୀ ଅଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ