ରାଜନୈତିକ ଚକ୍ରାନ୍ତରେ ଏନ୍‌.ଏ.ସିରୁ ବାଦ ପଡିଲା ବନ୍ତ

ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଜିଲାର ବନ୍ତ ରାଜନୈତିକ ଚକ୍ରାନ୍ତ ପାଇଁ ଏନ୍‌.ଏ.ସି ମାନ୍ୟତା ପାଇବାରୁ ବାଦ ପଡିଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଶନିବାର ରାଜ୍ୟ ସରକାର ୨୦ ଜିଲାରେ ୩୪ ନୂତନ ବିଜ୍ଞାପିତ ଅଞ୍ଚଳ ଘୋଷଣା କରିଛନ୍ତି । ସେଥିମଧ୍ୟରେ ଦୀର୍ଘ ଦିନରୁ ଦାବୀ ହୋଇଆସୁଥିବା ବନ୍ତ ସଦର ମହକୁମାକୁ ବାଦ ଦିଆଯାଇଛି । ଗତ ୧୯୬୧ ମସିହାରେ ବନ୍ତ ଠାରେ ପଞ୍ଚାୟତ ସମିତି ପ୍ରତିଷ୍ଠା ହୋଇଥିଲା । ଏହା ମଧ୍ୟରେ ଦୀର୍ଘ ୬୩ ବର୍ଷ ବିତି ଯାଇଛି । ବହୁ ସାଂସଦ, ବିଧାୟକ ଯାଇଛନ୍ତି । ହେଲେ ସଦର ମହକୁମାର ବିକାଶ ପାଇଁ କୌଣସି ଜନପ୍ରତିନିଧି ଆନ୍ତରିକତା ପ୍ରକାଶ କରି ନାହାନ୍ତି । ବନ୍ତ ସଦର ମହକୁମା ମଧ୍ୟ ଦେଇ ଭଦ୍ରକ-ଆନନ୍ଦପୁର ୫୩ନଂ.ରାଜ୍ୟ ରାଜପଥ ଯାଇଛି । ବନ୍ତ, ଟିଲୋ, ପଧାନପଡା ଆଦି ୩ଟି ପଞ୍ଚାୟତ ମଧ୍ୟରେ ବନ୍ତ ସଦର ମହକୁମା ରହିଛି । ଏନ୍‌.ଏ.ସି ପାଇଁ ଗାଇଡ ଲାଇନ ଅନୁଯାୟୀ ୩ ପଞ୍ଚାୟତର ଜନସଂଖ୍ୟା ମଧ୍ୟ ଠିକ୍‌୍ ରହିଛି । ଏଠାରେ ବ୍ଲକ ଅଫିସ, ତହସିଲ, ଥାନା, ସବ୍ ରେଜିଷ୍ଟ୍ରି, ବିଇଓ ଅଫିସ, ଡାକ୍ତରଖାନା, ଜଳସେଚନ, ଗ୍ରାମ୍ୟ ଉନ୍ନୟନ ବିଭାଗ, ପାନୀୟ ଜଳ ଯୋଗାଣ ବିଭାଗ, ପୋଷ୍ଟ ଅଫିସ, କଲେଜ, ହାଇସ୍କୁଲ, ଶିଳ୍ପ ତାଲିମ କେନ୍ଦ୍ର, ବ୍ୟାଙ୍କ ଆଦି ରହିଛି । ଭୌଗଳିକ ସ୍ଥିତି ଦୃଷ୍ଟିରୁ ଏଠାରେ ଶତପ୍ରତିଶତ ଭିତ୍ତିଭୂମି ରହିଛି । ଏପରିସ୍ଥଳେ ଏହାକୁ ଏନ୍‌.ଏ.ସି ମାନ୍ୟତା ନଦେବା ଦୁଃଖ ଓ ପରିତାପର ବିଷୟ ବୋଲି ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି । କହିବାକୁ ଗଲେ ବନ୍ତ ସଦର ମହକୁମାକୁ ଜନପ୍ରତିନିଧି ମାନେ ଜାଣିଶୁଣି ଅବହେଳା ପ୍ରଦର୍ଶନ କରୁଛନ୍ତି । ଅପରପକ୍ଷେ ବନ୍ତ ଓ ଭଣ୍ଡାରିପୋଖରୀ ଦୁଇ ବ୍ଲକକୁ ନେଇ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଗଠିତ ହୋଇଛି । ୨୦୦୯ ଠାରୁ ୨୦୨୪ ମସିହା ପର୍ଯ୍ୟନ୍ତ ୧୫ ବର୍ଷ ଧରି ଏହି ନିର୍ବାଚନ ମଣ୍ଡଳୀ ଶାସକ ଦଳ କବ୍ଚାରେ ରହିଛି । ଏହି ନିର୍ବାଚନ ମଣ୍ଡଳୀରୁ ପ୍ରଫୁଲ୍ଲ ସାମଲ ୩ ଥର ବିଧାୟକ ରହିବା ସହ ମନ୍ତ୍ରୀ ମଧ୍ୟ ହୋଇଛନ୍ତି । ମାତ୍ର ବନ୍ତ ସଦର ମହକୁମାରେ କୌଣସି ଆଖିଦୃଶିଆ ବିକାଶ ମୂଳକ କାର୍ଯ୍ୟ ହୋଇପାରିନାହିଁ । ସଦର ମହକୁମାରେ ଏରିଆ ହସପିଟାଲ, ଦମକଳ କେନ୍ଦ୍ର, ଟ୍ରେଜେରୀ ଅଫିସ, ବସଷ୍ଟାଣ୍ଡ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ପ୍ରତିଷ୍ଠା ହୋଇପାରିନାହିଁ । ଶେଷରେ ବନ୍ତବାସୀଙ୍କର ଦୀର୍ଘ ଦିନର ଦାବୀ ଏନ୍‌.ଏ.ସି ମାନ୍ୟତାକୁ ସଂପୂର୍ଣ୍ଣ ଅଣଦେଖା କରିଛନ୍ତି । ଏହାକୁ ନେଇ ସମଗ୍ର ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ଆଗାମୀ ସାଧାରଣ ନିର୍ବାଚନରେ ବନ୍ତ ଅଞ୍ଚଳବାସୀ ଏହାର ଜବାବ ଦେବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ