ରାସ୍ତା ନିର୍ମାଣ ଦାବିରେ କୀରାପଲ୍ଲୀ ଗ୍ରାମବାସୀଙ୍କ ବେଲଗୁଣ୍ଠା-ବାଲିପଦର ରାସ୍ତା ଅବରୋଧ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି ସକାଳ ଆଠ ଘଣ୍ଟା ଠାରୁ ବେଲଗୁଣ୍ଠା ବ୍ଳକ୍ ବଙ୍କା ପଂଚାୟତର କୀରାପଲ୍ଲୀ ଗ୍ରାମର ପୁରୁଷ ଓ ମହିଳା ମାନେ ହାତରେ ପ୍ଲାକାର୍ଡ଼ ଧରି ରାସ୍ତାକୁ ଓହ୍ଲାଇଥିଲେ I ଦୀର୍ଘ ୪୦ ବର୍ଷ ହେବ ପିଡବ୍ଳ୍ୟୁଡ଼ି ରାସ୍ତା ଠାରୁ କୀରାପଲ୍ଲୀ ଗ୍ରାମକୁ ଯାଇଥିବା ଗ୍ରାମ୍ୟଉନ୍ନୟନ ବିଭାଗର ଦୁଇ କିଲୋମିଟର୍ ରାସ୍ତା ନିର୍ମାଣ ପାଇଁ ୨୦୦୯ ରୁ ଗ୍ରାମବାସୀ ବାରମ୍ବାର ଦାବି କରି ଆସୁଥିଲେ I କିନ୍ତୁ ଏ ଦିଗରେ ସମ୍ପୃକ୍ତ ବିଭାଗ କିମ୍ବା ସରକାର କର୍ଣ୍ଣପାତ କରୁନଥିଲେ I ତେଣୁ ଆଜି ବାଧ୍ୟ ହୋଇ ଗ୍ରାମର ପ୍ରାୟ ୪୦୦ ରୁ ଊର୍ଦ୍ଧ୍ଵ ଜନସାଧାରଣଙ୍କ ହାତରେ ରାସ୍ତା ନିର୍ମାଣ ସମ୍ପର୍କିତ ସ୍ଲୋଗାନ୍ ଲେଖାଥିବା ପ୍ଲାକାର୍ଡ଼ ଧରି ରାସ୍ତା ଅବରୋଧ କରିଥିଲେ I ଖବର ପାଇଁ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ,ବିଡିଓ ଭାରତୀ ଦେବୀ, ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସାତ ଦିନ ମଧ୍ୟରେ ରାସ୍ତାକାମ ଆରମ୍ଭ କରିବେ ବୋଲି ପ୍ରତିଶୃ୍ତି ଦେଇଥିଲେ I ଫଳରେ ଦିନ ବାର ଘଣ୍ଟା ପନ୍ଦର ମିନିଟ୍ ସମୟରେ ରାସ୍ତା ରୋକ ହଟିଥିଲା I ଆଜି ରାସ୍ତା ଅବରୋଧ ହେବା ଫଳରେ ଭଞ୍ଜନଗର-ବୁଗୁଡ଼ା, ବେଲଗୁଣ୍ଠା-ଆସିକା, ବେଲଗୁଣ୍ଠା-ବାଲିପଦରକୁ ଯିବା ଆସିବା କରୁ୍ଥିବା ଶହ ଶହ ଗାଡ଼ି ମୋଟର କୁମାରଶୁଣି ପାହାଡ ପାଦଦେଶରେ ଅଟକି ରହିଥିଲା I ଆସନ୍ତା ସାତ ଦିନ ମଧ୍ୟରେ ରାସ୍ତା କାମ ଆରମ୍ଭ ନହେଲେ ଗ୍ରାମବାସୀ ପୁଣି ଥରେ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ