ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡାଦେଶ ସହ ୭୦ହଜାର ଟଙ୍କା ଜୋରିମାନା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି ଜିଲ୍ଲା ଫାଷ୍ଟଟ୍ରାକ ଆଡହକ କୋର୍ଟର ଅତିରିକ୍ତ ଜିଲ୍ଲା ଜଜ୍ ତ୍ରୀବିକ୍ରମ କେଶରୀ ଚିହ୍ନାରା । ଘଟଣାରୁ ପ୍ରକାଶ ଯେ ଜଣେ ନାବାଳିକାର ପରିବାର କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କପାଳେଶ୍ୱର ଗ୍ରାମରେ ଭଡାଘର ନେଇ ରହିଆସୁଥିଲେ । ନାବାଳିକାର ପିତା ଜଣେ ଶ୍ରମିକ ଶ୍ରେଣୀର ହୋଇଥିବାରୁ ସେ ସବୁଦିନ ତାହାର ଘର ପାଖରେ ଥିବା ଏକ ପାନ ଦୋକାନକୁ ଝିଅକୁ ସାଙ୍ଗରେ ନେଇ ପାନ ଆଣିବା ପରେ ଝିଅକୁ ପାନ ଦୋକାନରେ ଛାଡି ଦେଇ କାମକୁ ଯାଆନ୍ତି । ସେଠାରୁ ଝିଅର ମା’ ଝିଅକୁ ଘରକୁ ନେଇ ଆସନ୍ତି । ୨୦୨୩ ମସିହା ଅପ୍ରେଲ ମାସ ୧୩ ତାରିଖରେ ସବୁଦିନ ପରି ନାବାଳିକାର ପିତା ସକାଳ ୮ଟା ୩୦ ମିନିଟ୍ ସମୟରେ ଅଭିଯୁକ୍ତ ନିଶାମଣି ମଲ୍ଲିକଙ୍କ ପୁଅ ବାବିନି ମଲ୍ଲିକ(୫୫)ର ପାନ ଦୋକାନରୁ ପାନ କିଣି ସାରିବା ପରେ ସେଠାରେ ଝିଅକୁ ଛାଡି ଦେଇ ପଳାଇଥିଲେ । ଅଭିଯୁକ୍ତ ବାବିନି ଝିଅକୁ ତା’ର ପାନ ଦୋକାନ ଭିତରକୁ ନେଇଯାଇ ଅସଦାଚରଣ କରିଥିଲା । ଅଭିଯୁକ୍ତ ଏହି ଘଟଣା ବିଷୟରେ ନାବାଳିକାର ଘରେ କୌଣସି କଥା ନକହିବାକୁ ତାଗିଦ୍ କରିଥିଲା । ଏହା ପରେ ଦିନ ୧୦ଟା ୩୦ ମିନିଟ୍ ସମୟରେ ଝିଅର ମା’ ଝିଅ ସ୍କୁଲରୁ ବହି ଆଣିବା ପାଇଁ ଝିଅକୁ ପାନ ଦୋକାନ ପାଖରେ ଛାଡି ଦେଇ ପଳାଇଥିଲା । ଏହାର ସୁଯୋଗ ନେଇ ଅଭିଯୁକ୍ତ ବାବିନି ଝିଅକୁ ଘର ଭିତରକୁ ନେଇ ପୁନର୍ବାର ଅସଦାଚରଣ କରିଥିଲା । ତାର ମାଆ ଘରକୁ ଆସିଲା ପରେ ଝିଅଟି କାନ୍ଦୁଥିବାର ଦେଖି କଣ ହୋଇଛି ବୋଲି ପଚାରିବାରେ ଝିଅଟି ସବୁ ଘଟଣା ତାର ମାଆକୁ କହିଥିଲା । ଝିଅର ବାପା କାମରୁ ଫେରି ସବୁ ଘଟଣା ଜାଣିବା ପରେ ପରଦିନ ଏହି ସମ୍ପର୍କରେ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ କରିଥିଲା । ସଦର ଥାନା ପୋଲିସ୍ ୩୨୪/୨୦୨୩ରେ ଏକ ଦୁଷ୍କର୍ମ ମାମଲା ରୁଜୁ କରି ତଦନ୍ତ କରିଥିଲା । ତଦନ୍ତରୁ ଜଣାପଡିଲା ଯେ ନାବାଳିକାର ବୟସ ୭ ବର୍ଷ । ସମସ୍ତ ଘଟଣାକୁ ଭିତ୍ତି କରି କେନ୍ଦ୍ରାପଡା ଆଡହକ ଫାଷ୍ଟଟ୍ରାକ କୋର୍ଟର ଅତିରିକ୍ତ ଜିଲ୍ଲାଜଜ୍ ତ୍ରୀବିକ୍ରମ କେଶରୀ ଚିହ୍ନାରା ଅଭିଯୁକ୍ତ ବାବିନି ମଳିକକୁ ଆଇ.ପି.ସି.ର ୩୭୬(ଏ,ବି) ଓ ପୋସ୍କ-୬ ଏବଂ ୧୦ଦଫାରେ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୭୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଆଉ ଅଧିକ୧ ବର୍ଷ ୬ ମାସ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ଏହି ମାମଲାକୁ କୋର୍ଟରେ ସରକାରଙ୍କ ପକ୍ଷରୁ ସ୍ପେସାଲ ପିପି ମନୋଜ କୁମାର ସାହୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ