ବିଭିନ୍ନ ଜନଦାବିରେ ସିଭିଲ୍ ସୋସାଇଟିର ଜିଲ୍ଲା ବୈଠକରେ ଆନ୍ଦୋଳନପାଇଁ ନିଷ୍ପତ୍ତି

ବାଲେଶ୍ୱର, (ସରୋଜ ପଣ୍ଡା):ସମସ୍ତ ଜନସମସ୍ୟାକୁ ନେଇ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ ପାଇଁ ସିଭିଲ୍ ସୋସାଇଟିର ଜିଲ୍ଲା କାର୍ଯ୍ୟକାରୀ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଉଠାଜଳସେଚନ କର୍ମଚାରୀ ଭବନରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ମନୋଜ ନାୟକ, ସୋସାଇଟିର ଗତ ବାର୍ଷିକ ସମ୍ମିଳନୀରେ ଗୃହୀତ ବିଭିନ୍ନ ପ୍ରସ୍ତାବ ବୈଠକରେ ଉପସ୍ଥାପିତ କରିଥିଲେ । କୋଷାଧ୍ୟକ୍ଷ ସନ୍ତୋଷ କୁମାର ସାହୁ ଆୟବ୍ୟୟର ବିବରଣୀ ଉପସ୍ଥାପନ କରିଥିଲେ । ଆଗାମୀ ଗ୍ରୀଷ୍ମଦିନ ପୂର୍ବରୁ ଯୁଦ୍ଧକାଳୀନଭିତ୍ତିରେ ପାନୀୟଜଳ ଓ ବିଦ୍ୟୁତ୍ ସଂକଟର ସମାଧାନ, ରେଳଷ୍ଟେସନର ଆଧୁନିକୀକରଣ ସହ ପ୍ଲାଟ୍‌ଫର୍ମରେ ରେଳଯାତ୍ରୀଙ୍କ ଗମନାଗମନର ସୁଯୋଗ ସୃଷ୍ଟି କରିବା, ସହରମାନଙ୍କରେ ନିୟମିତ ଡ୍ରେନ୍ ସଫେଇ ଓ ମଶା ନିପାତ ପାଇଁ ସଠିକ୍ କାର୍ଯ୍ୟପନ୍ଥା ଗ୍ରହଣ ପ୍ରଭୃତି ସମସ୍ୟାକୁ ନେଇ ସରକାର ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇ ଗଣଆନ୍ଦୋଳନ ପାଇଁ ନିଷ୍ପତ୍ତିଗ୍ରହଣ କରାଯାଇଛି ।ରେମୁଣା ଏନ୍‌.ଏସ୍‌.ସି. ଅଧୀନରେ ପୂର୍ବରୁ ଗ୍ରାମପଞ୍ଚାୟତ ସ୍ତରୀୟ କାର୍ଯ୍ୟକାରୀ ପରିଚାଳନା କମିଟିର ସଦସ୍ୟା ଭାବେ କାର୍ଯ୍ୟକରିଆସୁଥିବା ମହିଳାମାନଙ୍କୁ ରେମୁଣା ଏନ୍‌.ଏସ୍‌.ସି. ଘୋଷଣା ପରଠାରୁ ଅଦ୍ୟାବଧି ଗତ ୨୩ ମାସ ଧରି ମିଟିଂ ଆଲାଉନ୍ସ ଓ ଅନ୍ୟାନ୍ୟ ଆଇନଗତ ପ୍ରାପ୍ୟ ପ୍ରଦାନ କରାଯାଉନଥିବା ଅଭିଯୋଗକୁ ବୈଠକରେ ଗୁରୁତ୍ୱ ସହ ଆଲୋଚନା କରାଯାଇଥିଲା । ରାଜ୍ୟସରକାର ମହିଳାମାନଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ ବହୁ ଘୋଷଣା ଓ ବିଜ୍ଞାପନ ପ୍ରକାଶ କରୁଥିବାବେଳେ ଶତାଧିକ ମହିଳାଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିନଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ସେହିପରି ସାହାରା ଇଣ୍ଡିଆର ଜମାକାରୀ, ଏଜେଣ୍ଟ ଓ କର୍ମଚାରୀମାନେ ସେମାନଙ୍କର ଅର୍ଥ ପାଇବାରେ ଅନିଶ୍ଚିତତା ଲାଗିରହିଛି । ତେଣୁ ଏହି ଦୁଇଟି ସଂଗଠନ ସେମାନଙ୍କ ଦାବି ସଂପର୍କରେ ପ୍ରସ୍ତାବିତ ଆନ୍ଦୋଳନକୁ ସିଭିଲ୍ ସୋସାଇଟି ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ବାଗୁଡ଼ି ନବୋଦୟ ବିଦ୍ୟାଳୟର ଅଭିଭାବକମାନଙ୍କ ଅଭିଯୋଗ ଉପରେ ବିହିତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନକୁ ଅନୁରୋଧ କରାଯାଇଛି । ବାଲେଶ୍ୱର ସହରର କେତେକ ସ୍ଥାନରେ ନୂତନ ଭାବେ ନିର୍ମିତ କଂକ୍ରିଟ୍ ରୋଡ଼୍‌କୁ କେତେକ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶରେ ତଡ଼ାଯାଇ ରାସ୍ତାକୁ ଗମନାଗମନରେ ବାଧା ସୃଷ୍ଟି କରୁଥିବା ଅଭିଯୋଗ ଉପରେ ନୂତନ ଜିଲ୍ଲାପାଳ ଦୃଷ୍ଟିଦେବାକୁ ଦାବି କରାଯାଇଛି ।ଏହି ବୈଠକରେ ଗୌରାଙ୍ଗ ପାଣିଗ୍ରାହୀ, ବରିଷ୍ଠ ଆଇନଜୀବୀ ଶରତ କୁମାର ମହାପାତ୍ର, ପୁଷ୍ପଲତା ଚକ୍ରବର୍ତ୍ତୀ, ବେଣୁଧର ସାହୁ, ଅନୁଜ ମହାପାତ୍ର, ଯଶୋଦା ନନ୍ଦନ ଆଶ୍‌, ସୋମନାଥ ନାୟକ, ଗଙ୍ଗାଧର ଦଳେଇ, ସୁରେନ୍ଦ୍ର ନାଥ ପଣ୍ଡା, ଗଣେଶ୍ୱର ରାଉତ, ବିଜୟ କୁମାର ବେହେରା, କମଳାକାନ୍ତ ନାୟକ, ବିଦ୍ୟୁତ୍‌ଲତା ସାହୁ, ସରୋଜ ପ୍ରକାଶ ପଣ୍ଡା, ସୀତାରାମ ପ୍ରଧାନ ଓ ଶରତ ଚନ୍ଦ୍ର ଦଳାଇ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶ୍ୟାମସୁନ୍ଦର ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ